ମନୁଷ୍ୟର ଆଉ କ’ଣ ଉପଯୋଗିତା ଅଛି ଯଦି ସେ ଗୋଟିଏ ସେତୁସ୍ଵରୂପ ନ ହୁଏ ଗୋଟିଏ ଦିଗରେ ଚିରବର୍ତ୍ତମାନ ଶାଶ୍ୱତ ଅବ୍ୟକ୍ତ ସତ୍ତା ଯାହା କେବେ ପ୍ରକାଶିତ ହୋଇ ନାହିଁ ଓ ଅନ୍ୟ ଦିଗରେ ପ୍ରକାଶିତ ହୋଇଥିବା ବ୍ୟକ୍ତ ସୃଷ୍ଟି, ଏ ଦୁଇ ମଧ୍ୟରେ; ଏକ ଦିଗରେ ସମସ୍ତ ଊର୍ଦ୍ଧ୍ୱଲୋକର ଐଶ୍ୱର୍ଯ୍ୟ ଓ ଦିବ୍ୟ ଜୀବନର ମହିମା ଓ ଅନ୍ୟ ଦିଗରେ ଜଡ଼ଜଗତର ସକଳ ତମସାଚ୍ଛନ୍ନ ଓ ଶୋକଗ୍ରସ୍ତ ଅଜ୍ଞାନ ? ମଣିଷ ହେଲା ଯାହା ହେବା ଉଚିତ ଏବଂ ଯାହା ହୋଇଛି, ଏହି ଦୁଇଟିର ସଂଯୋଗସୂତ୍ର; ସେ ଗହ୍ଵର ମୁଖରେ ପ୍ରସାରିତ ଏକ ସେତୁ, ସେ ଯେପରି ଗୋଟିଏ ମହା କ୍ରଶ୍ ଚିହ୍ନ (cross), ବାହୁ ଚତୁଷ୍ଟୟର ସଂଗମସ୍ଥଳ । ତାହାର ଯଥାର୍ଥ ବାସଭୂମି, ତାହାର ଚେତନାର ଶକ୍ତିପୀଠ ହେଲା ଗୋଟିଏ ମଧ୍ୟବର୍ତ୍ତୀ ଜଗତ୍ ଯେଉଁଠାରେ କ୍ରଶ୍ ଚାରୋଟି ବାହୁ ଆସି ମିଳିତ ହୋଇଛି, ଯେଉଁଠାରେ ଅଜ୍ଞେୟର ଆନନ୍ତ୍ୟ ଅଗଣିତ ପ୍ରକାଶ ମଧ୍ୟରେ ନିଜକୁ ପ୍ରସାରିତ କରିବା ନିମନ୍ତେ କ୍ରମଶଃ ବିଶିଷ୍ଟ ରୂପଧାରଣ କରିଛି ।
ଏହି କେନ୍ଦ୍ର ହେଲା ପରମ ପ୍ରେମ, ପରା ଚେତନା, ବିଶୁଦ୍ଧ ଅଖଣ୍ଡ ଜ୍ଞାନର ପୀଠସ୍ଥଳ । ହେ ଭଗବାନ୍, ଯେଉଁମାନେ ପାରିବେ, ଯେଉଁମାନଙ୍କର ହେବା ଉଚିତ, ଯେଉଁମାନେ ଯଥାର୍ଥ ରେ ତୋର ସେବକ ହେବାକୁ ଚାହାନ୍ତି, ସେହିମାନଙ୍କୁ ଏହି କେନ୍ଦ୍ରରେ ପ୍ରତିଷ୍ଠିତକର, ଯେପରି ତୋ କାର୍ଯ୍ୟ ସିଦ୍ଧ ହେବ, ସେତୁବନ୍ଧ ଚିରକାଳ ନିମନ୍ତେ ସ୍ଥାପିତ ହେବ, ଯେଉଁଥିରେ ତୋର ଅଫୁରନ୍ତ ଶକ୍ତି ଜଗତରେ ପରିବ୍ୟାପ୍ତ ହେବ ।