Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୧୩, ୧୯୧୪

ଏହି ସତ୍ତାଟି ଊର୍ଦ୍ଧ୍ୱବାହୁ ହୋଇ, କରାଞ୍ଜଳି ଉନ୍ମୁକ୍ତ କରି, ନିବିଡ଼ ଆସ୍ପୃହା ନେଇ ତୋ ସମ୍ମୁଖରେ ଦଣ୍ଡାୟମାନ ।

ହେ ମଧୁମୟ ରାଜାଧୁଜ ! ଏ ପୃଥିବୀର ଆଜି ପ୍ରୟୋଜନ ଏପରି ପ୍ରେମ, ଏପରି ଅପରୂପ ଦୁର୍ଦମନୀୟ ପ୍ରେମ ଯାହା ଏଯାବତ୍ ପ୍ରକାଶିତ ହୋଇ ନି, ଏହି ପ୍ରେମ ପାଇଁ ପୃଥିବୀ ଆକୁଳ ।… କାହାର ଅଛି ସେ ଯୋଗ୍ୟତା, ସେ ସାମର୍ଥ୍ୟ ଯେ ପୃଥିବୀରେଏହାର ମଧ୍ୟସ୍ଥ ହେବ ? କିଏ ସେହି ? ସେ କିଏ ସେଥିରେ କ’ଣ ଯାଏ ଆସେ ? କିନ୍ତୁ କାର୍ଯ୍ୟଟି ହେବା ଆବଶ୍ୟକ । ହେ ଭଗବାନ୍ ! ମୋ ଆହ୍ୱାନର ଜବାବ ଦିଆ । ଏ ଆଧାରର ସାମାନ୍ୟତା ଓ ସୀମାବନ୍ଧନ ସତ୍ତ୍ୱେ ତା’ର ଅର୍ଘ୍ୟ ଗ୍ରହଣ କର : ଆସ ।

ଆହୁରି, ଆହୁରି, ସଂଜୀବନୀ ଧାରା ପୃଥିବୀ ଉପରେ ବହିଯାଉ ତା’ର କଲ୍ୟାଣକର ତରଙ୍ଗ ରାଜି ନେଇ । ରୂପାନ୍ତର ଆଣ, ଜ୍ୟୋତିର୍ମୟ କର । ଏତେ ଦିନ ଧରି ଯାହାର ପ୍ରତୀକ୍ଷା, ସେହି ଚୂଡ଼ାନ୍ତ ଅତ୍ୟାଶ୍ଚର୍ଯ୍ୟ ଘଟଣା ସାଧନ କର ଯେପରି ସବୁ ଅଜ୍ଞାନମୟ ଅହଙ୍କାର ଚୁର୍ଣ୍ଣ ହୋଇଯାଉ, ପ୍ରତି ହୃଦୟରେ ଜାଗି ଉଠୁ ତୋର ସୁମହାନ୍ ଅଗ୍ନିଶିଖା । ସ୍ଥିରପ୍ରଶାନ୍ତି ମଧ୍ୟରେ ନିସ୍ପନ୍ଦ ହୋଇ ପଡ଼ିବାକୁ ମୋତେ ଦିଅ ନା । ଯେତେ ଦିନ ପର୍ଯ୍ୟନ୍ତ ତୋର ସମୁତ୍ତମ ଅଭିନବ ପ୍ରକାଶ ଦେଖା ନ ଦେଇଛି ସେତେ ଦିନ ପର୍ଯ୍ୟନ୍ତ ଆମର ବିଶ୍ରାମ ନାହିଁ ।

ଆମର ପ୍ରାର୍ଥନା ଶୁଣ, ଆମ ଆହ୍ୱାନର ଜବାବ ଦିଆ, ଆଗରେ ଆସି ଛିଡ଼ାହୁଅ ।