Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨୪, ୧୯୧୫

ହେ ଭଗବାନ୍ ! ଦିନେ ତୁ ମୋ ମନକୁ ଶିକ୍ଷା ଦେଲୁ ଯେ ସେ ତା ଦିବ୍ୟ ସତ୍ୟର ପ୍ରକାଶର ଯନ୍ତ୍ର ହୋଇ, ତୋ ସନାତନ ସଂକଳ୍ପର ବାହନ ହୋଇ ପୂର୍ଣ୍ଣଭାବେ କାର୍ଯ୍ୟ କରିପାରେ, ଅଥଚ ବାହ୍ୟ ସତ୍ତାର ସଂକୀର୍ଣ୍ଣ କ୍ଷେତ୍ରର ସମ୍ଭାବନା ମଧ୍ୟରେ ତା’ର ଗଠନସାମର୍ଥ୍ୟ ଯେ ସୀମାବଦ୍ଧ ରହିବ ଏପରି ନୁହେଁ । ସେପର୍ଯ୍ୟନ୍ତ, କ୍ଵଚିତ୍ ବ୍ୟତିକ୍ରମ ଛଡ଼ା, ମନର ଅଭ୍ୟାସ ତୋର ଅନିର୍ବଚନୀୟ ଆନନ୍ତ୍ର ସମ୍ମୁଖରେ ମୂକ ଆନନ୍ଦରେ, ନୀରବ ଧ୍ୟାନରେ ବୁଡ଼ି ରହିବା – ସେଠାରୁ ସେ କେବଳ ବାହାରି ଆସୁଥିଲା ବାହ୍ୟ ସତ୍ତାଟି ଯେଉଁ କର୍ମକ୍ଷେତ୍ରର ପ୍ରତିରୂପ କେବଳ ତାହାରି ଉପରେ ନିଜର ସମସ୍ତ ପ୍ରୟାସ ଅଭିନିବିଷ୍ଟ କରିବାକୁ । ତାହାର ଅର୍ଥ ହେଲା ଅତିମାତ୍ରାରେ ସଂକୀର୍ଣ୍ଣ ସୀମା ମଧ୍ୟରେ ଗୋଟିଏ ପ୍ରକାରର ଦାସତ୍; ଆହୁରି ମଧ୍ୟ, ସେଠାରେ ଥିଲା ଗୋଟିଏ ଦିଗରେ ମନର ଗଠନସାମର୍ଥ୍ୟ ଏବଂଅନ୍ୟ ଦିଗରେ ଯେଉଁ ଆଧାର ମଧ୍ୟଦେଇ ସେ ନିଜକୁ ପ୍ରକାଶ କରିବାକୁ ଚାହେଁ, ଏହି ଦୁଇ ମଧ୍ୟରେ ବିରୋଧ; ଏହାର ଅବ୍ୟବହିତ ଫଳ ହେଲା ମନୀଶକ୍ତିର ଅପଚୟ ଏବଂସୀମାବଦ୍ଧତା, ଆଉ ସେ କର୍ମ ମଧ୍ୟରେ ସାର୍ଥକତା ନ ପାଇ ସ୍ୱଭାବତଃ ତୋ ଶାଶ୍ୱତ ସତ୍ତାରେ ନିମଜ୍ଜିତ ହେବା ପାଇଁ ଫେରି ଯାଉଥିଲା ।

ତୁ ହଠାତ୍ତ୍ ଏହି ବିଶୃଙ୍ଖଳାର ଅବସାନ ଘଟାଇଲୁ, ମନକୁ ତା’ର ଶେଷ ବନ୍ଧନରୁ ମୁକ୍ତ କରିଦେଲୁ, ତାହାକୁ ସକଳ ରୂପାବଳୀ ମଧ୍ୟରେ ଅବାଧରେ ସକ୍ରିୟ ହେବାକୁ ଶିକ୍ଷାଦେଲୁ – କେବଳ ସେହିସବୁ ରୂପ ମଧ୍ୟରେ ନୁହେଁ ଯାହାକୁ ସେ ଦିନେ ନିଜର ବୋଲି ଅର୍ଥାତ୍ ତା’ର ଆତ୍ମ-ପ୍ରକାଶର ସ୍ୱାଭାବିକ ଉପାୟ ବୋଲି ବିବେଚନା କରୁଥିଲା ।

