ଏହି ନୂତନ ବର୍ଷର ପ୍ରଥମ ମୁହୂର୍ତ୍ତଟି ମୁଁ ଉତ୍ସର୍ଗ କରୁଛି ତୋତେ – ଯାବତୀୟ ମଙ୍ଗଳର ଅଦ୍ୱିତୀୟ ବିଧାନକର୍ତ୍ତା ତୁ, ଜୀବନକୁ ଶୁଚିମୟ, ଶ୍ରୀମୟ, କଲ୍ୟାଣମୟ କରି ତୁ ଆଣିଦେଇଛୁ ତା’ର ସାର୍ଥକତା ।
ଏହିପରି ଉତ୍ସର୍ଗରେ ଯେପରି ମହିମାନ୍ୱିତ ହୋଇଉଠୁ ନୂତନ ବର୍ଷଟି । ତୋତେ ପାଇବାକୁ ଯେଉଁମାନେ ଆଶା କରୁଛନ୍ତି, ସେମାନେ ଯେପରି ତୋତେ ଖୋଜନ୍ତି ଯଥାର୍ଥ ମାର୍ଗରେ ଓ ଯେଉଁମାନେ ତୋତେ ଖୋଜୁଛନ୍ତି ସେମାନେ ଯେପରି ତୋତେ ପାଆନ୍ତି, ଆଉ ଯେଉଁମାନେ କଷ୍ଟଭୋଗ କରୁଛନ୍ତି ଅଥଚ ଜାଣନ୍ତି ନାହିଁ ତା’ର ପ୍ରତିକାର କେଉଁଠି, ସେମାନେ ଯେପରି ଅନୁଭବ କରନ୍ତି ତୋର ଜୀବନଧାରା ଧୀରେ ଧୀରେ କିପରି ସେମାନଙ୍କର ତମସାଚ୍ଛନ୍ନ ଚେତନାର କଠିନ ଆବରଣକୁ ଭେଦ କରି ଯାଉଛି ।
କଲ୍ୟାଣମୟ ତୋର ଯେଉଁ ଭାସ୍ଵର ମହିମା, ତାହା ସମ୍ମୁଖରେ ଗଭୀର ଭକ୍ତି ଓ ଅଶେଷ କୃତଜ୍ଞତା ନେଇ ମୁଁ ପ୍ରଣତ । ପୃଥିବୀ ତରଫରୁ ମୁଁ ତୋତେ କୃତଜ୍ଞତା ଜଣାଉଛି ତୁ ନିଜକୁ ଅଭିବ୍ୟକ୍ତ କରୁଛୁ ବୋଲି, ପୃଥିବୀ ତରଫରୁ ମୁଁ ନିବେଦନ କରୁଛି ତୁ ଆହୁରି ପୂର୍ଣ୍ଣ ଭାବରେ ନିରନ୍ତର ପ୍ରକଟ ହୁଅ, ତୋର ଜ୍ୟୋତି, ତୋର ପ୍ରେମ ଅବିରାମ ଭାବରେ ବୁଦ୍ଧିଲାଭ କରୁ ।
ଆମର ଚିନ୍ତା, ଆମର ଅନୁଭବ, ଆମ କର୍ମରାଜିର ତୁ ଅଦ୍ଵିତୀୟ ଅଧୀଶ୍ୱର ହୁଅ ।
ତ ହିଁ ଆମର ସତ୍ୟସତ୍ତା, ଏକ ମାତ୍ର ସତ୍ୟସତ୍ତା ।
ତୋ ବ୍ୟତୀତ ସବୁକିଛି ମିଥ୍ୟା, ମରୀଚିକା, ଶୋକପୂର୍ଣ୍ଣ ଅନ୍ଧକାର ।
ତୋ ମଧ୍ୟରେ ଜୀବନ, ଜ୍ୟୋତି, ଆନନ୍ଦ ।
ତୋରି ମଧ୍ୟରେ ପରମା ଶାନ୍ତି ।