ହେ ପ୍ରଭୁ ! ଶାଶ୍ୱତ ଅଧୀଶ୍ଵର ! ଶକ୍ତିରାଜିର ସଂଘର୍ଷ ଦ୍ଵାରା ପ୍ରେରିତ ହୋଇ ମଣିଷ ଅପରୂପ ଆତ୍ମବଳିଦାନ କରିଚାଲିଛି, ନିଜ ଜୀବନକୁ ଉତ୍ସର୍ଗ କରିଦେଉଛି ରକ୍ତାକ୍ତ ପୂର୍ଣ୍ଣାହୁତି ମଧ୍ୟରେ …
ହେ ପ୍ରଭୁ ! ଶାଶ୍ୱତ ଅଧୀଶ୍ଵର ! ଏହା ଯେପରି ବୃଥା ନ ହେଉ, ତୋ ଦିବ୍ୟଶକ୍ତିର ଅଫୁରନ୍ତ ପ୍ରକାଶ ଯେପରି ସମଗ୍ର ପୃଥିବୀରେ ବ୍ୟାପିଯାଉ, ତା’ର ବିକ୍ଷୁବ୍ଧ ଆବେଷ୍ଟନୀ, ଯୁଦ୍ଧରତ ଶକ୍ତିରାଜି, ସଂଗ୍ରାମରତ ବ୍ୟଷ୍ଟିଗଣଙ୍କର ପ୍ରଚଣ୍ଡ ବିଶୃଙ୍ଖଳା ମଧ୍ୟକୁ ଯେପରି ପ୍ରବେଶ କରୁ । ତୋ ଜ୍ଞାନର ବିଶୁଦ୍ଧ ଆଲୋକ ଆଉ ତୋ ଆଶିଷର ଅଶେଷ ପ୍ରୀତି ସେମାନଙ୍କ ହୃଦୟକୁ ପୂର୍ଣ୍ଣ କରୁ, ଚେତନାକୁ ଆଲୋକିତ କରୁ ଆଉ ଏଇ ଯେଉଁ ଅନ୍ଧକାର, ଏଇ ଯେଉଁ ଭୟଙ୍କର ଶକ୍ତିଧର ଘୋର ତମିସ୍ରା, ତା’ ମଧ୍ୟରୁ ଉତ୍ସାରିତ କରୁ ତୋ ସାନ୍ନିଧ୍ୟର ପ୍ରୋତ୍କଳ ମହିମା ।
ମୋ ସତ୍ତାର ଅଖଣ୍ଡ ଆତ୍ମବଳି ନେଇ ତୋ ସମ୍ମୁଖରେ ମୁଁ ଉପସ୍ଥିତ – ଯେପରି ଅନ୍ୟ ସମସ୍ତଙ୍କ ଅଜ୍ଞାନକୃତ ଆତ୍ମବଳି ସାର୍ଥକ ହେଉ ।
ଏ ନୈବେଦ୍ୟ ଗ୍ରହଣ କର, ଆମ ଆହ୍ଵାନର ଉତ୍ତର ଦିଅ, ଆସ ।