ନୀରବତାରେ ଅଗ୍ନିଶିଖା ଯେପରି ଜଳେ, ସୁଗନ୍ଧିତ ଧୂପ ଯେପରି ଅବିକମ୍ପିତଭାବେ ଊର୍ଦ୍ଧ୍ୱକୁ ଉଠିଚାଲେ, ସେହିପରି ମୋର ପ୍ରେମ ତୋ ଆଡ଼କୁ ଯାଉଛି । ଶିଶୁ ଯେପରି ବିଚାର କରେ ନାହିଁ ବା କୌଣସି ପାଇଁ ଚିନ୍ତା ବି କରେ ନାହିଁ, ମୁଁ ସେହିପରି ତୋ ଉପରେ ନିର୍ଭର କରିଛି, ତୋ ଇଚ୍ଛା ପୂର୍ଣ୍ଣ ହେଉ, ତୋ ଜ୍ୟୋତିଃ ପ୍ରକଟ ହେଉ, ତୋର ଶାନ୍ତିବିକୀର୍ଣ୍ଣ ହେଉ, ତୋର ପ୍ରେମ ସମସ୍ତ ଜଗତକୁ ଆଚ୍ଛାଦିତ କରିଦେଉ । ତୁ ଯେବେ ଇଚ୍ଛାକରିବୁ ମୁଁ ତୋ ଭିତରେ ରହିବି ଅଭିନ୍ନ ହୋଇ, ସେହି ଶୁଭକ୍ଷଣର ଅପେକ୍ଷାରେ ମୁଁ ରହିଛି, କୌଣସି ଭାବରେ ଅଧୀର ନ ହୋଇ ନିଜକୁ ଛାଡ଼ିଦେଇଛି ଅବ୍ୟର୍ଥ ଭାବେ ତାରି ଆଡ଼କୁ ବହିଯିବାକୁ, ପ୍ରଶାନ୍ତ ନଦୀ ଯେପରି ବହିଯାଏ ଅପାର ସାଗର ଆଡ଼କୁ ।
ତୋ ଶାନ୍ତି ମୋ ଭିତରେ ବିରାଜିତ, ଏବଂ ଏହି ଶାନ୍ତି ଭିତରେ ମୁଁ ଦେଖୁଛି ତୁହିଁ କେବଳ ରହିଛୁ, ଶାଶ୍ୱତର ନିଶ୍ଚଳତା ସହ ।