Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୨୫, ୧୯୧୩

ତୋତେ ନୀରବରେ ଧ୍ୟାନ କରିବାର ସବୁଠୁ ବଡ଼ ଶତ୍ରୁ ହେଲା, ଆମେ ସଂସ୍ପର୍ଶରେ ଆସୁଥିବା ଅସଂଖ୍ୟ ଘଟଣାବଳୀର ଛାପକୁ ଧରି ରଖିବା ପାଇଁ ଆମ ଅବଚେତନାର ଯେଉଁ ନିରନ୍ତର କ୍ରିୟା ଚାଲିଥାଏ । ଯେପର୍ଯ୍ୟନ୍ତ ଆମର ମସ୍ତିଷ୍କ ସକ୍ରିୟ ଥାଏ ସେପର୍ଯ୍ୟନ୍ତ ଆମର ଜାଗ୍ରତ୍ ଚିନ୍ତାର ଅନ୍ତରାଳରେ ଗ୍ରହୀଷ୍ଣୁ ଅବଚେତନାର ଏହି କର୍ମଚାଞ୍ଚଲ୍ୟ ଆବୃତ ରହିଥାଏ । କିନ୍ତୁ ଆମର ଅଜାଣତରେ ଆମର କ୍ଷତିସାଧନ କରି ଆମ ଚିତ୍ତର ଏକ ବୃହତ୍‌ଅଂଶ ଚଳଚ୍ଚିତ୍ରର ଯନ୍ତ୍ର ପରି କାମ କରି ଚାଲିଥାଏ । ସକ୍ରିୟ ଚିନ୍ତାକୁ ଯେତେବେଳେ ଆମେ ସ୍ତବ୍ଧ କରି ରଖୁ, ତୁଳନାରେ ଯାହା ବିଶେଷ କଠିନ ନୁହେଁ, ସେତେବେଳେ ଦେଖିଲି ଚାରିଆଡୁ ଉଠିଆସୁଛି ଅବଚେତନାର ରାଶୀକୃତ କ୍ଷୁଦ୍ର କ୍ଷୁଦ୍ର ଛାପସବୁ, ଅନେକ ସମୟରେ ତା’ର ପରିପ୍ଲାବନ ଏପରି ଅଧିକ ହୁଏ ଯେ ଆମକୁ ତାହା ପୂରା ବୁଡ଼ାଇଦିଏ । ଏପରି ଘଟେ ଯେତେବେଳେ ଆମେ ଗଭୀର ଧ୍ୟାନର ନୀରବତା ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରୁ, ଆମେ ସେତେବେଳେ ଅସଂଖ୍ୟ ଚିନ୍ତା ଦ୍ଵାରା ଆକ୍ରାନ୍ତ ହେଉ – ଯଦି ଏସବୁକୁ ଚିନ୍ତାର ଆଖ୍ୟା ଦିଆଯାଇ ପାରେ – ସେସବୁ ଚିନ୍ତା ଆମ ପାଇଁ ଆଦୌ ଚିତ୍ତାକର୍ଷକ ନୁହେଁ, ଆମର କୌଣସି ଜାଗ୍ରତ୍ କାମନା ବା ସକ୍ରିୟ ଆସକ୍ତିର ସେଗୁଡ଼ିକ ପ୍ରତିନିଧି ନୁହନ୍ତି, ସେମାନେ କେବଳ ପ୍ରମାଣ କରନ୍ତି ଯେ ଆମର ଅବଚେତନା ଯନ୍ତ୍ର ଭଳି ଯେଉଁଛାପ ଗ୍ରହଣ କରିଚାଲିଛି ତାହାକୁ ସଂଯତ କରିବା ର କ୍ଷମତା ଆମର ନାହିଁ । ଏହିସବୁ ନିରର୍ଥକ କୋଳାହଳକୁ ନୀରବ କରିଦେବାକୁ ହେଲେ, ଏହି ନୀରସ ଚିତ୍ରାବଳୀର କ୍ରାନ୍ତିକର ଧାରାପ୍ରବାହକୁ ବନ୍ଦ କରିବାକୁ ହେଲେ, ଏହି ମୂଲ୍ୟହୀନ କ୍ଷୁଦ୍ର ତୁଚ୍ଛ ବିଷୟସବୁ ଅଯଥା ଯାହା ମନର ଭାର ବଢ଼ାଇ ଦିଅନ୍ତି, ମନ ଭିତରୁ ସେଗୁଡ଼ିକୁ ଦୂର କରିବାକୁ ହେଲେ ବେଶ୍ କିଛି ପରିଶ୍ରମ ଦରକାର । ଆମର କେତେ ସମୟ ଅଯଥାରେ ନ ଯାଉଛି, ସମୟର କି ଭୀଷଣ ଅପବ୍ୟୟ !

