Divine Light Online

ପାଠଚକ୍ର ସାଥୀ

ମାତଃ ଦୁର୍ଗେ ! ସିଂହବାହିନି ସର୍ବଶକ୍ତିଦାୟିନି ମାତଃ ଶିବପ୍ରିୟେ ! ତୋର ଶକ୍ତ୍ୟଂଶଜାତ ଆମ୍ଭେମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସୀନ, ପ୍ରାର୍ଥନା କରୁଛୁ– ଶୁଣ, ମାତଃ, ଏହି ଭାରତବର୍ଷେ ଆବିର୍ଭୂତ‌ ହୁଅ ,ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ଯୁଗେ ଯୁଗେ ମାନବଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋରହିଁ କାର୍ଯ୍ୟ କରି ତୋ ଆନନ୍ଦ ଧାମରେ ଫେରିଯାଉ । ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ, ଶୁଣ, ମାତଃ, ଏହି ଭାରତବର୍ଷେ,ଆବିର୍ଭୂତ‌ ହୁଅ,ସହାୟ ହୁଅ।।

ମାତଃ ଦୁର୍ଗେ ! ସିଂହବାହିନି, ତ୍ରିଶୂଳଧାରିଣି, ବର୍ମ-ଆବୃତ-ସୁନ୍ଦର-ଶରୀରେ ମାତଃ ଜୟଦାୟିନୀ ! ତୋ ପ୍ରତୀକ୍ଷାରେ ଭାରତ ରହିଅଛି, ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ । ଶୁଣ ମାତଃ, ଏହି ଭାରତବର୍ଷେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ବଳଦାୟିନି, ପ୍ରେମଦାୟିନି, ଜ୍ଞାନଦାୟିନି, ଶକ୍ତିସ୍ୱରୂପିଣି, ଭୀମେ, ସୌମ୍ୟ-ରୌଦ୍ର ରୂପିଣି ! ଜୀବନ-ସଂଗ୍ରାମେ, ଭାରତ-ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ, ଦିଅ ମା, ପ୍ରାଣେ, ମନେ ଅସୁରର ଶକ୍ତି, ଅସୁରର ଉଦ୍ୟମ, ଦିଅ ମା, ହୃଦୟରେ ବୁଦ୍ଧିରେ ଦେବଚରିତ୍ର, ଦେବଜ୍ଞାନ।।

ମାତଃ ଦୁର୍ଗେ ! ଜଗତ୍‌ଶ୍ରେଷ୍ଠ ଭାରତଜାତି ନିବିଡ଼ ତିମିରରେ ଆଛନ୍ନ ଥିଲା । ତୁହିଁ ମାତଃ,‌ ଗଗନପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ, ତୋର ସ୍ଵର୍ଗୀୟ ଶରୀରର ତିମିରବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା ।ଆଲୋକ ବିସ୍ତାର କର, ମାତଃ, ତିମିର ବିନାଶ କର।।

ମାତଃ ଦୁର୍ଗେ ! ଶ୍ୟାମଳା, ସର୍ବସୌନ୍ଦର୍ଯ୍ୟ – ଅଳଂକୃତା, ଜ୍ଞାନ-ପ୍ରେମ ଶକ୍ତିର ଆଧାର ଭାରତଭୂମି ତୋର ବିଭୂତି, ଆଜି ପର୍ଯ୍ୟନ୍ତ ଶକ୍ତିସଂହରଣରେ ଆତ୍ମଗୋପନ କରିଥିଲା । ଆଗତ ସେହି ଯୁଗ, ଆଗତ ସେହି ଦିନ, ଯେତେବେଳେ ସମଗ୍ର ବିଶ୍ଵର ଭାର ସ୍କନ୍ଧରେ ବହନ କରି ଭାରତଜନନୀ ଉଠୁଅଛି । ଆସ ମାତଃ, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ତୋର ସନ୍ତାନ ଆମ୍ଭେମାନେ, ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ, ମହତ୍ ଭାବର ଉପଯୁକ୍ତ ହେଉ । ହେ ମାତଃ ! ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ।।

ମାତଃ ଦୁର୍ଗେ ! କାଳୀରୁପିଣି, ନୃମୁଣ୍ଡମାଳିନି, ଦିଗମ୍ବରେ, କୃପାଣପାଣିଦେବି, ଅସୁରବିନାଶିନି ! କ୍ରୂରନିନାଦରେ ଅନ୍ତଃସ୍ଥରିପୁ ବିନାଶ କର, ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନ ପାରେ, ବିମଳ ନିର୍ମଳ ଯେପରି ହେଉ, ଏହି ପ୍ରାର୍ଥନା ମାତଃ, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ସ୍ଵାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ। ହେ ମାତଃ ଆମ୍ଭମାନଙ୍କୁ ମହତ୍ କର , ମହତ୍ ପ୍ରୟାସୀ କର, ଉଦାରଚେତା କର, ସତ୍ୟସଂକଳ୍ପ କର, ଯେପରି ଆଉ ଅଳ୍ପାଶୀ, ନିଶ୍ଚେଷ୍ଟ,, ଅଳସ, ଭୟଭୀତ ନ ହେଉ।।

ମାତଃ ଦୁର୍ଗେ ! ଯୋଗଶକ୍ତି ବିସ୍ତାର କର, ଆମେହଁ ତୋର ପ୍ରିୟ ଆର୍ଯ୍ୟ-ସନ୍ତାନ, ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତଶିକ୍ଷା, ଚରିତ୍ର, ମେଧାଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟଜ୍ଞାନ ବିକାଶ କରି ଜଗତରେ ବିତରଣ କର । ମାନବ ସହାୟେ ଦୁର୍ଗତିନାଶିନି ଜଗଦମ୍ବେ, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ଅନ୍ତଃସ୍ଥରିପୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର । ବଳଶାଳୀ, ପରାକ୍ରମୀ, ଉନ୍ନତଚେତା ଆର୍ଯ୍ୟଜାତି ଭାରତର ପବିତ୍ର କାନନେ, ଉର୍ବର କ୍ଷେତ୍ର, ଗଗନ-ସହଚର ପର୍ବତ-ତଳେ, ପୂତଃସଲିଳା ନଦୀତୀରେ ଏକତା, ପ୍ରେମ, ସତ୍ୟ, ଶକ୍ତି, ଶିଳ୍ପ, ସାହିତ୍ୟ, ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ, ମାତୃଚରଣରେ ଏହାହିଁ ପ୍ରାର୍ଥନା, ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ଆମ୍ଭମାନଙ୍କ ମଧ୍ୟରେ ଯୋଗବଳରେ ପ୍ରବେଶ କର।ଆମ୍ଭେମାନେ ହୋଇଉଠିବୁ ତୋର ଯନ୍ତ୍ର, ଅଶୁଭବିନାଶୀ ତରବାରୀ, ଅଜ୍ଞାନ ତିମିରବିନାଶୀ ପ୍ରଦୀପ, ଭାରତର ଯୁବକଗଣଙ୍କର ଏହି ବାସନା ପୂର୍ଣ୍ଣ କର । ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭହନ୍ତ୍ରୀ ହୋଇ ତରବାରି ଘୂରାଅ, ଜ୍ଞାନଦୀପ୍ତି-ପ୍ରକାଶିନୀ ହୋଇ ପ୍ରଦୀପ ଧର; ପ୍ରକାଶ ହୁଅ।।

