ମରୁଭୂମିର ଅପରିବର୍ତ୍ତନୀୟ ଏକାନ୍ତ ନିର୍ଜନତା ମଧ୍ୟରେ ରହିଛି ତୋର ମହିମମୟ ସାନ୍ନିଧ୍ୟର କିଛି ଆଭାସ, ଆଉ ମୁଁ ବର୍ତ୍ତମାନ ବୁଝିପାରୁଛି, ତୋତେ ଉପଲବ୍ଧ କରିବା ସକାଶେ ଚିରକାଳ ହିଁ ଗୋଟିଏ ପ୍ରକୃଷ୍ଟ ଉପାୟ ହେଲା ଏଇ ମରୁଭୂମିର ବିପୁଳ ବାଲୁକାରାଶି ମରେ ଆଶ୍ରୟ ଗ୍ରହଣ କରିବା ।
କିନ୍ତୁ ତୋତେ ଯେ ଜାଣେ, ତାହା ସକାଶେ ତୁ ସର୍ବତ୍ର ଓ ସର୍ବ ବସ୍ତୁ ମଧ୍ୟରେ ବିଦ୍ୟମାନ, ଏବଂ କୌଣସି ଗୋଟିଏ ବସ୍ତୁ ଅନ୍ୟ ବସ୍ତୁ ଅପେକ୍ଷା ତୋତେ ପ୍ରକାଶ କରିବା ସକାଶେ ଅଧିକ ଉପଯୋଗୀ, ଏହା ସେ ବୋଧ କରେ ନାହିଁ, କାରଣ, ଯେଉଁ ବସ୍ତୁସବୁ ବିଦ୍ୟମାନ ଏବଂ ଏବେ ବି ଯେଉଁ ସକଳ ବସ୍ତୁ ପ୍ରକଟ ହୋଇ ନାହିଁ, – ସେସବୁ ହିଁ ତୋର ଅଭିବ୍ୟକ୍ତି ନିମିତ୍ତ ପ୍ରୟୋଜନ । ଯେହେତୁ ତୋର ଦିବ୍ୟପ୍ରେମ ସମଗ୍ର ଜଗତ୍ ମଧ୍ୟରେ କାର୍ଯ୍ୟ କରୁଛି, ସେହି ସକାଶେ ପ୍ରତ୍ୟେକ ବସ୍ତୁର ଉଦ୍ୟମ ହେଲା ଜୀବନକୁ ତୋ ଅଭିମୁଖରେ ଚାଳିତ କରିବା ଏବଂ ଆମ୍ଭମାନଙ୍କ ଦୃଷ୍ଟି ଯେତେବେଳେ ଖୋଲିଯାଏ ସେତେବେଳେ ଆମ୍ଭେମାନେ ନିରନ୍ତର ଏହି ଚେଷ୍ଟାର ଉପଲବ୍ଧ କରିପାରୁ ।
ହେ ପ୍ରଭୁ, ହୃଦୟ ମୋର ତୃଷାକୁଳ ତୋ ସକାଶେ, ଚିନ୍ତା ମୋର ସର୍ବଦା ହିଁ ଚାଲୁଛି ତୋର ଅନୁସନ୍ଧାନରେ । ନୀରବ ଭକ୍ତିଭରେ ତୋତେ ପ୍ରଣାମ କରୁଛି ।