Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୧୨, ୧୯୧୪

ପ୍ରତି ମୁହୂର୍ତ୍ତରେ ଜାଣିରଖିବା ଉଚିତ କିପରି ସବୁକିଛି ହରାଇ ସବୁକିଛି କୁ ଲାଭ କରିବାକୁ ହୁଏ, ଅତୀତକୁ ଗୋଟାଏ ମୃତଦେହ ତୁଲ୍ୟ ବିସର୍ଜନ କରି ଗୋଟାଏ ବୃହତ୍ତର ପରିପୂର୍ଣ୍ଣତା ମଧ୍ୟରେ କିପରି ନବଜନ୍ମ ଗ୍ରହଣ କରିବାକୁ ହୁଏ ।… ଆନ୍ତର ସତ୍ତାର ନିରବଚ୍ଛିନ୍ନ ଆସ୍ପୃହା ତୋ ଆଡ଼କୁ ଫେରି ଏହିପରି ନିଜକୁ ପ୍ରକାଶ କରୁଛି, ସେ ଚାହେଁ ତୋତେ ଆହୁରି ବିଶୁଦ୍ଧ ଭାବେ ପ୍ରତିଫଳିତ କରିବାକୁ, ଯେପରି ପ୍ରତିଫଳିତ ହୁଏ ସ୍ୱଚ୍ଛରୁ ସ୍ଵଚ୍ଛତର ଦର୍ପଣରେ ।ତୋର ଅବିଚଳିତ ଆନନ୍ଦ ତା’ ମଧ୍ୟରେ ଦେଖାଦେଇଛି କ୍ରମୋନ୍ନତିର ଶକ୍ତିରୂପେ ଏବଂ ଅତୁଳନୀୟ ପ୍ରବେଗରେ ଅଗ୍ରସର ହେଉଛି । ଏହି ଶକ୍ତି ଆଧାରର ବାହ୍ୟତମ ସ୍ତରରେ ଗୋଟାଏ ଶାନ୍ତ ଓ ସୁନିଶ୍ଚିତ ସଂକଳ୍ପରୂପେ ରୂପାନ୍ତରିତ ହୋଇଛି, କୌଣସି ବାଧାବିଘ୍ନ ତାହାକୁ ଜୟ କରିପାରିବ ନାହିଁ ।

ହେ ଦିବ୍ୟ ପ୍ରଭୁ ! କି ତୀବ୍ର ପ୍ରେମ ସହ ମୁଁ ତୋର ସେବକ ହୋଇଛି ! ରୂପଗତ ସମସ୍ତ ଜୀବନଧାରାକୁ ଅତିକ୍ରମ କରି କି ବିଶୁଦ୍ଧ, ଅଚଳ, ଅନନ୍ତ ଆନନ୍ଦରେ ମୁଁ ତୁ ହୋଇଉଠିଛି ।

ଏବଂ ଉଭୟ ଚେତନାହିଁ ଗୋଟିଏ ଅତୁଳନୀୟ ପରିପୂର୍ଣ୍ଣତା ମଧ୍ୟରେ ମିଶି ରହିଛି ।