ମାତଃ ଦୁର୍ଗେ ! ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ, ଶ୍ରଦ୍ଧା -ଭକ୍ତି-ପ୍ରେମର ଡୋରରେ ବାନ୍ଧି ରଖିବୁ । ଆସ ମାତଃ ! ଆମ୍ଭମାନଙ୍କ ମନ-ପ୍ରାଣ-ଶରୀରରେ ପ୍ରକାଶ ହୁଅ।।

ବୀରମାର୍ଗପ୍ରଦର୍ଶିନି, ଆସ ! ଆଉ ବିସର୍ଜନ କରିବୁ ନାହିଁ । ହେ ମାତଃ ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗାପୂଜା, ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବାବ୍ରତ ହେଉ, ଏହାହିଁ ପ୍ରାର୍ଥନା, ମାତଃ, ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ।।

𖣔︎ 

ଶ୍ରୀଅରବିନ୍ଦଃ ଶରଣଂ ମମ । ଶ୍ରୀମାତା ଶରଣଂ ମମ ।

𖣔︎ 

ଓଁ ନମୋ ଭଗବତେ ଶ୍ରୀଅରବିନ୍ଦାୟ ।

𖣔︎ 

ଓଁ ନମୋ ନମଃ ଶ୍ରୀମିରାମ୍ବିକାୟୈ ।

𖣔︎ 

“ ନମାମି ଶ୍ରୀମାତୃ ମିରାରବିନ୍ଦୈ ।
ଶ୍ରୀମାତୃ- ମିରାରବିନ୍ଦଃ ଶରଣଂ ମମ ।
ବିଜୟୈତାଂ ଶ୍ରୀମାତୃ– ମିରାରବିନ୍ଦୈ” ।

𖣔︎ 

Om Sri Aurobindo Mira Open my mind, my heart, my life to your Light, your Love, your Power. In all things may I see the Divine.
-Sri Aurobindo

ଓଁ ଶ୍ରୀଅରବିନ୍ଦ ମୀରା
ମୋର ମନ, ମୋର ହୃଦୟ, ମୋର ଜୀବନକୁ ତୁମର ଆଲୋକ, ତୁମର ପ୍ରେମ, ତୁମ ଶକ୍ତି ପ୍ରତି ଖୋଲିଧର, ପ୍ରତ୍ୟେକ ବସ୍ତୁରେ ମୁଁ ଯେପରି ଭଗବାନିକୁ ଦର୍ଶନ କରେ ।

ଓଁ ଶ୍ରୀଅରବିନ୍ଦ ମିରେ । ପ୍ରକାଶଂ କୁରୁ ମେ ଚିତ୍ତ, ମନୋ ଜୀବନମ, ତବ ଶକ୍ତିଶ୍ଚ, ପ୍ରେମେଶ୍ଚ, ଜ୍ୟୋତି ବିଧାୟମ, ସର୍ବଭୂତେ ପରାନିତ୍ୟଂ ପଶ୍ୟମେନଂ ବିଧେୟମ୍ ।

𖣔︎ 

ଓଁ ଆନନ୍ଦମୟି, ଚୈତନ୍ୟମୟି, ସତ୍ୟମୟି ପରମେ

ହେ ଆନନ୍ଦମୟି, ହେ ଚୈତନ୍ୟମୟି, ହେ ସତ୍ୟମୟି, ପରମା ମାଆ

(ଭାବାର୍ଥ – ମୋତେ ତୁମର ଆନନ୍ଦ, ଚେତନା ଓ ସତ୍ୟ ପ୍ରଦାନ କର)

OM O Mother of Delight,
O Mother of Consciousness,
O Mother of Truth, O Supreme !
-Sri Aurobindo

𖣔︎ 

O Sri Aurobindo Thou art That Being, and the Light!

ଓଁ ତତ୍ ସତ୍ ଜ୍ୟୋତିରରବିନ୍ଦ !

ଓଁ ହେ ଶ୍ରୀଅରବିନ୍ଦ ! ତୁମେ ହିଁ ଓଁ ରୂପୀ ମହାବାକ୍, ତୁମେ ସେହି ପରମ ପୁରୁଷ, ତୁମେହିଁ ସତ୍ ସ୍ବରୂପ ଓ ଜ୍ୟୋତିଃ ସ୍ୱରୂପ ।

(ଭାବାର୍ଥ :- ମୁଁ ତୁମର ଆରାଧନା କରୁଛି ।ତୁମର ସତ୍ୟ ଓ ଜ୍ୟୋତି ଆମ୍ଭମାନଙ୍କୁ ପ୍ରଦାନ କର ।)

𖣔︎ 

O Sri Aurobindo, Thou art Truth, Knowledge and Light !

ଓଁ ସତ୍ୟଂ ଜ୍ଞାନଂ ଜ୍ୟୋତିରରବିନ୍ଦ ! ଓଁ, ହେ ଶ୍ରୀଅରବିନ୍ଦ ! ତୁମେ ସତ୍ୟ, ତୁମେ ଜ୍ଞାନ, ତୁମେ ଜ୍ୟୋତି ।

(ଭାବାର୍ଥ – ତୁମକୁ ମୁଁ ଆରାଧନା କରୁଛି, ତୁମର ସତ୍ୟ, ଜ୍ଞାନ ଓ ଜ୍ୟୋତି ଆମ୍ଭମାନଙ୍କୁ ପ୍ରଦାନ କର ।)

𖣔︎ 

ସମର୍ପଣ ମନ୍ତ୍ର
In all pursuits, intellectual or active your one motto should be, “REMEMBER AND OFFER”.
– The Mother

ସକଳ କର୍ମରେ ତାହା ମାନସିଳ ହେଉ ଅଥବା ଶାରୀରିକ ହେଉ ତୁମ ସମ୍ମୁଖରେ ଯେଉଁ ଏକମାତ୍ର ନୀତିବାକ୍ୟ ରହିବା ଉଚିତ, ତାହା ହେଲା- “ସ୍ମରଣ ରଖ ଓ ସମର୍ପଣ କର”।
-ଶ୍ରୀମା

𖣔︎ 

ନୀରବତା ନିମନ୍ତେ ପ୍ରାର୍ଥନା
Supreme Lord, teach us to be silent so that in silence we may receive Thy force and understand Thy will.
– The Mother

ପରମ ପ୍ରଭୁ, ନୀରବ ହେବା ଲାଗି ଆମକୁ ଶିକ୍ଷା ଦିଅ ଯାହାଦ୍ୱାରା ନୀରବତାରେ ଆମେ ତୁମର ଶକ୍ତି ଗ୍ରହଣ କରିପାରିବୁ ଏବଂ ତୁମ ଇଚ୍ଛାକୁ ବୁଝି ପାରିବୁ ।
– ଶ୍ରୀମା

𖣔︎ 

Supreme Lord, Eternal truth Let us obey Thee alone and live according to truth.
-The Mother (June, 1971)

