ଯେ ତୋର ଯଥାଯୋଗ୍ୟ ସେବା କରିବାକୁ ଚାହେଁ, ତାହାର କୌଣସି ବସ୍ତୁରେ ଆସକ୍ତି ରହିଲେ ଚଳିବ ନାହିଁ, ଏପରିକି ଯେଉଁସବୁ କର୍ମ ଦ୍ଵାରା ସେ ଅଧିକତର ସଚେତନଭାବେ ତୋ ସହ ଯୁକ୍ତ ହୋଇପାରେ ସେସବୁ କର୍ମ ଉପରେ ମଧ୍ୟ ନୁହେଁ । କିନ୍ତୁ ଯଦି ଘଟଣାଚକ୍ର ଏପରି ହୁଏ ଯେ ଜଡ଼ ବସ୍ତୁସବୁ ଜୀବନରେ ସାଧାରଣ ଆବଶ୍ୟକତାଠାରୁ ବେଶୀ ପ୍ରାଧାନ୍ୟ ଲାଭ କରନ୍ତି, ତା’ହେଲେ ସେସବୁ ମଧ୍ୟରେ ଆମ୍ଭେମାନେ ଯେପରି ବୁଡ଼ି ନ ଯାଉ ତାହା ଦେଖବାକୁ ହେବ, ହୃଦୟର ଗଭୀରରେ ତୋର ସାନ୍ନିଧ୍ୟକୁ ସୁସ୍ପଷ୍ଟ ରଖିବାକୁ ହେବ ଏବଂ ନିରନ୍ତର ସେହି ଅନାବିଳ ଶାନ୍ତି ମଧ୍ୟରେ ବାସ କରିବାକୁ ହେବ ଯାହା କୌଣସି କିଛି ଦ୍ଵାରା ମଧ୍ୟ ବିକ୍ଷୁବ୍ଧ ହୁଏ ନାହିଁ ।…
ଭଗବାନ୍, ସର୍ବତ୍ର କେବଳ ତୋତେ ହିଁ ଦେଖି ସମସ୍ତ କାର୍ଯ୍ୟ ଯଦି କରାଯାଏ ! ଏହି ଭାବେ ସମ୍ପନ୍ନ କାର୍ଯ୍ୟର ଉର୍ଦ୍ଧ୍ୱକୁ ଯଦି ଉଠି ଯାଇହୁଏ, ସେ ସମ୍ପର୍କରେ କୌଣସି ଦାବି ନ ରଖି ଯାହାକି ଆମ୍ଭମାନଙ୍କୁ ସଂସାର-କାରାଗାରରେ ଆବଦ୍ଧ କରେ ଏବଂ ଉତ୍ତରଣ ପଥରେ ଭାର ସ୍ୱରୂପ ହୁଏ !
ଭଗବାନ୍, ତୋ ନିକଟରେ ମୋ ସତ୍ତାର ଏହି ଉତ୍ସର୍ଗ ଯେପରି ହୁଏ ଅଖଣ୍ଡ ଓ ପୂର୍ଣ୍ଣ ଭାବରେ ଫଳପ୍ରସୂ ।
ଶ୍ରଦ୍ଧା ଓ ପ୍ରେମରେ ପରିପୂର୍ଣ୍ଣ ଭକ୍ତି ନେଇ ତା ନିକଟରେ ପ୍ରଣତ ହେଉଛି, ହେ ଅନିର୍ବଚନୀୟ ସତ୍ୟ, ହେ ଅଚିନ୍ତନୀୟ ବାସ୍ତବତା !