Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜାନୁଆରି ୪, ୧୯୧୪

ସ୍ଥୂଳ ବିଷୟୀ ମନ ସର୍ବଦା ଟାକି ରହିଥାଏ ସାମାନ୍ୟ ଟିକେ ଦୁର୍ବଳତା ପାଇଁ, ଆମ୍ଭେମାନେ ଯଦି ମୁହୂର୍ତ୍ତକ ପାଇଁ ବି ଅସତର୍କ ହେଉ, ଅତି ସାମାନ୍ୟ ପରିମାଣରେ ବି ଯଦି ଶିଥିଳତା ବା ଅବହେଳାକୁ ପ୍ରଶ୍ରୟ ଦେଉ ତେବେ ସେହି ମନ ହଠାତ୍ତ୍ ଜୁଆର ପରି ମାଡ଼ିଆସେ ଓ ଚାରିଆଡୁ ଘେରି ଆକ୍ରମଣ କରେ, ଅନେକ ସମୟରେ ତାହାର ବନ୍ୟାଗ୍ରାସରେ ବୁଡ଼ାଇଦିଏ ଆମର ଅଗଣିତ ପ୍ରଚେଷ୍ଟାର ଲାଭସବୁକୁ । ଫଳରେ ଆଧାର ନିସ୍ତେଜତା ଭିତରେ ବୁଡ଼ିଯାଏ, ଆହାର ନିଦ୍ରାଦିର ସ୍ଥୂଳ ପ୍ରୟୋଜନ ବଢ଼ିଯାଏ, ବୁଦ୍ଧି ତମସାଚ୍ଛନ୍ନ ହୋଇଯାଏ, ଅନ୍ତର୍ଦୃଷ୍ଟି ଆବୃତ ହୋଇଯାଏ; ଯଦିଓ ଏହିସବୁ ବାହ୍ୟ କ୍ରିୟା ପ୍ରତି ଏହାର କିଛି ଆଗ୍ରହ ନ ଥାଏ ତଥାପି ଏସବୁରେ ତାକୁ ବ୍ୟାପୃତ ରହିବାକୁ ପଡ଼େ । ଏ ଅବସ୍ଥା ଅତି କଷ୍ଟଦାୟକ ଓ ଶାନ୍ତିକର; କାରଣ, ଜଡ଼ ବିଷୟରେ ଚିନ୍ତା କରିବା ଠାରୁ ଅଧିକ କ୍ଲାନ୍ତିକର ଆଉ କିଛି ନାହିଁ, ପିଞ୍ଜରାରେ ଆବଦ୍ଧ ପକ୍ଷୀ ପରି ପୀଡ଼ିତ ମନ ଯନ୍ତ୍ରଣା ପାଏ, ଡେଣା ମେଲିପାରେ ନାହିଁ, ଯଦିଓ ସେ ଉତ୍କଣ୍ଠିତ ଥାଏ ମୁକ୍ତ ଆକାଶରେ ଉଡ଼ିବୁଲିବା ସକାଶେ ।

ହୁଏ ତ ଏହି ଅବସ୍ଥା ରେ ଏକ ପ୍ରୟୋଜନୀୟତା ଅଛି ଯାହା ମୁଁ ଦେଖପାରୁ ନାହିଁ … ଯାହାହେଉ ମୁଁ ଆଉ ସଂଘର୍ଷ କରିବି ନାହିଁ; ମା କୋଳରେ ଶିଶୁ ପରି, ଗୁରୁଙ୍କ ପଦତଳେ ଶିଷ୍ୟ ପରି ତୋ ନିକଟରେ ନିଜକୁ ଅର୍ପଣ କରିଛି, ଛାଡ଼ିଦେଇଛି ତୋର ନିର୍ଦେଶ ହାତରେ, ମୁଁ ଜାଣେ ତୋର ବିଜୟ ସୁନିଶ୍ଚିତ ।