ପରମୋଚ୍ଚ ପ୍ରଭୋ ସତ୍ୟ
ନିତ୍ୟ ଦ୍ବାମେବ କେବଳମ୍
ଅନୁବର୍ତ୍ତାମହୈ ସତ୍ୟଂ
ମନୁଜୀବାମ କେବଳମ ।।

(ଭାବାର୍ଥ :- ହେ ପରମ ପ୍ରଭୁ, ଶାଶ୍ବତ ସତ୍ୟ, ଆମ୍ଭେମାନେ କେବଳ ତୁମରି ଆଜ୍ଞାବହ ହୋଇଉଠୁ ଏବଂ ସତ୍ୟର ବିଧାନକୁ ଆଶ୍ରୟ କରି ଜୀବନ ଧାରଣ କରୁ । )

𖣔︎ 

OM NAMO BHAGAVATE
These three words For me they meant:
OM (implore the Supreme Lord)
NAMO (Pranam (Obeisance ) to Him) BHAGAVATE (make me divine)

-The Mother (14.3.1973)

ଓଁ ନମୋ ଭଗବତେ
ଏହି ତିନୋଟି ଶବ୍ଦର ଅର୍ଥ ମୋ ପାଇଁ ଏଇ ଭଳି ।
ଓଁ (ମୁଁ ପରମ ପ୍ରଭୁଙ୍କୁ ଆବାହନ କରୁଛି)
ନମୋ (ତାଙ୍କୁ ପ୍ରଣାମ କରୁଛି)
ଭଗବତେ (ମୋତେ ଦିବ୍ୟ କରି ଗଢ଼ି ତୋଳନ୍ତୁ)
– ଶ୍ରୀମା

𖣔︎ 

ଶ୍ରୀଅରବିନ୍ଦଙ୍କ ଗାୟତ୍ରୀ ମନ୍ତ୍ର

Let us meditate On the most auspicious form of Savitri, on the Light of Supreme which shall illumine us with the Truth.

ତତ୍‌ସବିତୁବରଂ ରୂଫ ଜ୍ୟୋତିଃ ପରସ୍ୟ ଧୀମହି । ୟନ୍ନଃ ସତ୍ୟେନ ଦୀପୟେତ୍ ।।

(ସବିତାଙ୍କର ସେହି ଶ୍ରେଷ୍ଠ ମଙ୍ଗଳମୟ ରୂପ, ପରମଙ୍କର ଦିବ୍ୟ ଜ୍ୟୋତିକୁ ଆସ ଆମ୍ଭେମାନେ ଧ୍ୟାନ କରିବା, ଯାହା ଆମକୁ ସତ୍ୟରେ ସନ୍ଦୀପିତ କରିବ ।)

𖣔︎ 

ବୈଦିକ ମନ୍ତ୍ର

ଅସତୋ ମା ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମାଽମୃତଂ ଗମୟ । ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ତଥାସ୍ତୁ
-ଶ୍ରୀଅରବିନ୍ଦ

(ଅର୍ଥାତ୍:- ହେ ଅମୃତମୟୀ ! ଅସତ୍‌ରୁ ସତ୍, ଅନ୍ଧକାରରୁ ଆଲୋକ, ମୃତ୍ୟୁରୁ ଅମୃତତ୍ବ ଆଡକୁ ମୋତେ ନେଇଚାଲ ।)

BAIDIC MANTRA
From the non-being to true being, From the darkness to the Light, From death to Immortality. Om Peace ! Peace ! Peace ! So be it.
Upanishad – Sri Aurobindo

ପହିଲି ଦେଖାରେ ଜାଣିଲି
ପ୍ରାଣ ପ୍ରଭୁ ଈଶ୍ଵର
ହୃଦୟ ଦେବତା ଘେନିବା
ହେଉ ଅର୍ଘ୍ୟ ମୋହର ।
ସବୁ ମୋ ଭାବନା ଆବେଗ
ଅନୁଭୂତି ଅନ୍ତରେ
ଜୀବନର ଗତି ସକଳ
ପ୍ରତି ଅଣୁ ଶରୀରେ ।
ପ୍ରତି ରକ୍ତ ବିନ୍ଦୁ ମୋହର
ପ୍ରଭୁ ସିନା ତୁମରି
ଏକାନ୍ତେ ମୁହିଁ ସର୍ବମନ୍ତେ
ନିଶ୍ଚିନ୍ତେ ମୁଁ ତୁମରି ।
ମୋର ବୋଲି କିଛି ରଖିନି
ହେଉ ଇଚ୍ଛା ପୂରଣ
ଯାହା ବାଛି ଦେବ ମୋ ପାଇଁ
ଜୀବନ ବା ମରଣ ।
ସୁଖ ଦୁଃଖ ଭୋଗ ବେଦନା
ଯାହା ଆସୁ ମୋ ପାଶେ
ତୁମ୍ଭ ଦାନ ବୋଲି ଆଦରେ
ବରି ନେବି ହରଷେ ।
ଗୋଟି ଗୋଟି ତୁମ୍ଭ ଦାନ ମୋ
ଠାରେ ଦିବ୍ୟ ସଂପଦ
ବୋହି ଆଣିବ ମୋ ସମୀପେ
ଅପରୂପ ଆନନ୍ଦ ।
– ଶ୍ରୀମା

