ଗଭୀର, ନୀରବ ଧ୍ୟାନ ମଧ୍ୟରେ ତୋ ଆଡ଼କୁ ମୁଁ ଯେପରି ଫେରିଯାଏ । ଏହି ଅଖଣ୍ଡ ସତ୍ତା ଏବଂ ତା’ର ସମସ୍ତ କାର୍ଯ୍ୟକଳାପକୁ ନେଇ ଯେପରି ତୋ ପାଦ ତଳେ ଅର୍ଘ୍ୟରୂପେ ଅର୍ପଣ କରିପାରେ । ଏହିସବୁ ବୃତ୍ତିରାଜିର ଖେଳା ଯେପରି ବନ୍ଦ କରିଦେଇପାରେ, ଏଇ ସକଳ ଚେତନାର ଧାରା ଯେପରି ଏକୀଭୂତ କରିପାରେ ଯାହାଫଳରେ ପରିଶେଷରେ ରହିଯିବ ଖାଲି ଗୋଟିଏ ମାତ୍ର ଧାରା ଯେ ତୋର ଆଦେଶ ଶୁଣିପାରିବ, ବୁଝିପାରିବ । ତା ମଧ୍ୟରେ ମୋତେ ପୁଣିଥରେ ବୁଡ଼ିଯିବାକୁ ଦେ, ପରମ ମଙ୍ଗଳମୟ ସାଗର ମଧ୍ୟରେ ଯେପରି, ସକଳ ଅଜ୍ଞାନ ସେ ଧୋଇଦେବ । ମନେହୁଏ ମୁଁ ବହୁତ ତଳକୁ ଓହ୍ଲାଇ ଯାଇଛି, ସଂଶୟ ଓ ଅନ୍ଧକାରର ଗୋଟିଏ ଅତଳ ଗହ୍ମର ମଧ୍ୟକୁ, ଯେପରି ତୋର ଚିରନ୍ତନ ଜ୍ୟୋତିର୍ଲିକ ଠାରୁ ମୁଁ ନିର୍ବାସିତ । କିନ୍ତୁ ମୁଁ ଜାଣେ ଏଇ ଅବତରଣ ମଧ୍ୟରେ ହିଁ ନିହିତ ଊର୍ଦ୍ଧ୍ୱତର ଉତ୍ତରଣର ସମ୍ଭାବନା, ସେଠାରୁ ବୃହତ୍ ଦିଗ୍ବଳୟକୁ ଆଲିଙ୍ଗନ କରିହୁଏ, ସ୍ପର୍ଶ କରାଯାଇ ପାରେ ଆଉଟିକେ ପାଖରୁ ତୋର ଅସୀମ ଆକାଶ ମଣ୍ଡପ । ଏଇ ତ ତୋ ଜ୍ୟୋତି ରହିଛି, ସ୍ଥିର, ଦିଗଦର୍ଶକ, ଅବିରଳ ଉଜ୍ଜ୍ୱଳ, ଗହରର ଗଭୀରରେ ଯେପରି, ଭାସ୍ଵର ପ୍ରକାଶ ମହିମାରେ ମଧ୍ୟ ସେହିପରି । ଚେତନା ମଧ୍ୟରେ ଚିରସ୍ଥାୟୀ ହୋଇ ବର୍ତ୍ତମାନ ବାସ କରୁଛି ପ୍ରଶାନ୍ତ ନିର୍ଭରତା, ଅଚଳ ଉଦାସୀନତା, ଅଟଳ ଅସଂଶୟତା… ମୁଁ ଯେପରି ଗୋଟିଏ ନୌକା, ବହୁ ଦିନ ଧରି ଗୋଟିଏ ବନ୍ଦର ମଧ୍ୟରେ ସେ thila, ତା’ର ଆନନ୍ଦ ଉପଭୋଗ କରିଛି; ବର୍ତ୍ତମାନ ସେ ପାଲ ଟେକିଛି, ଯଦିଓ ମେଘ ବର୍ଷଛି, ଝଡ଼ଝଞ୍ଜାଆସୁଛି, ସୂର୍ଯ୍ୟ ଢାଙ୍କି ହୋଇଯାଇଛି, ତଥାପି ସେ ଛୁଟି ଚାଲିବ ମହାନ୍ ଅଖେୟ ମଧ୍ୟରେ, ଅପରିଚିତ ତୀରଭୂମି ଆଡ଼କୁ, ନୂତନ ଦେଶଗୁଡ଼ିକର ଅଭିମୁଖେ ।
ହେ ଭଗବାନ୍ ! ମୁଁ ତୋର, କୌଣସି କୁଣ୍ଠା, କୌଣସି ପକ୍ଷପାତ ନାହିଁ । ତୋର ଇଚ୍ଛା ପୂର୍ଣ୍ଣ ହେଉ ତା’ର ଅଖଣ୍ଡ ଅବ୍ୟଭିଚାରୀ ଧାରାରେ । ମୋର ସମଗ୍ର ସତ୍ତା ତାକୁ ବରଣ କରିଛି, ସାନନ୍ଦ, ପ୍ରଶାନ୍ତ ଚିତ୍ତରେ ଗ୍ରହଣ କରିଛି ।
ଭବିଷ୍ୟତ୍ ସମ୍ପର୍କରେ ମୋର କୌଣସି ଧାରଣା ନାହିଁ । ତୁହିଁ ତୋର ବିଧାନର ଏକ ନବୀନ ତଥା ଅଧିକ ଉପଯୋଗୀ ଧାରଣା ଉଭବ କରିବୁ ।
ପୂର୍ଣ୍ଣାଙ୍ଗ ପ୍ରଣତି ଜାଳି, ଅଖଣ୍ଡ ନିର୍ଭରତା ନେଇ ମୁଁ ଅପେକ୍ଷା କରି ରହିଛି ତୋରି କଣ୍ଠ ପଥ-ନିର୍ଦେଶ କରିବ ।