Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୫, ୧୯୧୪

“ଛିଡ଼ାହୁଅ, ବିପଦର ସମ୍ମୁଖୀନ ହୁଅ !” ତୁ ମୋତେ କହିଲୁ, “ତୁ ମୁଖ ଫେରାଇନେବାକୁ କାହିଁକି ଚାହୁଁ ? କର୍ମକ୍ଷେତ୍ରରୁ, ଯୁଦ୍ଧକ୍ଷେତ୍ରରୁ ସତ୍ୟର ଗଭୀର ଧ୍ୟାନ ମଧ୍ୟରେ କାହିଁକି ପଳାଇ ଯିବାକୁ ଚାହୁଁ ? ସତ୍ୟର ପୂର୍ଣ୍ଣାଙ୍ଗ ପ୍ରକାଶ ହିଁ ପ୍ରୟୋଜନ, ପ୍ରୟୋଜନ ଅନ୍ଧଅଜ୍ଞାନ ଓ ତାମସ ବିରୋଧର ସକଳ ବାଧା ଉପରେ ତା’ର ବିଜୟ । ଛିଡ଼ାହୁଅ, ସ୍ଥିର ଦୃଷ୍ଟିସହ ବିପଦର ସମ୍ମୁଖୀନ ହୁଅ, ମହାଶକ୍ତି ସମ୍ମୁଖରେ ତାହା ଅନ୍ତର୍ହିତ ହେବ ।”

ହେ ଭଗବାନ୍ ! ମୁଁ ବୁଝି ପାରିଛି ଯେ ଏହି ବାହ୍ୟତମ ପ୍ରକୃତିର ଦୁର୍ବଳତା ସର୍ବଦା ଜଡ଼ ମଧ୍ୟରେ ନିଜକୁ ସମର୍ପଣ କରିଦେବାକୁ ଚାହେଁ ଅଥବା କ୍ଷତିପୂରଣ ସ୍ୱରୂପ ଗୋଟିଏ ଚରମ ବୁଦ୍ଧିଗତ ଏବଂ ଆଧାର୍ମିକ ସ୍ୱତନ୍ତ୍ରତା ମଧ୍ୟରେ ପଳାଇଯିବାକୁ ଚାହେଁ । କିନ୍ତୁ ତୁ ଆମ୍ଭମାନଙ୍କଠାରୁ କର୍ମ ହିଁ ଚାହୁଁ, ଆଉ କର୍ମରେ ଏପରି ମନୋଭାବ ରହିଲେ ଚଳିବ ନାହିଁ ।କେବଳ ଆନ୍ତର ଜଗତ୍ ଉପରେ ବିଜୟ ଯଥେଷ୍ଟ ନୁହେଁ, ଆମ୍ଭମାନଙ୍କୁ ଅତି ସ୍ଥୂଳ ଜଗତ୍ ଉପରେ ମଧ୍ୟ ବିଜୟ ହାସଲ କରିବାକୁ ହେବ । ବାଧା ଅଥବା ବିପରି ଠାରୁ ଦୂରକୁ ପଳାଇ ଯିବାକୁ ହେବ ନାହିଁ, କାରଣ ସେପରି ସାମର୍ଥ୍ୟ ଆମ୍ଭମାନଙ୍କର ଅଛି, ଆମ୍ଭେମାନେ ଏପରି ଚେତନା ମଧ୍ୟରେ ଯାଇ ପ୍ରବେଶ କରିପାରୁ ଯେଉଁଠାରେ କୌଣସି ବାଧାବିଘ୍ନ ନାହିଁ ।… ତୋର ସର୍ବଶକ୍ତି ଉପରେ ବିଶ୍ଵାସ ରଖ ସିଧା ବିପଦର ସମ୍ମୁଖୀନ ହେବାକୁ ହେବ, ଏବଂ ତୋର ସର୍ବଶକ୍ତିମତ୍ତାର ବିଜୟ ହେବ ।

ହେ ଭଗବାନ୍ ! ସର୍ବାଙ୍ଗୀନରୂପେ ଯୋଦ୍ଧାର ହୃଦୟ ମୋତେ ଦାନ କର ତୋର ବିଜୟ ସୁନିଶ୍ଚିତ ।

“ସର୍ବସ୍‌ ପଣ କରି ଜୟ କରିବାକୁ ହେବ” – ଏହାହିଁ ହେବ ବଉଁମାନର ମନ୍ତ୍ର ।ତେବେ, ଏହାର କାରଣ ନୁହେଁ ଯେ କର୍ମ ପ୍ରତି ବା କର୍ମଫଳ ପ୍ରତି ଆମର ଆସକ୍ତି ରହିଛି, ଅଥବା ଏପରି କର୍ମର ଆବଶ୍ୟକତା ଅଛି, ଅଥବା ଆମ୍ଭମାନଙ୍କ ପକ୍ଷେ ଆପେକ୍ଷିକ ଅବସ୍ଥା ସମୂହ ଅତିକ୍ରମ କରିଯିବା ସମ୍ଭବ ନୁହେଁ ।

ଏହାର କାରଣ ଏହି ଯେ ତୁ ଏହି ଆଦେଶ ଆମ୍ଭମାନଙ୍କୁ ଦେଇଛୁ; ଏହାର କାରଣ ଏହି ଯେ ବର୍ତ୍ତମାନ ସମୟ ଆସିଛି, ପୃଥିବୀ ଉପରେ ତୋର ବିଜୟ ହେବ; ଏହାର କାରଣ ଏହି ଯେ ତୁ ଚାହୁଁଛୁ ଏକ ଅଖଣ୍ଡ ଓ ସର୍ବାଙ୍ଗୀନ ବିଜୟ ।

ସମଗ୍ର ଜଗତ୍ ନିମନ୍ତେ ଏକ ଅସୀମ ପ୍ରେମ ନେଇ ଆସ ଆମେ ଯୁଦ୍ଧ କରିବା !