ଯଦି ଜୀବନ-ପଥରେ ସକଳ ଭୟ, ସଙ୍କଟ ଏବଂ ସର୍ବନାଶ ବିରୋଧରେ କବଚାବୃତ ହୋଇ ଚାଲିବାକୁ ଚାହିଁ, ତେବେ କେବଳ ଦୁଇଟି ଜିନିଷ ପ୍ରୟୋଜନ – ସେ ଦୁଇଟି ସର୍ବଦା ଏକସଙ୍ଗେ ରହେ । ପ୍ରଥମଟି ହେଲା ମା ଭଗବତୀଙ୍କ କରୁଣା, ଆଉ ଦ୍ବିତୀୟଟି ହେଲା ତୁମ ଆଡୁ ଶ୍ରଦ୍ଧା, ନିଷ୍ଠା, ସମର୍ପଣରେ ଗଠିତ ତୁମର ଅନ୍ତଃକରଣ । ତୁମର ଶ୍ରଦ୍ଧା ହେବା ଉଚିତ ଶୁଦ୍ଧ, ସରଳ ଏବଂ ପୂର୍ଣ୍ଣ । ମନ ଓ ପ୍ରାଣର ଅହମାତ୍ମକ ଶ୍ରଦ୍ଧା, ଯେଉଁ ଶ୍ରଦ୍ଧାକୁ ଉଚ୍ଚାଭିଳାଷ, ଗର୍ବ, ଆତ୍ମାଭିମାନ, ମନର ଦମ୍ଭ, ସ୍ୱେଚ୍ଛାଚାରିତା, ବ୍ୟକ୍ତିଗତ ଦାବି, ନିମ୍ନ ପ୍ରକୃତିର ସକଳ ତୁଚ୍ଛ ତୃପ୍ତିର କାମନା କଳୁଷିତ କରି ରଖିଛି, ସେ ଶ୍ରଦ୍ଧାର ଅନୁନ୍ନତ ଧୂମାଚ୍ଛନ୍ନ ଶିଖା ସ୍ୱର୍ଲୋକ ଦିଗରେ ଉର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହୋଇଉଠେ ନାହିଁ । ମନେରଖ ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆ ହୋଇଛି । ଆଉ କିଛି ଆକାଂକ୍ଷା କର ନାହିଁ – କେବଳ ଦିବ୍ୟ ଚେତନାର ବିଶୁଦ୍ଧି, ଶକ୍ତି, ଜ୍ୟୋତି, ପ୍ରସାରିତା, ପ୍ରଶାନ୍ତି, ଆନନ୍ଦ ସକାଶେ ଆକାଂକ୍ଷା କର ଯେପରିକି ସେହି ଚେତନା ତୁମ ମନ, ପ୍ରାଣ, ଦେହକୁ ରୂପାନ୍ତରିତ ଓ ସର୍ବାଙ୍ଗସୁନ୍ଦର କରି ଗଢ଼ିବା ନିମିତ୍ତ ସତତ ସଚେଷ୍ଟ ହୋଇଉଠିବ । ଆଉ କିଛି ଚାହଁ ନାହିଁ, କେବଳ ପୃଥିବୀ ଉପରେ, ତୁମ ମଧ୍ୟରେ, ଯେଉଁମାନେ ଅଧିକାର ପାଇଛନ୍ତି, ଯେଉଁ ମାନଙ୍କୁ ଗ୍ରହଣ କରାହୋଇଛି, ସେମାନଙ୍କ ମଧ୍ୟରେ ଭାଗବତ, ଆଧ୍ୟାତ୍ମିକ, ଅତିମାନସ ସତ୍ୟ ଓ ତାହାର ବାସ୍ତବ ସିଦ୍ଧିକୁ ଚାହଁ ଏବଂ ଚାହଁ ସେହି ଅବସ୍ଥା ଓ ବ୍ୟବସ୍ଥା ଯାହାର ଆନୁକୂଲ୍ୟରେ ହେବ ଏହି ସତ୍ୟର ସୃଷ୍ଟି ଏବଂ ସକଳ ବିରୋଧୀ ଶକ୍ତି ଉପରେ ପୂର୍ଣ୍ଣ ବିଜୟ ।

 
ତୁମର ଆନ୍ତରିକତା ଓ ତୁମର ସମର୍ପଣ ହେଉ ଯଥାର୍ଥ ଏବଂ ସମ୍ପୂର୍ଣ୍ଣ । ଯେବେ ତୁମକୁ ନିଜକୁ ଦେଇ ଦେବାକୁ ହୁଏ, ତେବେ ନିଃଶେଷରେ ଦେଇ ଦିଅ, କୌଣସି ଦାବି, କୌଣସି ସର୍ତ୍ତ, କୌଣସି କୁଣ୍ଠିତ ଭାବ ରଖ ନାହିଁ, ଯଦ୍ଦ୍ୱାରା ତୁମର ସକଳ ବସ୍ତୁ ଦିବ୍ୟଜନନୀଙ୍କର ହୋଇଯିବ, ଅହଂକାର ପାଇଁ ଅଥବା ଅନ୍ୟ କୌଣସି ଶକ୍ତିକୁ ଦେବା ସକାଶେ ଯେପରି ଆଉ କିଛି ଅବଶିଷ୍ଟ ନ ଥିବ ।


ତୁମର ଶ୍ରଦ୍ଧା, ତୁମର ଆନ୍ତରିକତା ଓ ସମର୍ପଣ ଯେତେ ପୂର୍ଣ୍ଣତର ହେବ, ମା’ଙ୍କର କରୁଣା ଓ ଅଭୟ ସେତେହିଁ ଘେରି ରହିବ । ଯଦି ମା ଭଗବତୀଙ୍କର କରୁଣା ଓ ଅଭୟ ତୁମ ସଙ୍ଗେ ରହିଛି, ତେବେ ଆଉ ଏପରି କ’ଣ ଅଛି ଯାହା ତୁମକୁ ସ୍ପର୍ଶ କରିବ ବା ଆଉ କାହାକୁ ତୁମେ ଭୟ କରିବ ? ଏହି କୃପାରୁ ଅଳ୍ପ ଟିକିଏ ବି ତୁମକୁ ସକଳ ବାଧା ବିପତ୍ତି ଓ ସଙ୍କଟରୁ ପାର କରିଦେବ; ତାଙ୍କର ପୂର୍ଣ୍ଣ ଉପସ୍ଥିତି ଯଦି ତୁମକୁ ଆବୃତ କରି ରଖେ, ତେବେ ନିରାପଦରେ ତୁମ ପଥରେ ତୁମେ ଚାଲିଯାଇ ପାରିବ, କାରଣ ସେ ପଥ ହେଲା ମା’ଙ୍କର; ଏ ଜଗତରେ ହେଉ ବା ଅଦୃଶ୍ୟ ଜଗତସମୂହରେ ହେଉ, କୌଣସି ଶତ୍ରୁଶକ୍ତି , ତାହା ଯେତେ ଶକ୍ତିଶାଳୀ ହେଉ ନା କାହିଁକି, ତୁମକୁ ସ୍ପର୍ଶ କରିପାରିବ ନାହିଁ; କୌଣସି ବିଭୀଷିକା ତୁମ ଚିନ୍ତାର କାରଣ ହୋଇପାରିବ ନାହିଁ । ଏହି କରୁଣାର ସ୍ପର୍ଶରେ ସଙ୍କଟ ସୁଯୋଗରେ, ବ୍ୟର୍ଥତା ସାର୍ଥକତାରେ, ଦୁର୍ବଳତା ଅମୋଘ ସାମର୍ଥ୍ୟରେ ପରିଣତ ହୁଏ । କାରଣ ଦିବ୍ୟଜନନୀଙ୍କର ଅନୁକମ୍ପା ହେଲା ପରମେଶ୍ଵରଙ୍କ ଅନୁମତି । ଏବେ ହେଉ ବା ପରେ ହେଉ, ତାହାର ଫଳ ସୁନିଶ୍ଚିତ, ପୁର୍ବନିର୍ଦିଷ୍ଟ, ଅବଶ୍ୟମ୍ଭାବୀ ଓ ଅନିବାର୍ଯ୍ୟ ।