ପ୍ରାଣସତ୍ତା ବହୁଦିନ ପୂର୍ବରୁ ଏହି ମୁକ୍ତି ଲାଭ କରିଥିଲା ଏବଂ ସେ ଜାଣିଥିଲା ଯେ କି ଉପାୟରେ ଅନୁଭବ ଓ ଆବେଗର ପରିପୂର୍ଣ୍ଣତା ସହ ଜୀବନୀ ଶକ୍ତିକୁ ପ୍ରକାଶ କରିବାକୁ ସକ୍ଷମ ବହୁ ରୂପାବଳୀ ମଧ୍ୟରେ ବାସ କରିବାକୁ ହୁଏ । କିନ୍ତୁ ମନୋମୟ ସତ୍ତା ଏପର୍ଯ୍ୟନ୍ତ ଶିଖୁ ନ ଥିଲା କି ଉପାୟରେ ସଚେତନ ଭାବରେ, ନିର୍ବିଶେଷରେ, ସମାନ ଭାବରେ ସକଳ ଜୀବନଧାରାକୁ ସଂଜୀବିତ, ସୁଗଠିତ ଓ ଅଲୋକିତ କରିବାକୁ ହୁଏ । କିନ୍ତୁ ତୁ ସକଳ ବାଧା ଦୂର କରି ଦେଇଛୁ, ଆଉ ତୋ ଅନନ୍ତ-ପ୍ରକାଶର ଦ୍ଵାର ତା’ ସମ୍ମୁଖରେ ଖୋଲି ଦେଇଛୁ ।

କିଛି ଦିନ ଭିତରେ ନୂତନ ସିଦ୍ଧିଟି ସ୍ଥିର ହୋଇଛି ଏବଂ ଦୃଢ଼ ହୋଇଛି । ବର୍ତ୍ତମାନ ମୋର ସମଗ୍ର ସତ୍ତା ପୃଥିବୀ ଉପରେ ଯେଉଁ ଚେତନା କେନ୍ଦ୍ରଟି ଗଢ଼ି ତୋଳିଛି, ତାହାଠାରୁ ତୁ ଯାହା ଆଶା କରୁ, ସେହି ବସ୍ତୁ ତା’ ସମ୍ମୁଖରେ ସ୍ପଷ୍ଟ ହୋଇଉଠିଛି – ତାହା ହେଲା, ସକଳ ଜଡ଼ରୂପ ମଧ୍ୟରେ ଜୀବନୀଶକ୍ତ ହୋଇଉଠିବା, ସକଳ ରୂପ ମଧ୍ୟରେ ଏହି ଜୀବନୀଶକ୍ତିକୁ ସୁଶୃଙ୍ଖଳିତ ତଥା ବ୍ୟବହାର କରୁଥିବା ଚିନ୍ତାଶକ୍ତି ହୋଇଉଠିବା ଏବଂ ଏହି ଚିନ୍ତାଶକ୍ତିର ନାନାବିଧ ଉପାଦାନକୁ ପ୍ରସାରିତ, ସମୁଜ୍ଜଳ, ପ୍ରଖର ଏବଂ ସମ୍ମିଳିତ କରୁଥିବା ପ୍ରେମଶକ୍ତି ହୋଇଉଠିବା, ଏବଂ ଏହି ଭାବେ ହିଁ ବ୍ୟକ୍ତ ସୃଷ୍ଟି ସହ ଅଖଣ୍ଠଭାବେ ଏକୀଭୂତ ହୋଇଯାଇ ପୂଶକ୍ତିରେ ତା’ର ରୂପାନ୍ତର ସାଧନ ପାଇଁ ଅବତୀର୍ଣ୍ଣ ହେବା ।

