ସହସା ଆବରଣ ଛିନ୍ନ ହୋଇଗଲା, ଦିଗବଳୟ ଉଦ୍ଭାସିତ ହୋଇଉଠିଲା । ଏହି ନିର୍ମଳ ଦର୍ଶନ ଲାଭ କରି ମୋର ସମଗ୍ର ସତ୍ତ କୃତଜ୍ଞତାରେ ପରିପ୍ଳୁତ ହୋଇ ନିଜକୁ ତୋ ଚରଣରେ ଅର୍ପଣ କଲା । ତଥାପି ଏହି ଗଭୀର, ଏହି ଅଖଣ୍ଡ ଆନନ୍ଦ ସଭ୍ ଶାଶ୍ଵତଙ୍କ ଶାନ୍ତିରେ ସବୁକିଛି ଅଚଞ୍ଚଳ, ସବୁକିଛି ଶାନ୍ତିମୟ ।
ମନେହୁଏ, ମୁଁ ଆଉ ସୀମାବଦ୍ଧ ନୁହେଁ, ଆଉ ନାହିଁ ମୋର ଶରୀରବୋଧ, ନାହିଁ ସଂବେଦନ, ନାହିଁ ଚିନ୍ତା, ନାହିଁ ଅନୁଭବ… ଅଛି କେବଳ ନିର୍ମଳ, ବିଶୁଦ୍ଧ, ପ୍ରଶାନ୍ତ ବିଶାଳତା ଯାହା ଆଲୋକ ଓ ପ୍ରେମରେ ପ୍ଲାବିତ, ଅନିର୍ବଚନୀୟ ଆନନ୍ଦରେ ପରିପୂର୍ଣ୍ଣ – ଏହା ଛଡ଼ା ମୁଁ ଯେପରି ଆଉ କିଛି ନୁହେଁ – ବରଂ ଏକ ମାତ୍ର ତାହାହିଁ ‘ମୁଁ’ ଏବଂ ଏହି ‘ମୁଁ’ ମୋର ପୂର୍ବର ସ୍ଵାର୍ଥପର, ସଂକୀର୍ଣ୍ଣ ମୁଁ ଠାରୁ ଏତେ ଭିନ୍ନ ଯେ ମୁଁ କହିପାରୁ ନାହିଁ, ଏହା ମୁଁ କି ତୁ ସ୍ୱୟଂ, ହେ ପରମ ଭାଗ୍ୟବିଧାତା, ମହାନ୍ ପ୍ରଭୁ !
ସର୍ବତ୍ର ସବୁହିଁ ଯେପରି ହୋଇଉଠିଛି ଶକ୍ତି, ସାହସ, ସାମର୍ଥା, ସଂକଳ୍ପ, ଅସୀମ ମାଧୁର୍ଯ୍ୟ, ଅତୁଳନୀୟ କରୁଣା…
ଶେଷ କେତେକ ଦିନଠାରୁ ଏହି ଅନୁଭବ ଅତି ପ୍ରବଳ ହୋଇଉଠିଛି ଯେ ଅତୀତର ମୃତ୍ୟୁ ଘଟିଛି, ନୂତନ ଜୀବନର ରଶ୍ଚିମାଳା ତାକୁ ଗ୍ରାସ କରିଛି । ଏହି ଖାତାଟିର କେତେକ ପୃଷ୍ଠା ପଢ଼ିବାକୁ ଯାଇ ଯେତେବେଳେ ପଛକୁ ଶେଷ ଥର ଦୃଷ୍ଟିପାତ କଲି, ସେତେବେଳେ ମୁଁ ନିଃସନ୍ଦେହରେ ବୁଝିଲି ଯେ ଏହି ମୃତ୍ୟୁ ନିଶ୍ଚୟ ଘଟିଛି, ଏବଂ ସେତେବେଳେ ମୁଁ ଗୋଟାଏ ବିରାଟ ବୋଝରୁ ମୁକ୍ତ ହେଲି; ହେ ଦିବ୍ୟ ପ୍ରଭୁ, ତୋ ସମ୍ମୁଖରେ ଶିଶୁର ଅକୁଣ୍ଠାସରଳତା ଓ ନଗ୍ନତା ସହ ଉପସ୍ଥିତ ହୋଇଛି… ସର୍ବଦା ଏକ ମାତ୍ର ଯେଉଁ ବସ୍ତୁ ଅନୁଭବ କରୁଛି, ତାହା ହେଲା ସେହି ଶାନ୍ତ, ନିର୍ମଳ ବିଶାଳତା…
ହେ ଭଗବାନ୍, ତୁ ମୋ ପ୍ରାର୍ଥନା ଶୁଣିଛୁ, ତୋ ପାଖରେ ଯାହା ଚାହିଁ ଥୁ, ତାହା ତୁ ପ୍ରଦାନ କରିଛୁ; ସେହି ‘ମୁଁ’ ଅନ୍ତର୍ହିତ ହୋଇଛି, ବର୍ତ୍ତମାନ ତାହା ସ୍ଥାନରେ ତୋ ସେବାରେ ରହିଛି ଗୋଟାଏ ଅନୁଗତ ଯନ୍ତ୍ର, ତୋର ଅନନ୍ତ କିରଣରାଜିକୁ ସଂହତ ଓ ପ୍ରକାଶିତ କରିବାର କେନ୍ଦ୍ର । ତୁ ମୋ ଜୀବନକୁ ଗ୍ରହଣ କରିଛୁ ଏବଂ ତୋର କରିନେଇଛୁ; ତୁ ମୋ ସଂକଳ୍ପକୁ ଗ୍ରହଣ କରିଛୁ ଏବଂ ତୋ ସଂକଳ୍ପ ସଙ୍ଗେ ମିଳାଇଦେଇଛୁ; ତୁ ମୋ ପ୍ରେମକୁ ଗ୍ରହଣ କରି ତୋ ପ୍ରେମ ସଙ୍ଗେ ଏକୀଭୂତ କରିଛୁ; ତୁ ମୋ ଚିନ୍ତାକୁ ଗ୍ରହଣ କରି ତାହା ସ୍ଥାନରେ ସ୍ଥାପନ କରିଛୁ ତୋର ପୂର୍ଣ୍ଣ ଚେତନା ।
ଶରୀର ବିମୁଗ୍ଧ ହୋଇ ନୀରବ ଆତ୍ମହରା ପୂଜାରେ ଭୂମି ଉପରେ ମସ୍ତକ ନତ କରୁଛି ।
ସେଠାରେ ଆଉ କିଛିମାତ୍ର ନାହିଁ, କେବଳ ତୁହିଁ ଏକ ମାତ୍ର ତୋର ଅକ୍ଷୟ ଶାନ୍ତିର ମହିମା ସହ ବିଦ୍ୟମାନ ।