ଯଦି ତୁମେ ଦିବ୍ୟକର୍ମର ଯଥାର୍ଥ କର୍ମୀ ହେବାକୁ ଚାହଁ, ତେବେ ତୁମର ଲକ୍ଷ୍ୟ ପ୍ରଥମେ ହେବ ସମସ୍ତ ବାସନାରୁ, ଆତ୍ମସର୍ବସ୍ଵ ଅହଂକାରରୁ ନିଜକୁ ପୂର୍ଣ୍ଣରୂପେ ମୁକ୍ତ କରିବା । ତୁମର ସମସ୍ତ ଜୀବନ ହେବ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ଏକ ନିବେଦନ ଓ ଆତ୍ମଦାନ; କର୍ମରେ ତୁମର ଏକମାତ୍ର ଲକ୍ଷ୍ୟ ହେବ ଭାଗବତୀ ଶକ୍ତିଙ୍କ ଲୀଳାରେ ତାଙ୍କର ସେବକ ହେବା, ତାଙ୍କୁ ଧାରଣ କରିବା, ସାର୍ଥକ କରିବା, ତାଙ୍କ ପ୍ରକାଶର ଯନ୍ତ୍ର ହେବା । ଭାଗବତ ଚେତନାରେ ତୁମକୁ ପୂର୍ଣ୍ଣତର ହୋଇ ଉଠିବାକୁ ହେବ, ଯେପରି ଶେଷରେ ତୁମର ଇଚ୍ଛା ଏବଂ ତାଙ୍କର ଇଚ୍ଛା ମଧ୍ୟରେ କୌଣସି ପାର୍ଥକ୍ୟ ନ ରହେ, ତାଙ୍କର ପ୍ରେରଣା ବ୍ୟତୀତ ଆଉ କୌଣସି ସଂକଳ୍ପ ତୁମ ମନ ମଧ୍ୟରେ ସ୍ଥାନ ନ ପାଏ, ତାଙ୍କର ସଜ୍ଞାନ କର୍ମ ବ୍ୟତୀତ ତୁମ ମଧ୍ୟରେ ଏବଂ ତୁମକୁ ଆଶ୍ରୟ କରି ଆଉ କୌଣସି କର୍ମ ଯେପରି ନ ହୁଏ ।

ଯେତେଦିନ ପର୍ଯ୍ୟନ୍ତ ତୁମେ ଏହି ସମ୍ପୂର୍ଣ୍ଣ ସକ୍ରିୟ ଏକତ୍ଵ ସ୍ଥାପନ କରି ନ ପାରିଛ ସେତେଦିନ ପର୍ଯ୍ୟନ୍ତ ତୁମକୁ ମନେ କରିବାକୁ ହେବ ଯେ ତୁମେ ଦେହ ଓ ଆତ୍ମା ନେଇ ସୃଷ୍ଟ ହୋଇଛ ମା’ଙ୍କର ସେବା ନିମିତ୍ତ ଏବଂ ତୁମର ସମସ୍ତ କର୍ମ ହେବ ତାଙ୍କର ପ୍ରୀତ୍ୟର୍ଥେ । ପୃଥକ୍ କର୍ତ୍ତୃତ୍ଵବୋଧ ଯଦି ତୁମ ମଧ୍ୟରେ ପ୍ରବଳ ଥାଏ, ତୁମେ ଯଦି ଅନୁଭବ କର ଯେ ତୁମେ ସ୍ବୟଂ କର୍ମ କରୁଛ, ତେବେ ବି ସେହି କର୍ମ କରିବ ତାଙ୍କରି ଉଦ୍ଦେଶ୍ୟରେ । ଅହଂକାରର ନିଜ ଅଭିରୁଚି ଉପରେ ସମସ୍ତ ଝୁଙ୍କ୍, ବ୍ୟକ୍ତିଗତ ଯାବତୀୟ ଲାଭର ଲାଳସା, ଆତ୍ମସର୍ବସ୍ବ ବାସନାର ସମସ୍ତ ପ୍ରତ୍ୟାଶା ସ୍ବଭାବରୁ ମୂଳୋତ୍ପାଟିତ କରିବାକୁ ହେବ । ଫଳ ନିମିତ୍ତ କୌଣସି ଦାବି, ପୁରସ୍କାର ନିମିତ୍ତ କୌଣସି ଆକାଂକ୍ଷା ରହିବ ନାହିଁ; ଏକମାତ୍ର ତୁମେ ଯେଉଁ ଫଳ ଚାହିଁବ ତାହା ହେଲା ମା ଭଗବତୀଙ୍କର ତୃପ୍ତି, ତାଙ୍କ କର୍ମର ସିଦ୍ଧି, ତୁମର ଏକମାତ୍ର ପୁରସ୍କାର ହେବ ଭାଗବତ ଚେତନାରେ ଶାନ୍ତି, ଶକ୍ତି ଓ ଆନନ୍ଦ ମଧ୍ୟରେ ଅବିରାମ ପ୍ରଗତି । ସେବାର ଆନନ୍ଦ, କର୍ମ ସାହାଯ୍ୟରେ ଆନ୍ତର ପୁଷ୍ଟିର ଆନନ୍ଦ,– ନିରହଂକାର କର୍ମୀ ପକ୍ଷରେ ଏହାହିଁ ଯଥେଷ୍ଟ ପୁରସ୍କାର।

କିନ୍ତୁ ଏପରି ଦିନ ଆସିବ ଯେତେବେଳେ ତୁମେ କ୍ରମଶଃ ଅନୁଭବ କରିପାରିବ ଯେ ତୁମେ କର୍ମୀ ନୁହଁ, ଯନ୍ତ୍ର। କାରଣ ପ୍ରଥମତଃ ଅନନ୍ୟନିଷ୍ଠା ବଳରେ ମା’ଙ୍କ ସଙ୍ଗରେ ତୁମର ମିଳନ ଏପରି ଘନିଷ୍ଠ ହୋଇଉଠିବ ଯେ ତାଙ୍କର ଆଶୁ ନିର୍ଦେଶ ଓ ପ୍ରେରଣା ସକାଶେ କେବଳ ଏକାଗ୍ର ହୋଇ ତାଙ୍କ ହାତରେ ସର୍ବସ୍ବ ଅର୍ପଣ କରିବାକୁ ହେବ – କ’ଣ କରିବାକୁ ହେବ, କି ଉପାୟରେ କରିବାକୁ ହେବ ଏବଂ ତା’ର ଫଳ କ’ଣ ହେବ, ଏ ସମସ୍ତର ଅଭ୍ରାନ୍ତ ଇଙ୍ଗିତ ମିଳିବ । ଏହାପରେ ତୁମର ଉପଲବ୍ଧି ହେବ ଯେ ଭାଗବତୀ ଶକ୍ତି କେବଳ ପ୍ରେରଣା ଦିଅନ୍ତି ନାହିଁ, ପଥ ଦେଖାଇ ଚଳାନ୍ତି ନାହିଁ, କିନ୍ତୁ ତୁମ କର୍ମର ପ୍ରବର୍ତ୍ତନ ଓ ଉଦ୍‌ଯାପନ ସେହି କରନ୍ତି; ସେହିଁ ତୁମର ସମସ୍ତ ଗତିର ଉତ୍ସ, ତୁମର ସମସ୍ତ ଶକ୍ତି ତାଙ୍କର, ତୁମର ମନ-ପ୍ରାଣ-ଦେହ ତାଙ୍କ କ୍ରିୟାର ଆନନ୍ଦମୟ ସଚେତନ ଯନ୍ତ୍ର, ତାଙ୍କ ଲୀଳାର ଉପକରଣ, ସ୍ଥୂଳ ଜଗତରେ ତାଙ୍କର ପ୍ରକାଶର ଆଧାର । ଏହି ଐକ୍ୟ ଓ ନିର୍ଭରତା ଅପେକ୍ଷା ଆଉ କିଛି ଅଧିକ ଆନନ୍ଦଦାୟକ ଅବସ୍ଥା ହୋଇ ନ ପାରେ । ଏହି ଅବସ୍ଥାରେ ଉନ୍ନୀତ ହେଲେ ଅଜ୍ଞାନର ସଙ୍ଘର୍ଷସଙ୍କୁଳ ବେଦନାମୟ ଜୀବନର ସୀମା ପାର ହୋଇ ଅଧ୍ୟାତ୍ମସତ୍ତାର ସତ୍ୟରେ ତଥା ତାହାର ଗଭୀର ଶାନ୍ତି ଏବଂ ପରମ ଆନନ୍ଦ ମଧ୍ୟରେ ତୁମେ ପ୍ରବେଶ କରିବ ।