ଅନ୍ୟ ଦିଗରୁ, ଏହା ହିଁ ହେଲା, ପରମତଦ୍ ପାଖରେ ସମ୍ପୂର୍ଣ୍ଣ ସମର୍ପଣ ଫଳରେ ପରମ ସତ୍ୟର ଜ୍ଞାନ ଲାଭ ଏବଂ ଯେଉଁ ଶାଶ୍ୱତ ଇଚ୍ଛାଶକ୍ତି ତାହାକୁ ପ୍ରକାଶ କରେ ତା’ର ଜ୍ଞାନ ଲାଭ । ଏହି ଏକାତ୍ମତା ଦ୍ଵାରା ଭାଗବତ ସଂକଳ୍ପର ଅନୁଗତ ସେବକ ଏବଂ ଅଭ୍ରାନ୍ତଯନ୍ତ୍ର ହୋଇଉଠିବା, ଆଉ ମୂଳତତ୍ତ୍ୱ ସଙ୍ଗେ ସଜ୍ଞାନ ଏକାତା ଏବଂ ତାହାର ବାହ୍ୟପ୍ରକାଶ ସଙ୍ଗେ ସଜାଗ ଏକାତ୍ମତା, ଏହି ଉଭୟ ଏକାତ୍ମତାକୁ ସଂଯୁକ୍ତ କରି ଧରିବା;ସୁତରାଂ ପରିଶେଷର ମୂଳତତ୍ତ୍ୱର ସତ୍ୟଧର୍ମ ଅନୁସାରେ ସୃଷ୍ଟି ମଧ୍ୟରେ ସଚେତନ ଭାବେ ହୃଦୟ, ମନ ଓ ପ୍ରାଣକୁ ଢଳାଇ କରିବା ଏବଂ ଗଠନ କରିବା ।

ଏହି ଭାବେ ହିଁ ବ୍ୟକ୍ତିସତ୍ତା ପରମ ସତ୍ୟ ଓ ବ୍ୟକ୍ତ ବିଶ୍ଵ ମଧ୍ୟରେ ସଚେତନ ମଧ୍ୟସ୍ଥ ହୋଇପାରେ ଏବଂ ପ୍ରକୃତିର ଯୋଗ ସାଧନାର ଧୀର ଅନିଶ୍ଚିତ ଗତି ମଧ୍ୟରେ ଅବତୀର୍ଣ୍ଣ ହୋଇ ତାକୁ ଦିବ୍ୟ ଯୋଗ ସାଧନାର କ୍ଷିପ୍ର, ପ୍ରଖର ଓ ନିଶ୍ଚିତ ଗତି ପ୍ରଦାନ କରିପାରେ ।
ଆଉ ଏହି ଭାବରେ ହିଁ କୌଣସି କୌଣସି ଯୁଗରେ ପୃଥିବୀର ଅଖଣ୍ଡ ଜୀବନଧାରା ଅତ୍ୟାଶ୍ଚର୍ଯ୍ୟଭାବେ ମଧ୍ୟବର୍ତ୍ତୀ ସୋପାନଶ୍ରେଣୀକୁ ଉଲ୍ଲଘନ କରିଯାଏ, ଅନ୍ୟ ସମୟରେ ଯାହା ପାର ହେବାକୁ ହୁଏ ତ ସହସ୍ର ସହସ୍ର ବର୍ଷ ଲାଗିଯାଆନ୍ତା ।

ହେ ଭଗବାନ୍ ! ବର୍ତ୍ତମାନ ମୁଁ ଯେତେଦୂର ବୁଝି ପାରୁଛି, ତୋର ଚିରନ୍ତନ ସଂକଳ୍ପ ପାଖରେ ପରିପୂର୍ଣ୍ଣ ଓ ସଚେତନ ଆତ୍ମସମର୍ପଣର ସ୍ଥିତି ମନ, ପ୍ରାଣ ଓ ଶରୀରର ପ୍ରତ୍ୟେକ କ୍ରିୟା, ପ୍ରତ୍ୟେକ ଗତିବୃତ୍ତର ପଶ୍ଚାତ୍ରେ ସ୍ଥିର ଓ ନିତ୍ୟ ହୋଇଉଠିଛି । ଏହି ଅବିଷୁବ୍ଧ ପ୍ରଶାନ୍ତି, ଏହି ଗଭୀର, ଅଚଞ୍ଚଳ, ଅବ୍ୟଭିଚାରୀ ଆନନ୍ଦ, ଯାହା ମୋତେ କେବେ ଛାଡ଼ିଯାଏ ନାହିଁ, ଏ ସବୁ କ’ଣ ତା’ର ପ୍ରମାଣ ନୁହେଁ ?

ନିଷିୟ ଏକାତା ଅର୍ଥାତ୍ ଯାବତୀୟ ବ୍ୟକ୍ତ ଆଧାର ମଧ୍ୟରେ ମନ, ପ୍ରାଣ ଓ ହୃଦୟ ସଙ୍ଗେ ଗ୍ରହିଷ୍ଣୁ ଏକାତା ବର୍ତ୍ତମାନ ସଂସିଦ୍ଧ ହୋଇଛି, ଏବଂ ଏହା ହିଁ ହେଲା ବିଶୁଦ୍ଧସତ୍ୟ ପାଖରେ ଆତ୍ମସମର୍ପଣର ଅପରିହାର୍ଯ୍ୟ ପରିଣତି ।

କିନ୍ତୁ ଚେତନା ଯେତେବେଳେ ସକ୍ରିୟ ପ୍ରାଣଶକ୍ତିରୂପେ ସକଳ ଜଡ଼ ଆଧାରକୁ ଜୀବନ୍ତ କରି ଗଠନ କରେ, ବୁଦ୍ଧିଶକ୍ତିରୂପେ ପ୍ରାଣକୁ ସୁସଂଗଠିତ କରେ, ପ୍ରେମରୂପେ ବୁଦ୍ଧିକୁ ଜ୍ଞାନଦୀପ୍ତ କରେ ଏବଂ ଏସବୁ ସକ୍ରିୟ ତଥା ପୂର୍ଣ୍ଣ ସଚେତନ ଭାବରେ, ଯୁଗପତ୍ସମଗ୍ର ତଥା କ୍ଷୁଦ୍ର ତମ ଅଂଶ ମଧ୍ୟରେ ଗୋଟାଏ ଅସୀମ ପୂର୍ଣ୍ଣତା ଓ ସୁନିର୍ଦ୍ଦିଷ୍ଟ ଶକ୍ତି ସହକରେ, ସେହିସବୁ ମୁହୂର୍ତ୍ତ ଆସେ ବିଚ୍ଛିନ୍ନ ଭାବେ କିନ୍ତୁ କ୍ରମଶଃ ଅବିଚ୍ଛିନ୍ନ ହୋଇ ସ୍ଥାୟୀ ହୋଇଉO ।

ଠିକ୍ ସେହିସବୁ ମୁହୂର୍ତ୍ତରେ ଦୁଇଟି ଚେତନା ଯୁଗପତ୍ର ଚାଲେ ଏବଂ ଗୋଟିଏ ଚେତନାରେ ମିଳାଇଯାଏ; ଅବର୍ଣ୍ଣନୀୟ, ବାକ୍ୟାତୀତ ସେ ଚେତନା, ଯାହା ମଧ୍ୟରେ ଏକ ହୋଇଯାଇଛି ଅକ୍ଷର ଅନନ୍ତ ଆଉ ଅନନ୍ତ ଗତି । ଏହି ସବୁ ମୁହୂର୍ତ୍ତରେ ହିଁ ବର୍ତ୍ତମାନର କାର୍ଯ୍ୟ ସଂସିଦ୍ଧ ହେବାକୁ ଆରମ୍ଭ କରେ ।