Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨୨, ୧୯୧୪

ସତ୍ତାର ସକଳ ଅବସ୍ଥାରେ, ଜୀବନର ସକଳ କ୍ଷେତ୍ରରେ, କ୍ରମଶଃ ଯେତେବେଳେ ଆମେ ଅବସ୍ତୁ ଠାରୁ ସବସ୍ତୁକୁ ଚିହ୍ନି ନେଇଛୁ, ତୋର ଅଦ୍ୱିତୀୟ ସତ୍ତାର ଅଖଣ୍ଡ ପରିପୂର୍ଣ୍ଣନିଶ୍ଚୟତା ଲାଭ କରିଛୁ, ସେତେବେଳେ ସେଇ ପରା ଚେତନାର ଶିଖରରୁ ଦୃଷ୍ଟି ଫେରାଇଆଣିବାକୁ ହେବ ଉପାଦାନ ସମଷ୍ଟି ଏହି ବ୍ୟଷ୍ଟିର ଆଡ଼କୁ – ତାହାକୁ ପୃଥିବୀ ଉପରେ ତୋର ପ୍ରକାଶର ଯନ୍ତ୍ର ହେବାକୁ ହେବ, ତା’ ଭିତରେ ଦେଖିବାକୁ ହେବ କେବଳ ତୋତେ ହିଁ, କାରଣ ତୁ ତା’ର ଏକ ମାତ୍ର ସତ୍ୟ-ସତ୍ତା । ଏହି ଆଧାରର ପ୍ରତିଟି ଅଣୁ ଏହିପରି ଜାଗ୍ରତ ହୋଇଉଠିବ, ତୋର ସମୁଚ୍ଚ ପ୍ରଭାବ ଗ୍ରହଣ କରିବାକୁ ସମର୍ଥ ହେବ; ଅଜ୍ଞାନ, ଅନ୍ଧକାରସବୁ ଦୂର ହୋଇଯିବ, କେବଳ ସତ୍ତାର ମୂଳ ଚେତନାରୁ ନୁହେଁ, ତା’ର ଅତି ବାହ୍ୟ ପ୍ରକାଶର ଧାରାରୁ ମଧ୍ୟ । ରୂପାନ୍ତରର ଏହି ସାଧନା ଯେତେବେଳେ ପୂର୍ଣ୍ଣହେବ, ସର୍ବାଙ୍ଗସୁନ୍ଦର ହୋଇ ସେତେବେଳେ ପ୍ରକାଶ ପାଇବ ତୋର ପୂର୍ଣ୍ଣ ଶକ୍ତି, ପୂର୍ଣ୍ଣଜ୍ୟୋତି ଓ ପୂର୍ଣ୍ଣ ପ୍ରେମ ।

ଭଗବାନ୍, ଏ କଥାଟି କ୍ରମଶଃ ମୋତେ ସ୍ପଷ୍ଟ କରି ବୁଝାଇ ଦେଇଛୁ । ଏଇ ପଥରେ ହିଁ ମୋତେ ହାତ ଧରି ନେଇଚାଲ । ମୋ ସମଗ୍ର ସତ୍ତା, ଏପରିକି ତା’ର କ୍ଷୁଦ୍ରତମ ଅଣୁ ପର୍ଯ୍ୟନ୍ତ ଅଭୀପ୍ସା କରେ ତୋ ସାନ୍ତିର ପରାଜ୍ଞାନ, ତା’ ସଙ୍ଗେ ପୂର୍ଣ୍ଣ ମିଳନ ।ସକଳ ବାଧା ଦୂର ହୋଇଯାଉ, ଅଜ୍ଞାନ- ଅନ୍ଧକାରକୁ ଦୂର କରି ତା’ ସ୍ଥାନରେ ସର୍ବତ୍ର ପ୍ରତିଷ୍ଠିତ ହେଉ ତୋର ଦିବ୍ୟଜ୍ଞାନ । ମୂଳ ଚେତନାକୁ, ସତ୍ତାର ସଂକଳ୍ପକୁ ଯେପରି ଆଲୋକିତ କରିଛୁ, ସେହିପରି ତା’ର ବାହ୍ୟ ଉପାଦାନକୁ ମଧ୍ୟ ଆଲୋକିତ କର । ସମସ୍ତ ବ୍ୟକ୍ତିସତ୍ତା, ତା’ର ମୂଳ ସତ୍ତା ଓ ମୂଳ ଉତ୍ସଠାରୁ ଆରମ୍ଭ କରି ତା’ର ସର୍ବଶେଷ ରୂପାୟନ ଏହି ଜଡ଼ତମ ଦେହ ପର୍ଯ୍ୟନ୍ତ ସବୁ ଯେପରି ଏକ ହୋଇଉଠେ ପରିପୂର୍ଣ୍ଣ ସିଦ୍ଧି ମଧ୍ୟରେ, ତୋର ଅଦ୍ୱିତୀୟ ସଦ୍‌ବସ୍ତୁର ସର୍ବାଙ୍ଗୀନ ପ୍ରକାଶ ମଧ୍ୟରେ ।

ଜଗତରେ ଆଉ କିଛି ନାହିଁ – କେବଳ ହିଁ ତୋର ପ୍ରାଣ, ତୋର ଜ୍ୟୋତି, ତୋରପ୍ରେମ ।

ତୋର ସତ୍ୟର ଜ୍ଞାନରେ ସମସ୍ତ କିଛି ଜ୍ୟୋତିର୍ମୟ ଓ ରୂପାନ୍ତରିତ ହୋଇଉଠୁ ।

ତୋର ଦିବ୍ୟପ୍ରେମ ମୋର ସତ୍ତାକୁ ପରିପ୍ଲାବିତ କରିଛି, ତା’ର ପ୍ରତିଟି କୋଷ ତୋର ପରମ ଜ୍ୟୋତିରେ ଉଦ୍ଭାସିତ; ତୋତେ ଜାଣିଛି, ତୋ ସହିତ ଏକୀଭୁତ ହୋଇଯାଇଛି, ତେଣୁ ସବୁକିଛି ଆନନ୍ଦରେ ଆତ୍ମହରା ।