ତେବେ ଏହାର ପ୍ରତିକାର କ’ଣ ? କେତେକ ତପସ୍ୟାର ମାର୍ଗ ଅତି ସରଳଭାବରେ ନିର୍ଦ୍ଦେଶ କରିଥାଆନ୍ତି ନୈଷ୍କର୍ମ ଓ ନିର୍ଜନତା – ଅବଚେତନାକୁ ସବୁପ୍ରକାର ଚିତ୍ରଗ୍ରହଣର ସମ୍ଭାବନାରୁ ଆଢୁଆଳରେ ରଖିବା; ମୋର ମନେହୁଏ ଏ ହେଉଛି ପିଲାଳିଆ ପ୍ରତିକାର, କାରଣ ଏଥିରେ ପ୍ରଥମ ଆତର୍କିତ ଆକ୍ରମଣରେହିଁ ତପସ୍ୱୀ ଅଭିଭୂତ ହୋଇପଡ଼େ, ଦିନେ ଯେତେବେଳେ ସେ ମନେକରେ ନିଜ ଉପରେ ତା’ର ସଂପୂର୍ଣ୍ଣ କର୍ତ୍ତୃତ୍ଵ ଆସି ଯାଇଛି, ସେତେବେଳେ ସେ ଯଦି ଫେରିଆସେ ଅନୁଷ୍ୟ ବନ୍ଧୁମାନଙ୍କ ଭିତରକୁ, ସେମାନଙ୍କୁ ସାହାଯ୍ୟ କରିବା ପାଇଁ, ତେବେ ଦେଖାଯିବ ଯେ ତା’ର ଅବଚେତନା ଏତେଦିନ ଧରି ସ୍ୱକୀୟବୃତିରୁ ବଞ୍ଚିତ ରହିଥିବା ହେତୁ ସାମାନ୍ୟ ଟିକେ ସୁଯୋଗ ପାଇବା ମାତ୍ରେ ସେ ତା’ର କାମରେ ଆହୁରି ତୀବ୍ର ଭାବରେ ଲାଗିଯାଇଛି ।

ତେବେ ଅନ୍ୟ କିଛି ପ୍ରତିକାର ନିଶ୍ଚୟ ଅଛି । ତାହା କ’ଣ ? ନିଃସନ୍ଦେହ ଭାବରେ ଅବଚେତନାକୁ କିପରି ସଂଯମ କରିବାକୁ ହୁଏ ତାହା ଆମକୁ ଶିଖିବାକୁ ହେବ, ଯେପରି ମନକୁ ସଂଯମ କରାଯାଏ । ଏଥିପାଇଁ ବିଭିନ୍ନ ଉପାୟ ରହିଛି । ବୌଦ୍ଧମାନଙ୍କ ପରି ନିୟମିତଆତ୍ମ- ବିଚାର କିଂବା ଦେଖୁଥିବା ସ୍ୱପ୍ନର ନିୟମିତ ବିଶ୍ଳେଷଣ – କାରଣ ସ୍ୱପ୍ନ ପ୍ରାୟ ସର୍ବଦା ତିଆରି ହୁଏ ଅବ ଚେତନାର ବିଭିନ୍ନ ଛାପକୁ ଆଶ୍ରୟ କରି । ଏହିପରି ନାନାଉପାୟ ରହିଛି । କିନ୍ତୁ ଏହା ଅପେକ୍ଷା ଅନେକ ଆଶୁ ଫଳପ୍ରଦ ଅନ୍ୟ ଏକ ଉପାୟ ନିଶ୍ଚୟ ଅଛି…

ହେ ପ୍ରଭୁ, ସନାତନ ଅଧୀଶ୍ୱର ! ତୁହିଁ ହେବୁ ଶିକ୍ଷାଦାତା ଓ ମନ୍ତ୍ରଦାତା; ତୁହିଁ ମୋତେ ଶିଖାଇ ଦେବୁ ମୋତେ କ’ଣ କରିବାକୁ ହେବ, ଯାହାଫଳରେ ମୋ ନିଜ କ୍ଷେତ୍ରରେ ତା’ର ଅପରିହାର୍ଯ୍ୟ ପ୍ରୟୋଗ ପରେ ସେହି ଶିକ୍ଷାରୁ ଅନ୍ୟମାନଙ୍କୁ ଯେପରି ଲାଭବାନ୍ କରାଇପାରିବି ।

ପ୍ରେମ ଓ ନିର୍ଭରତାରେ ପରିପୂର୍ଣ୍ଣ ଭକ୍ତି ନେଇ ତୋତେ ପ୍ରଣାମ କରୁଛି ।