Divine Light Online

ଧ୍ୟାନ ଓ ପ୍ରାର୍ଥନା

ସେପ୍ଟେମ୍ବର ୧୭, ୧୯୧୪

ବାହାରୁ ଅଥବା ଅନ୍ୟ ଏକ ବିଶେଷ ଜଗତରୁ କର୍ମ ନିମନ୍ତେ ବର୍ତ୍ତମାନ ପ୍ରେରଣା ଆସୁନାହିଁ । ହେ ଭଗବାନ୍, ସତ୍ତାର ଗଭୀରତମ ପ୍ରଦେଶରୁ ତୁହିଁ ସକଳ ବସ୍ତୁକୁ ପରିଚାଳିତ କରୁଛୁ, ତୋ ଇଚ୍ଛାଶକ୍ତି ହିଁ ନିର୍ଦେଶ ଦେଉଛି, ତୋ ଶକ୍ତି ହିଁ କ୍ରିୟା କରୁଛି – ଗୋଟାଏ କ୍ଷୁଦ୍ର ସସୀମ ବ୍ୟକ୍ତିଗତ ଚେତନାକ୍ଷେତ୍ରରେ ନୁହେଁ, ବରଂ ଏକ ବିଶ୍ଵଗତ ଚେତନାକ୍ଷେତ୍ରରେ ଯାହା ସତ୍ତାର ପ୍ରତ୍ୟେକ ଅବସ୍ଥାରେ ସମଗ୍ର ସଙ୍ଗେ ଏକୀଭୂତ । ସେହି ସତ୍ତାର ଗୋଟିଏ ଦିଗରେ ବିଶ୍ୱବ୍ୟାପୀ ଯାବତୀୟ ଜଟିଳ ଏପରିକି ବିଶୃଙ୍ଖଳ ଗତିବୃତ୍ତ, ଅନ୍ୟ ଦିଗରେ ତୋର ପରମ ଅବ୍ୟୟତାର ନୀରବ ଓ ପରିପୂର୍ଣ୍ଣ ଶାନ୍ତି ଏହି ଉଭୟର ଯୁଗପତ୍ ସଜ୍ଞାନ ବୋଧ ରହିଛି ।