ଗୋଟିଏ ଅପରିହାର୍ଯ୍ୟ ପ୍ରୟୋଜନ ବଶରେ ମୋତେ ମୋର ଅନୁସନ୍ଧିତ୍ସା ଓ ମୋ ଅନ୍ତରାତ୍ମାର ସମୟ ପ୍ରୟାସର ଏହି ସହଚରଟିକୁ ପୁନଶ୍ଚ ଗ୍ରହଣ କରିବାକୁ ହୋଇଛି ।
ବାହାରର ସମସ୍ତ ଅବସ୍ଥା ପରିବର୍ତ୍ତିତ ହୋଇଯାଇଛି, ସ୍ଥଳ କର୍ମ ମଧ୍ୟରେ ବି ଜୀବନ୍ତ ହୋଇଉଠିବା ଲାଗି ମୋର ଯେଉଁ ଆଦର୍ଶର ସ୍ୱପ୍ନ ଥିଲା ତାହା ମିଥ୍ୟା ବୋଲି ପ୍ରତିପାଦିତ ହୋଇଛି । ବାହ୍ୟ ଜଡ଼ କ୍ଷେତ୍ରରେ ସିଦ୍ଧିର ଆନନ୍ଦ ଲାଭ କରିବାର ସମୟ ଏପର୍ଯ୍ୟନ୍ତ ଆସି ନାହିଁ । ଶାରୀର ସତ୍ତା ପୁନଶ୍ଚ ଡୁବିଗଲା ସେହି କାଳିମାମୟ ଓ କ୍ରାନ୍ତିକର ରାତ୍ରିଗର୍ଭରେ, ଯାହା ମଧ୍ୟରୁ ଅକାଳରେ ସେ ମୁକ୍ତି ଚାହିଁଥିଲା । ହେ ସତ୍ୟମୟ ଭଗବାନ୍ ! ତୋର ସଂକଳ୍ପ ସଫଳ ହେଲା, ସେ ରଚନାକୁଶଳ ମନକୁ ଆସି କହିଲା : ।ତୁ ଧାରଣା କରିପାରୁ ନାହିଁ ଯେ ଏହା ହିଁ ସତ୍ୟ, କିନ୍ତୁ ତାହା ସେଇଆ” । ସ୍ଵଚ୍ଛନ୍ଦରେ ମନ ନିଜର ଭୁଲ୍ ସ୍ୱୀକାର କରିନେଲା ଏବଂ ତୋ ସଂକଳ୍ପ ନିକଟରେ ସେ ସଂପୂର୍ଣ୍ଣ ଭାବେ ନିଜକୁ ସମର୍ପଣ କଲା । ପ୍ରାଣସତ୍ତା ସକଳ ଅବସ୍ଥାରେ ସ୍ଥିର ଓ ତୃପ୍ତ । ହୃଦୟର ଭାବରାଜି ଏକ ଅକ୍ଷୋଭ ଓ ନିର୍ମଳ ଶାନ୍ତି ପାଇଛି, ଏବଂ ସମଗ୍ର ସତ୍ତା ତୋର ବିଶାଳ ଓ ଶାଶ୍ଵତ ଜ୍ୟୋତିଃରେ ପରିପୁତ, ତୋ ପ୍ରେମରେ ଏହା ଅନୁସୃତ ଓ ଅନୁପ୍ରାଣିତ । ତଥାପି ବାହ୍ୟ ଘଟଣାବଳୀ ଯେ ଗୋଟିଏ ମିଥ୍ୟା, ଏ ବୋଧ ଏବେ ବି ଦୂର ହୋଇ ନାହିଁ, ଆଉ ସଦିଚ୍ଛା ସତ୍ତ୍ୱେ ଶରୀର ଏପରି ଗଭୀର ଭାବେ ଆଲୋଡ଼ିତ ହୋଇଛି ଯେ ସେ ତା’ର ସୁସ୍ଥ ସାମ୍ୟବସ୍ଥାକୁ ଫେରିଆସି ପାରୁ ନାହିଁ ।
ଆରମ୍ଭରୁ ଆଜିର ଏହି ମୁହୁର୍ତ୍ତ ପର୍ଯ୍ୟନ୍ତ, ଏହି ସତ୍ତାର ସମସ୍ତ ପାର୍ଥିବ ଜୀବନ ତାହା ପାଖରେ ମନେହୁଏ ଯେପରି ଗୋଟାଏ ଅବାନ୍ତର ସ୍ଵପ୍ତ, ଯେପରି ସେ ତା’ଠାରୁ ବହୁ ଦୂରରେ, ତା’ସହ ଯେପରି କୌଣସି ସଂଯୋଗ ନାହିଁ । ଆଉ ଏହି ବାହ୍ୟ ଯନ୍ତ୍ରଟି ଗୋଟିଏ କଳ ପରି, ଯାହାକୁ ସେ ଚଳାଏ, କାରଣ ଏହା ହିଁ ହେଲା ତା’ର କେନ୍ଦ୍ରୀୟ ସଦ୍ବସ୍ତୁର ସଂକଳ୍ପ, କିନ୍ତୁ ଏହା ଉପରେ ତା’ର କୌଣସି ଆକର୍ଷଣ ନାହିଁ, ବରଂ ବେଶୀ ଆକର୍ଷଣ ଅଛି ସନିକଟସ୍ଥ ଅନୁରୂପ ଅନ୍ୟ ଯନ୍ତ୍ର ଉପରେ ଅଥବା ଏପରି ଏକ ଅଜ୍ଞାତ ଯନ୍ତ୍ର ଉପରେ ଯାହା ଭବିଷ୍ୟତରେ ପୃଥିବୀରେ ଉତ୍ପନ୍ନ ହେବ । ତେବେ ଏହି ପୃଥିବୀ ତା’ନିକଟରେ ବିଜାତୀୟ ହୋଇଯାଇଛି, ଏକ ଚିରନ୍ତନ ନୀରବତା ଛଡ଼ା ଆଉ କିଛି ବିଷୟରେ ସେ ସଚେତନ ନୁହେଁ, ସମସ୍ତ ପ୍ରକାର ଜୀବନ୍ତ ରୂପ ଏହା ପାଖରେ ଅବାସ୍ତବ ଏବଂ ଦୂରସ୍ଥ ବୋଲି ମନେହୁଏ । ତା’ ନିକଟରେ ଏହା ଅଦ୍ଭୁତ ମନେହୁଏ ଯେ କେହି କିଛି ବସ୍ତୁ କାମନା କରିପାରେ, କାରଣ ବସ୍ତୁ ବୋଲି କିଛି ହିଁ ନାହିଁ, କିଂବା ଏକ ବସ୍ତୁ ଛାଡ଼ି ଅନ୍ୟ ଏକ ବସ୍ତୁକୁ ବେଶୀ ପସନ୍ଦ କରିପାରେ, କାରଣ ବସ୍ତୁ ବୋଲି ତ ଆଦୌ କିଛି ନାହିଁ । ପୁନଶ୍ଚ କୌଣସି ପ୍ରକାର କର୍ମ ବର୍ଜନ କରିବାର କାରଣ ବା କ’ଣ, ସେ କର୍ମ ଯାହା ହେଉ ନା କାହିଁକି, କାରଣ ସମସ୍ତ କର୍ମ ହିଁ ସମାନ ଭାବେ ମିଥ୍ୟା; ସେହି କାରଣରୁ ଜଗତରୁ ପଳାୟନ କରିବାର କୌଣସି ପ୍ରୟୋଜନ ସେ ଅନୁଭବ କରୁ ନାହିଁ । ଯେତେବେଳେ ଜଗତ ବୋଲି କିଛି ନାହିଁ, ତାହା ଗୋଟିଏ ଭାର ହେବ କାହିଁକି, ଯେହେତୁ ତା’ର ଅସ୍ତିତ୍ୱ ଏତେ ବେଶୀ ଅସତ୍ !
ସମଗ୍ର ବସ୍ତୁଟି ମନେହୁଏ ଗୋଟିଏ ମହାଶୂନ୍ୟ ଯାହା ଜ୍ୟୋତିଃ, ଶାନ୍ତି ଓ ବିଶାଳତାରେ ପରିପୂର୍ଣ୍ଣ, ଯାହା ସକଳ ରୂପ ଓ ସକଳ ଲକ୍ଷଣର ଅତୀତ । ଏହା ନାସ୍ତି ସତ କିନ୍ତୁ ଏପରି ଏକ ନାସ୍ତି ଯାହା ବାସ୍ତବ ଓ ଯାହା ଚିରକାଳ ରହିପାରେ – କାରଣ ତାହା ହିଁ ଅଛି, ଯଦିଓ ତନ୍ମଧ୍ୟରେ ରହିଛି ନାହିଁ ର ଚରମ ବିଶାଳତା … ହାୟ, ଆମ୍ଭମାନଙ୍କ ବାକ୍ୟ ଅକିଞ୍ଚନ, ତଥାପି ସେହି ବସ୍ତୁକୁ ପ୍ରକାଶ କରିବାକୁ ଚେଷ୍ଟା କରେ ଯାହାକୁ ପ୍ରକାଶ କରିବାକୁ ନୀରବତା ମଧ୍ୟ ଅକ୍ଷମ ।
ଯେଉଁ ଅବସ୍ଥା ଏହିପରି ଅସ୍ପଷ୍ଟ ବାକ୍ୟରେ ନିଜକୁ ପରିସ୍କୁଟ କରିବାକୁ ଚେଷ୍ଟା କରୁଛି, ତାହା କେତେ ସପ୍ତାହ ଧରି କ୍ରମଶଃ ପ୍ରତିଷ୍ଠିତ ହେଉଛି, ଦିନ ପରେ ଦିନ ଯେପରି ବିତିଯାଉଛି ଏହା ସେହିପରି ହୋଇ ଉଠୁଛି ଆହୁରି ସ୍ଥିର, ଆହୁରି ଗଭୀର, କହିବା କୁ ଗଲେ ଆହୁରି ଅବ୍ୟଭିଚାରୀ । ଇଚ୍ଛା ନ କରି, ନ ଖୋଜି, କାମନା ନ କରିବି ଆଧାର ଏହି ଅବସ୍ଥା ମଧ୍ୟରେ ଧୀରେ ଧୀରେ ବୁଡ଼ିଯାଉଛି, କ୍ରମଶଂ ନିଜର ଚେତନା ହରାଉଛି ଏପରି ଏକ ନୈବ୍ୟକ୍ତିକ ଚେତନା ମଧ୍ୟରେ ଯାହା ଆଉ ବ୍ୟକ୍ତିଗତ ନୁହେଁ, ଯାହାର ଅଚଳ ସ୍ଥିତି ଅନିର୍ବଚନୀୟ, ଯାହା ମଧ୍ୟରେ ନିଜକୁ ଆଉ ପୃଥକ୍ କରିହୁଏ ନାହିଁ ।