Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୩, ୧୯୧୪

ହେ ଭଗବାନ୍ ! ଅନେକ ଦିନ ହେଲା ଲେଖନୀ ମୋର ନୀରବ ହୋଇଯାଇଛି… ।

ତଥାପି ତୁ ଏପରି ମୁହୂର୍ତ୍ତସକଳ ଆଣିଦେଇଛୁ ଯେତେବେଳେ ମୁଁ ପାଇଛି ଅବିସ୍ମରଣୀୟ ଜ୍ଞାନାଲୋକ, ଏପରି ମୁହୂର୍ତ୍ତସକଳ ଯେତେବେଳେ ଦିବ୍ୟତମ ଚେତନା ସହ ଜଡ଼ିତମ ଚେତନାର ପୂର୍ଣ୍ଣ ସଂଯୋଗ ସାଧୁ ହୋଇଛି, ଯେତେବେଳେ ବ୍ୟକ୍ତିଗତ ସତ୍ତା ଓ ବିଶ୍ଵଜନନୀଙ୍କ ମଧ୍ୟରେ, ବିଶ୍ଵଜନନୀ ଓ ତୋ ମଧ୍ୟରେ ଏକାତା ଏପରି ସଂପୂର୍ଣ୍ଣ ହୋଇଛି ଯେ ବ୍ୟଷ୍ଟିଚେତନାଟି ଯୁଗପତ୍ ନିଜର ସତ୍ତା, ସମଗ୍ର ବିଶ୍ଵ ଜୀବନ ଓ ସକଳ ପରିବର୍ତ୍ତନର ଊର୍ଦ୍ଧ୍ୱସ୍ଥ ତୋର ଶାଶ୍ଵତ ସ୍ଥିତି ଅନୁଭବ କରିଛି । ସେତେବେଳେ ଆନନ୍ଦ ପୂର୍ଣ୍ଣ ମାତ୍ରାରେ ଅନିର୍ବଚନୀୟ ଅସୀମ ଶାନ୍ତି ମଧ୍ୟରେ ଥିଲା; ଚେତନା ଜ୍ୟୋତିର୍ମୟ, ଅପରିମେୟ, ବହୁଳ ଅଥଚ ଅଦ୍ୱିତୀୟ; ଏବଂ ସତ୍ତା ସର୍ବଶକ୍ତିମାନ୍ ଓ ମୃତ୍ୟୁଞ୍ଜୟୀ ଥିଲା । ଆଉ ତାହା ଗୋଟିଏ କ୍ଷଣିକ ଅବସ୍ଥା ନୁହେଁ, ସୁଦୀର୍ଘ ଏକାଗ୍ରତାରେ ପ୍ରାପ୍ତ ଓ ଜନ୍ମମାତ୍ରେ ବିଲୁପ୍ତ ହେଉଥିବା ବସ୍ତୁ ନୁହେଁ; ଏହି ଅବସ୍ଥା ଶାଶ୍ୱତଙ୍କୁ ଧାରଣ କରି ଘଣ୍ଟା ପରେ ଘଣ୍ଟା ରହିପାରେ;ଏହା ଯୁଗପତ୍ କ୍ଷଣିକ ଓ ଅଫୁରନ୍ତ, ଏହି ଅବସ୍ଥା ପ୍ରାପ୍ତ ହୁଏ ଇଚ୍ଛାକ୍ରମେ, ତାହାର ଅର୍ଥ, ଏହା ହେଲା ଗୋଟାଏ ସ୍ଥାୟୀ ଅବସ୍ଥା, ଅତି ବାହ୍ୟତମ ଚେତନା ମଧ୍ୟ ତାହାର ସ୍ପର୍ଶ ପାଏ ଯେତେବେଳେ ଘଟଣାର ସୁଯୋଗ ଆସେ ଏବଂ ଯେତେବେଳେ ଏହି ଚେତନା କୌଣସି ପ୍ରକାର ମାନସିକ ବା ଦୈହିକ ପ୍ରୟୋଜନରେ ବ୍ୟାପୃତ ନ ଥାଏ । ଅବଶ୍ୟ ପ୍ରତ୍ୟେକ କର୍ମ ମଧ୍ୟରେ ସଦାସର୍ବଦା ହିଁ ତୋର ସ୍ଥିର ସାନ୍ନିଧ୍ୟବୋଧ ରହିଛି – ସତ୍ ଓ ଅସତ୍ ଯୁଗ୍ମରୂପେ – ତେବେ ତାହା ଯେପରି ରହିଛି ଗୋଟିଏ ପତଳା ପର୍ଦାର ପଶ୍ଚାତୁରେ ଏବଂ ସେହି ପର୍ଦା କୃତକର୍ମ ଉପରେ ଅରପିହାର୍ଯ୍ୟ PDF ଏକାଗ୍ରତା ଫଳରେ ତିଆରି ହୁଏ । ଅନ୍ୟ ଦିଗରେ, ଏକାନ୍ତରେ ରହିବା ଅବସ୍ଥାରେ, ସତ୍ତା ଅବିଳମ୍ବେ ଏକ ଆଶ୍ଚର୍ଯ୍ୟଜନକରୂପେ ଶକ୍ତିମାନ୍, ସ୍ଵଚ୍ଛ, ପ୍ରଶାନ୍ତ ଓ ଦିବ୍ୟବାତାବରଣ ଦ୍ଵାରା ଆବୃତ ହୋଇପଡ଼େ; ତାହା ମଧ୍ୟରେ ସେ ବୁଡ଼ିରହେ, ଏବଂ ତାହା ପରେ ପୁଣି ସମୁଜ୍ଜଳ ଜୀବନ ତାହାର ସମଗ୍ର ପ୍ରସାର, ସମଗ୍ର ବୈଚିତ୍ର୍ୟ, ସମଗ୍ର ମହିମା ସହ ଆରମ୍ଭ ହୁଏ; ସ୍ଥଳ ଦେହ ସେତେବେଳେ ମହିମମୟ, ସୁନମ୍ୟ, ବଳିଷ୍ଠ ଓ ଓଜସ୍ୱୀ ହୋଇଉଠେ; ମନ ସେତେବେଳେ ହୁଏ ଅପୂର୍ବ ସକ୍ରିୟ ଅଥଚ ପ୍ରଶାନ୍ତ ନିର୍ମଳ, ତୋର ଦିବ୍ୟସଂକଳ୍ପର ଶକ୍ତିରାଜିକୁ ସେ ପରିଚାଳିତ ଓ ସଞ୍ଚାରିତ କରେ;ସମଗ୍ର ଆଧାର ଏକ ଅସୀମ ଆନନ୍ଦ, ଅପାର ପ୍ରେମ, ପରମ ଶକ୍ତି, ପୂର୍ଣ୍ଣ ଜ୍ଞାନ, ଅନନ୍ତ ଚେତନାରେ ଉଲ୍ଲସିତ ହୋଇଉଠେ ।… ତୁହିଁ, ଏକ ମାତ୍ର ତୁହିଁ ଶାରୀରିକ ଉପାଦାନର କ୍ଷୁଦ୍ରତମ ଅଣୁ ମଧ୍ୟରେ ବି ସଜୀବ ହୋଇ ରହିଛୁ ।