ଏହି ରୂପାନ୍ତର ହେଉଥିବା ସମୟରେ ତୁମେ ବିଶେଷରୂପେ ଅହଂକାରର ସମସ୍ତ ବିକୃତି-ଦୋଷରୁ ନିଜକୁ ମୁକ୍ତ ରଖୁବା ଉଚିତ । ତୁମର ଆତ୍ମଦାନ ଓ ଉତ୍ସର୍ଗର ନିର୍ମଳତାକୁ କୌଣସି ଦାବି, କୌଣସି ଜିଦ୍ ଯେପରି କଳଙ୍କିତ ନ କରେ । କର୍ମ ବା କର୍ମଫଳରେ କୌଣସି ଆସକ୍ତି ରଖିବ ନାହିଁ, ଯେଉଁ ଦିବ୍ୟ ଶକ୍ତି ତୁମକୁ ଅଧିକାର କରିବ, ତାକୁ ତୁମେ ଅଧିକାର କରିବାକୁ ଦାବି କରିବ ନାହିଁ, ଯନ୍ତ୍ର ବୋଲି ଗର୍ବ କରିବ ନାହିଁ, ଆତ୍ମମ୍ଭରିତା ଓ ଔଦ୍ଧତ୍ୟକୁ କୌଣସି ସ୍ଥାନ ଦେବ ନାହିଁ । ତୁମର ମନ, ପ୍ରାଣ, ଶରୀର ମଧ୍ୟରେ ଏପରି କିଛିକୁ ରହିବାକୁ ଦେବ ନାହିଁ ଯାହା ତୁମ ଭିତର ଦେଇ ଯେଉଁ ମହତୀ ଶକ୍ତିରାଜି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ କୌଣସି ପ୍ରକାରେ ନିଜର ବ୍ୟବହାର ପାଇଁ ବିକୃତ କରିପାରେ ବା ନିଜର ବ୍ୟକ୍ତିଗତ ସ୍ଵତନ୍ତ୍ର ତୃପ୍ତି ପାଇଁ ଅଧିକାର କରିପାରେ । ତୁମର ଶ୍ରଦ୍ଧା, ତୁମର ଐକାନ୍ତିକତା, ତୁମର ଆସ୍ପୃହାର ଶୁଦ୍ଧତା ଯେପରି ପରମ ପରାକାଷ୍ଠା ପ୍ରାପ୍ତ ହୁଏ, ତହିଁରେ ତୁମ ସତ୍ତାର ସକଳ ଭୂମି, ସକଳ ସ୍ତରକୁ ଯେପରି ପରିପୂର୍ଣ୍ଣ କରି ରଖେ । ତା’ହେଲେ ଯେଉଁ ସମସ୍ତ ଉପକରଣ ବିକ୍ଷୋଭ ସୃଷ୍ଟି କରେ, ଯେଉଁ ସବୁ ପ୍ରଭାବ ବିକୃତିକୁ ଜନ୍ମ ଦିଏ, ସେସବୁ କ୍ରମଶଃ ତୁମ ପ୍ରକୃତିରୁ ଦୂର ହୋଇଯିବ ।

ଏହି ସିଦ୍ଧିର ଶେଷ ଅବସ୍ଥା ଆସିବ ଯେତେବେଳେ ତୁମେ ମା ଭଗବତୀଙ୍କ ସଙ୍ଗରେ ସମ୍ପୂର୍ଣ୍ଣ ଏକୀଭୂତ ହେବ, ଯେତେବେଳେ ଏ ବୋଧ ତୁମର ରହିବ ନାହିଁ ଯେ ତୁମେ ଏକ ଭିନ୍ନ, ପୃଥକ୍ ସତ୍ତା, ଯନ୍ତ୍ର, ସେବକ ବା କର୍ମୀ; ତୁମେ ଅନୁଭବ କରିବ ଯେ ପ୍ରକୃତରେହିଁ ତୁମେ ମା’ଙ୍କର ସନ୍ତାନ, ତାଙ୍କ ଚେତନା ଓ ଶକ୍ତିର ସନାତନ ଅଂଶ, ସତତ ସେ ତୁମ ମଧ୍ୟରେ ଓ ତୁମେ ତାଙ୍କ ମଧ୍ୟରେ; ତୁମର ସମସ୍ତ ଚିନ୍ତା, ସମସ୍ତ ଦୃଷ୍ଟି, ସମସ୍ତ କର୍ମ, ପ୍ରତି ନିଃଶ୍ୱାସ-ପ୍ରଶ୍ଵାସ, ପ୍ରତ୍ୟେକ ଗତିବୃତ୍ତି ତାଙ୍କଠାରୁ ଆସିଛି, ସେସବୁ ତାଙ୍କରି,– ଏହି ହେବ ତୁମର ସହଜ, ସ୍ଵାଭାବିକ ଓ ନିରବଚ୍ଛିନ୍ନ ଉପଲବ୍ଧି । ତୁମେ ଜାଣିବ, ଦେଖିବ, ଅନୁଭବ କରିବ ଯେ ଜଗନ୍ମାତା ତୁମକୁ ଏକ ବିଶେଷ ବ୍ୟକ୍ତି ଓ ଶକ୍ତିରୂପେ ତାଙ୍କର ନିଜର ସତ୍ତାରୁ ନିଜେହିଁ ଗଢ଼ିଛନ୍ତି, ଲୀଳା ନିମିତ୍ତ ବାହାରକୁ ପ୍ରକଟ କରି ଧରିଛନ୍ତି, ତେବେ ବି ସର୍ବଦାହିଁ ତୁମେ ତାଙ୍କ ମଧ୍ୟରେ ନିରାପଦରେ ରହିଛ, ତାଙ୍କ ସତ୍ତାର ତୁମେ ସତ୍ତା, ତାଙ୍କରି ଚେତନାର ତୁମେ ଚେତନା, ତାଙ୍କରି ଶକ୍ତିର ତୁମେ ଶକ୍ତି, ତାଙ୍କରି ଆନନ୍ଦର ତୁମେ ଆନନ୍ଦ । ଯେତେବେଳେ ଏହି ଅବସ୍ଥା ତୁମ ମଧ୍ୟରେ ପୂର୍ଣ୍ଣାଙ୍ଗତା ପ୍ରାପ୍ତ ହେବ, ଯେତେବେଳେ ତାଙ୍କର ଅତିମାନସ ତେଜୋରାଜି ତୁମକୁ ଅବାଧରେ ପରିଚାଳିତ କରିପାରିବ, ସେତେବେଳେ ହେବ ଦିବ୍ୟକର୍ମରେ ତୁମର ସର୍ବାଙ୍ଗସୁନ୍ଦର ସିଦ୍ଧି; ଜ୍ଞାନ, ସଂକଳ୍ପ, କର୍ମ ହେବ ଅଭ୍ରାନ୍ତ, ସରଳ, ଜ୍ୟୋତିର୍ମୟ, ସ୍ବତଃସ୍ଫୁର୍ଭ, ନିର୍ଦୋଷ-ପରମେଶ୍ୱରଙ୍କଠାରୁ ଉତ୍ସାରିତ ଏକ ପ୍ରବାହ, ଶାଶ୍ଵତଙ୍କର ଏକ ଦିବ୍ୟଗତି ।

ବିଘ୍ନବିନାଶନ ହେ ଭଗବାନ୍! ଜୟ ହେଉ ତୋର।
ଆମ୍ଭମାନଙ୍କ ଅନ୍ତରରେ କିଛିହେଲେ ଯେପରି ତୋ କାର୍ଯ୍ୟରେ ଆଉ ବିଘ୍ନ ନ ଘଟାଏ।
କିଛିହେଲେ ଯେପରି ତୋ ଆବିର୍ଭାବରେ ବିଳମ୍ବ ନ ଘଟାଏ।
ସକଳ ବିଷୟରେ, ପ୍ରତ୍ୟେକ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୋର ଇଚ୍ଛା।
ତୋ ସମ୍ମୁଖରେ ଛିଡ଼ାହୋଇଛୁ ଆମ୍ଭେମାନେ – ତୋର ଇଚ୍ଛାହିଁ ଆମ୍ଭମାନଙ୍କ ମଧ୍ୟରେ, ଆମ୍ଭମାନଙ୍କ ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ।
ତୋଠାରେ ଆମ୍ଭମାନଙ୍କ ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀଣ, ଚିରନ୍ତନ।
ଆମ୍ଭେମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସଂପୂର୍ଣ୍ଣରୂପେ ତୋ ପ୍ରଭାବର ଅଧୀନରେ ରହିବାକୁ।
ଆମ୍ଭେମାନେ କେବେହେଁ ଯେପରି ନ ଭୁଲୁ – ତୋ ନିକଟରେ ଗଭୀର ଭାବରେ, ନିବିଡ଼ ଭାବରେ କୃତଜ୍ଞ ହୋଇ ରହିବାକୁ ।
ପ୍ରତି ମୁହୂର୍ତ୍ତରେ ତୁ ଆମ୍ଭମାନଙ୍କୁ ଯେଉଁ ଅପରୂପ ସମ୍ପଦସବୁ ଦାନ କରି ଯାଉଛୁ, ସେସବୁର କିଛି ଯେପରି ଆମ୍ଭେମାନେ ଅପଚୟ ନ କରୁ।
ଆମ୍ଭମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୋ କାର୍ଯ୍ୟରେ ସହଚର ହୁଏ,
ସେସବୁ ଯେପରି ପ୍ରସ୍ତୁତ ହୋଇଉଠନ୍ତି ତୋର ସିଦ୍ଧି ସକାଶେ।
ପରମ ସିଦ୍ଧିକର୍ତ୍ତା ହେ ଭଗବାନ୍! ଜୟ ହେଉ ତୋର।
ତୋ ବିଜୟରେ ଦେ ଆମ୍ଭମାନଙ୍କର ଜ୍ଵଳନ୍ତ, ସକ୍ରିୟ, ଚରମ ଓ ଅଟଳ ବିଶ୍ଵାସ।

★ ଆମ ଜୀବନର ପ୍ରକୃତ ଲକ୍ଷ୍ୟ ହେଉଛି – ପରମ ଦିବ୍ୟସତ୍ତାଙ୍କ ଲାଗି ବଞ୍ଚିବା ଅର୍ଥାତ୍ ପରମ ସତ୍ୟ ଲାଗି ବଞ୍ଚିବା, ବା ଅନ୍ତତଃ ଆପଣାର ଆତ୍ମା ଲାଗି ହିଁ ବଞ୍ଚିବା ।
– ଶ୍ରୀମା

★ ଏଠାରେ ଆମେ ଦିବ୍ୟସତ୍ତାଙ୍କୁ ପାଇବା ଲାଗି ରହିଛୁ । ସିଏ ଆମ ସମସ୍ତଙ୍କ ଭିତରେ ଅଛନ୍ତି, ପ୍ରତ୍ୟେକ ବସ୍ତୁ ମଧ୍ୟରେ ରହିଛନ୍ତି ।
– ଶ୍ରୀମା

★ ଏକ ସହଜସାଧ୍ୟ ଏବଂ ଆରାମଦାୟକ ଜୀବନ ବଞ୍ଚିବା ଲାଗି ଆମେ ଏଠାରେ ନାହୁଁ । ଭଗବାନଙ୍କୁ ପାଇବା ଲାଗି, ଭଗବାନ ହୋଇଉଠିବା ଲାଗି ଏବଂ ଭଗବାନଙ୍କୁ ପ୍ରକାଶ କରିବା ଲାଗି ଆମେ ଏଠାରେ ଅଛୁ।
ଆମ୍ଭମାନଙ୍କ କ୍ଷେତ୍ରରେ ଯାହା ଘଟୁଛି ସେସବୁ ଭଗବାନଙ୍କର କାର୍ଯ୍ୟ, ଆମର ନୁହେଁ ।
– ଶ୍ରୀମା

★ ଅନ୍ୟମାନେ ଯାହା ଆଗରୁ କରିଛନ୍ତି, ତାହାର ହିଁ ଏକ ପୁନରାବୃତ୍ତି କରିବା ଲାଗି ଆମେ ଏଠାରେ ମୋଟେ ଏକତ୍ରିତ ହୋଇ ନାହୁଁ; ମାତ୍ର ଏକ ନୂତନ ଚେତନା ଏବଂ ଏକ ନୂତନ ଜୀବନର ବିକାଶ ନିମିତ୍ତ ହିଁ ନିଜକୁ ପ୍ରସ୍ତୁତ କରିବା ଲାଗି ଆମେ ସମସ୍ତେ ଏଠାକୁ ଆସିଛୁ ।
– ଶ୍ରୀମା

★ ପ୍ରତ୍ୟେକ ମନୁଷ୍ୟର ଲକ୍ଷ୍ୟ ଦୁଃଖକଷ୍ଟ ଓ ଦ୍ବନ୍ଦରୁ ମୁକ୍ତି ତଥା ପରମସୁଖ ପ୍ରାପ୍ତି ଏବଂ ଜୀବନର ପୂର୍ଣତା । ଏହା ସିଦ୍ଧ ହୁଏ ବ୍ୟକ୍ତିର ମନ, ପ୍ରାଣ, ଶରୀର ଭଗବତ୍ ଦିବ୍ୟ ତତ୍ତ୍ବରେ ରୂପାନ୍ତରିତ ହେଲେ । ତେବେ ସେ ରୋଗ, ଜରା ଓ ମୃତ୍ୟୁରୁ ମୁକ୍ତ ହୋଇ ଅଧ୍ୟାତ୍ମ ସତ୍ୟ ଭିତ୍ତିରେ କର୍ମ କରି ମନ-ପ୍ରାଣ-ଶରୀରରେ ଭଗବତ୍ ଉପଲବ୍ଧି କରିପାରେ ।
– ଶ୍ରୀ ରାମକୃଷ୍ଣ ଦାସ

★ ଅତିମାନସ ଶକ୍ତି ଦ୍ବାରା ମନୁଷ୍ୟର ମନ, ପ୍ରାଣ, ଶରୀର ଆତ୍ମାର ତତ୍ତ୍ବରେ ରୂପାନ୍ତରିତ ହେଲେ ବ୍ୟକ୍ତିକୁ ପ୍ରାପ୍ତ ହେବ ପୂର୍ଣତା। କର୍ମ ତଥା ଅଧ୍ୟାତ୍ମ ସତ୍ୟର ହେବ ସଂଯୋଗ ବ୍ୟକ୍ତିର ସମସ୍ତ ସତ୍ତା ଏକତ୍ବ ପ୍ରାପ୍ତ ହେବ ଭଗବାନଙ୍କ ସହିତ । ସେ ହେବ ମୃତ୍ୟୁ, ରୋଗ, ଜରାରୁ ପୂର୍ଣ୍ଣ ମୁକ୍ତ ସଂସାର ହେବ ସ୍ବର୍ଗରେ ପରିଣତ । ଏହାହିଁ ପ୍ରତ୍ୟେକ ମନୁଷ୍ୟର ଲକ୍ଷ୍ୟ ।
– ଶ୍ରୀ ରାମକୃଷ୍ଣ ଦାସ

★ ତାଙ୍କ (ଶ୍ରୀମାଶ୍ରୀଅରବିନ୍ଦଙ୍କ) ଜୀବନର ପ୍ରଧାନ କର୍ମ ହେଉଛି ପରାତ୍ପରା ଆଦ୍ୟା-ସୃଜନୀ ଅତିମାନସ ରୂପାନ୍ତରକାରିଣୀ ଦିବ୍ୟଶକ୍ତିଙ୍କୁ ଏହି ପୃଥିବୀପୃଷ୍ଠକୁ ଉତାରି ଆଣି ତାହା ଦ୍ବାରା ସକଳ ଜାଗତିକ ନିମ୍ନଶକ୍ତିକୁ ସେମାନଙ୍କ ମୂଳ ସତ୍ ସ୍ବରୂପ ଏବଂ ମରଧର୍ମୀ ମନୁଷ୍ୟକୁ ଅମରତ୍ବରେ, ମୃତ୍ୟୁ ପୁରୀକୁ ସ୍ବର୍ଗରେ ରୂପାନ୍ତରିତ କରିବା ଏବଂ ଏହି ପୃଥିବୀରେ ଗୋଟିଏ ଅତିମାନବ ଜାତି ସ୍ଥାପନା କରିବା ।
– ଶ୍ରୀ ରାମକୃଷ୍ଣ ଦାସ

ଗ୍ରାମ ବାତାବରଣ ଶୁଦ୍ଧିର ଆବଶ୍ୟକତା ନିଜର ତଥା ଅନ୍ୟ ବ୍ୟକ୍ତିଙ୍କର ଲାଭ ସକାଶେ । ଗୋଟିଏ ଗୋଟିଏ ଶ୍ରୀଅରବିନ୍ଦ କେନ୍ଦ୍ର ଏବଂ ମହିଳା କେନ୍ଦ୍ର ପ୍ରତିଗ୍ରାମରେ ସ୍ଥାପିତ ହେବା ଉଚିତ । ଯେଉଁ ମାନେ ସାଧନା କରିବାକୁ ଚାହାନ୍ତି, ସେମାନେ ଗ୍ରାମର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ ଦିନରେ ସପ୍ତାହରେ ଦୁଇ ଦିନ କିମ୍ବା ଦିନେ ସମସ୍ତେ ଏକତ୍ରିତ ହେବେ। ସେମାନଙ୍କ ମଧ୍ୟରୁ ଯେ ଶ୍ରୀଅରବିନ୍ଦଙ୍କ ଯୋଗଦର୍ଶନ ସମ୍ବନ୍ଧେ କିଛି ଜାଣିଥିବେ ସେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ବହି ବା ପତ୍ରପତ୍ରିକା, ଲୋକ-ସାହିତ୍ୟ ପ୍ରାୟ ଏକ ଘଣ୍ଟା ପଢିବେ। କିଛି ସମୟ ସମସ୍ତେ ଶ୍ରୀଅରବିନ୍ଦ ଶ୍ରୀମା’ଙ୍କ ଫଟୋକୁ ଧ୍ୟାନ କରିବେ । ସେଠାରେ କେହି ଘରର ବା ପଡ଼ୋଶୀ ଘରର ଗପ କରିବେ ନାହିଁ । ସେଠାରେ ଯେତେ ସମୟ ରହିବେ, ମୌନ ରହିବେ ଅଥବା ବହି ପଢିବେ । ଆଧ୍ୟାତ୍ମିକତା ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ପାରିବେ ସେ ସ୍ଥାନରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଫଟୋ ରହିବା ଦରକାର। ଏହି ରୂପେ ଗ୍ରାମେ ଗ୍ରାମେ ଯେତେ ଆଧ୍ୟାତ୍ମିକତା ପ୍ରସାର ହେବ ସେତେ ଅଧିକ ପରିମାଣରେ ବାତାବରଣ ଶୁଦ୍ଧ ହେବ। ମଣିଷର କଳୁଷିତ ଭାବ ଦୂର ହେବ ପାଠଚକ୍ରର ପ୍ରତ୍ୟେକ ସଭ୍ୟ ସବୁ ସମୟରେ ‘ମା’ ଏହି ନାମ ସ୍ମରଣ କରିବା ଉଚିତ୍ ।

– ଶ୍ରୀ ରାମକୃଷ୍ଣ ଦାସ (ବାବାଜୀ ମହାରାଜ)

୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ସ୍ୱାଧୀନ ଭାରତର ଜନ୍ମ ଦିବସ । ତାହା ପାଇଁ ଏହା ଏକ ପୁରାତନ ଯୁଗର ଅବସାନ ଓ ନୂତନ ଯୁଗର ଆରମ୍ଭ । କିନ୍ତୁ ଆମେ ଏକ ସ୍ୱାଧୀନ ଜାତି ରୂପେ ଆମ ଜୀବନ ଓ କର୍ମଦ୍ୱାରା ଏହାକୁ ଏପରି ଏକ ମହତ୍ତ୍ଵପୂର୍ଣ୍ଣ ଦିନ ଭାବରେ ରୂପ ଦେବା ଯେ ଯେପରି ଏହା ସମଗ୍ର ପୃଥିବୀ ପାଇଁ ମଣିଷ ଜାତିର ରାଜନୈତିକ, ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭବିଷ୍ୟତ ପାଇଁ ଏକ ନୂତନ ