Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୧୦, ୧୯୧୪

ରାତ୍ରିର ନୀରବତା ମଧ୍ୟରେ ତୋର ଶାନ୍ତି ସର୍ବତ୍ର ବିରାଜମାନ, ମୋ ହୃଦୟର ନୀରବତା ମଧ୍ୟରେ ବି ତୋର ଶାନ୍ତି ସର୍ବଦା ବିଦ୍ୟମାନ । ଯେତେବେଳେ ଏଇ ଦୁଇଟି ନୀରବତା ମିଶି ଏକ ହୋଇଯାଏ ସେତେବେଳେ ତୋର ଶାନ୍ତି ଏତେ ଶକ୍ତିଶାଳୀ ହୋଇଉଠେ ଯେ କୌଣସି ବିପଦ ଆଉ ସେଥିରେ ବାଧା ଦେଇପାରେ ନାହିଁ । ଏପରି ସମୟରେ ମୋର ମନେ ହେଲା ସେଇମାନଙ୍କ କଥା ଯେଉଁମାନେ ଜାହାଜ ଉପରେ ଜଗିରହି ପହରା ଦିଅନ୍ତି ପଥ ନିର୍ବିଘ୍ନ ରଖିବା ପାଇଁ; ମୋ ହୃଦୟ କୃତଜ୍ଞତାରେ ଭରିଉଠିଲା, ମୁଁ କାମନା କଲି ସେମାନଙ୍କ ହୃଦୟରେ ତୋର ଶାନ୍ତି ଉତରି ଆସୁ ଏବଂ ସ୍ଥାୟୀ ଭାବରେ ପ୍ରତିଷ୍ଠିତ ହେଉ । ତା’ ପରେ ମନେପଡ଼ିଲା ଅନ୍ୟମାନଙ୍କ କଥା ଯେଉଁମାନେ ଏକାନ୍ତ ଆତ୍ମବିଶ୍ଵାସୀ, ଭାବନାହୀନ, ନିଶ୍ଚତନାର ନିଦ୍ରାରେ ନିମଗ୍ନ ଏବଂ ସେମାନଙ୍କ ଦୁଃଖଦୈନ୍ୟ ପାଇଁ ଚିନ୍ତିତ ହୋଇ, ସେମାନଙ୍କର ଯେଉଁ ପ୍ରସୁପ୍ତ ଦୁଃଖକଷ୍ଟ ସେମାନଙ୍କ ଜାଗରଣର ସଙ୍ଗେ ସଙ୍ଗେ ଜାଗ୍ରତ୍ ହୋଇଉଠିବ ସେଥିପାଇଁ କରୁଣାଏଁ ଚିତ୍ତରେ ମୁଁ କାମନା କଲି ଯେପରି ସେମାନଙ୍କ ହୃଦୟରେ ତୋର ଶାନ୍ତି ଟିକେ ସ୍ଥାନ ପାଏ, ସେମାନଙ୍କ ଭିତରେ ଯେପରି ଆଧାର୍ମିକ ଜୀବନ ଫୁଟିଉଠେ, ଆଲୋକ ଆସି ଯେପରି ଦୂର କରିଦିଏ ଅଜ୍ଞାନ- ଅନ୍ଧକାର । ତା’ପରେ ମୋର ମନେ ହେଲା ସେଇସବୁ ଜୀବଙ୍କ କଥା ଯେଉଁମାନେ ଏହି ବିପୁଳ ସାଗର ଭିତରେ ବାସ କରୁଛନ୍ତି, କାମନା କଲି ଯେପରି ସେମାନଙ୍କ ଉପରେ ପ୍ରସାରିତ ହୁଏ ତୋର ଶାନ୍ତି । ତା’ପରେ ମୋର ମନେ ହେଲା ସେମାନଙ୍କ କଥା ଯେଉଁମାନଙ୍କୁ ଛାଡ଼ିଆସିଛି ବହୁ ଦୂରରେ, ଯେଉଁମାନଙ୍କ ସ୍ନେହ, ଶ୍ରଦ୍ଧା ବର୍ତ୍ତମାନ ବି ମୋ ସଙ୍ଗେ ସଙ୍ଗେ ରହିଛି, ଗଭୀର ସ୍ନେହର ସହିତ ସେମାନଙ୍କ ପାଇଁ ପ୍ରାର୍ଥନା କଲି ଯେପରି ସେମାନେ ପାଆନ୍ତି ତୋର ସଚେତନ ଓ ସ୍ଥାୟୀ ଶାନ୍ତି, ତୋ ଶାନ୍ତିର ପରିପୂର୍ଣ୍ଣତା ସେମାନଙ୍କ ଗ୍ରହଣ ସାମର୍ଥ୍ୟର ଅନୁପାତରେ ଅଧିକରୁ ଅଧିକ ଯେପରି ଲାଭ କରନ୍ତି । ତା’ପରେ ମୋର ମନେ ହେଲା ସେମାନଙ୍କ କଥା ଯେଉଁମାନଙ୍କ ନିକଟକୁ ଆମେ ଯାଉଛୁ, ଯେଉଁମାନେ ନାନା ଶିଶୁସୁଲଭ କାର୍ଯ୍ୟକ୍ରମ ନେଇ ବ୍ୟତିବ୍ୟସ୍ତ, ଯେଉଁମାନେ ଅଜ୍ଞାନ ଓ ଅହଂକାର ବଶରେ ହୀନ ସ୍ଵାର୍ଥପାଇଁ କଳହ କରିଚାଲିଛନ୍ତି, ସେମାନଙ୍କର ହୋଇ, ତୀବ୍ର ଭାବରେ ବିପୁଳ ଆସ୍ପୃହା ନେଇ ମୁଁ ପ୍ରାର୍ଥନା କଲି ଯେଉଁଥିରେ ସେମାନେ ମଧ୍ୟ ଲାଭ କରନ୍ତି ତୋ ଶାନ୍ତିର ପରିପୂର୍ଣ୍ଣ ଜ୍ୟୋତି । ତା’ ପରେ ପୁଣି ମୁଁ ଚିନ୍ତା କଲି ସେମାନଙ୍କ କଥା ଯେଉଁମାନଙ୍କୁ ମୁଁ ଚିହ୍ନ, ଯେଉଁମାନଙ୍କୁ ମୁଁ ଚିହ୍ନ ନାହିଁ, ଚିନ୍ତା କଲି ଯେଉଁ ଅଖଣ୍ଡ ଜୀବନଧାରା ପରିର୍‌ଉଁ ହୋଇଚାଲିଛି, ଯାହାକିଛି ନିଜର ରୂପ ପରିବର୍ତ୍ତନ କରୁଛି, ଯାହାକିଛି ଏପର୍ଯ୍ୟନ୍ତ ରୂପ ଗ୍ରହଣ କରି ନାହିଁ, ସେ ସମସ୍ତଙ୍କ କଥା, ପୁଣି ସେମାନଙ୍କର କଥା ଯେଉଁମାନଙ୍କୁ ମୁଁ ଚିନ୍ତାରେ ଆଣିପାରେନାହିଁ, ଏବଂ ଯାହାକିଛି ମୋ ସ୍ମୃତି ଭିତରେ ଜାଗ୍ରତ୍ ରହିଛି ଏବଂ ଯାହାକିଛି ବିସ୍ମୃତ ହୋଇଛିଏ ସମସ୍ତଙ୍କ ପାଇଁ ଗଭୀର ସମାହିତ ଚିତ୍ତରେ, ନୀରବ ଆରାଧନାରେ ମୁଁ ଭିକ୍ଷା କଲି ତୋର ଶାନ୍ତି ।