ହେ ଭଗବାନ୍ ! ବର୍ତ୍ତମାନ ସବୁ କିଛି ପରିବର୍ତ୍ତିତ ହୋଇଯାଇଛି । ବିଶ୍ରାମ ଓ ପ୍ରସ୍ତୁତିର ସମୟ ଶେଷ ହୋଇଯାଇଛି । ତୁ ଚାହୁଁଛୁ ମୁଁ ଜଣେ ନିଷ୍କ୍ରିୟ, ଧ୍ୟାନପରାୟଣ ସେବକ ନ ହୋଇ ଜଣେ ସକ୍ରିୟ ଓ ସିଦ୍ଧିପ୍ରାପ୍ତ ସେବକ ହେବାକୁ; ତୁ ଚାହୁଁଛୁ ଯେ ଆନନ୍ଦମୟ ସ୍ୱୀକୃତି ଗୋଟାଏ ଉଲ୍ଲାସକର ସଂଗ୍ରାମରେ ରୂପାନ୍ତରିତ ହେଉ; ବର୍ତ୍ତମାନ ଏହି ଜଗତରେ ତୋ ବିଧାନର ଯେତେଦୂର ସମ୍ଭବ ଶୁଦ୍ଧତମ ଓ ଉଚ୍ଚତମ ସିଦ୍ଧିର ଯେଉଁ ମାନେ ବିରୋଧ କରନ୍ତି ସେମାନଙ୍କ ବିରୋଧରେ ମୁଁ ଯେପରି ନିରନ୍ତର ବୀର ତୁଲ୍ୟ ଯୁଦ୍ଧ କରିଚାଲେ ଏବଂ ତାହା ମଧ୍ୟରେ ମୁଁ ଯେପରି ପ୍ରାପ୍ତ କରେ ସେହି ଏକ ହିଁ ପ୍ରଶାନ୍ତ ଅଟଳ ସାମ୍ୟ ଯାହା ବର୍ତ୍ତମାନ ତୋର ବିଧାନକୁ ମାନି ଚଳିଲେ ଲାଭ ହୁଏ, ଅର୍ଥାତ୍ ତୋ ବିଧାନ ବିରୋଧରେ ଯେଉଁ ମାନେ, ସେମାନଙ୍କ ସହ ସାକ୍ଷାତ୍ ଯୁଦ୍ଧ ନ କରି, ବରଂ ପ୍ରତ୍ୟେକ ଘଟଣା ମଧ୍ୟରୁ ସର୍ବୋତ୍ତମ ଜିନିଷଟି ଗ୍ରହଣ କରି, ସଞ୍ଚରଣ, ସଂକ୍ରମଣ ଓ ଉଦାହରଣ ଦ୍ଵାରା କାର୍ଯ୍ୟ କରିଚାଲିବା ଫଳରେ ଯାହା ଲାଭ ହୁଏ ।
ଗୋଟାଏ ଆଂଶିକ, ସୀମାବଦ୍ଧ ଯୁଦ୍ଧରେ, କିନ୍ତୁ ଯାହା ପୃଥିବୀବ୍ୟାପୀ ସଂଗ୍ରାମର ପ୍ରତିଭୂ, ତୁ ମୋର ସାମର୍ଥ୍ୟ, ତତ୍ପରତା ଓ ସାହସ ପରୀକ୍ଷା କରିବାକୁ ଚାହୁଁ । ତୁ ଯେପରି ଜାଣିବାକୁ ଚାହୁଁ ଯେ ମୁଁ ଯାଥାର୍ଥରେ ତୋର ସେବକ ହୋଇ ପାରିବି କି ନାହିଁ ।ଯଦି ଯୁଦ୍ଧର ପରିଣାମରୁ ଦେଖାଯାଏ ଯେ ମୁଁ ତୋର ପୃଥିବୀ ପାବନକାରୀ କର୍ମର ବାହନ ହେବାକୁ ଯୋଗ୍ୟ, ତା’ହେଲେ ତୁ କର୍ମକ୍ଷେତ୍ରକୁ ଆହୁରି ପ୍ରସାରିତ କରିବୁ । ଆଉ ତୁ ମୋଠାରୁ ଯାହା ଆଶା କରୁ ମୁଁ ଯଦି ସେତେଦୂର ହୋଇପାରିବି, ହେ ଭଗବାନ୍, ଏପରି ଦିନ ଆସିବ ଯେତେବେଳେ ତୁ ପୃଥିବୀ ଉପରେ ଆବିର୍ଭୁତ ହେବୁ, ଏବଂ ସମସ୍ତ ଜଗତ୍ ତୋ ବିରୋଧରେ ଛିଡ଼ାହେବ । କିନ୍ତୁ ତୁ ପୃଥିବୀକୁ ନିଜ ବାହୁପାଶରେ ଆଲିଙ୍ଗନ କରିବୁ ଏବଂ ଏହା ରୂପାନ୍ତରିତ ହେବ ।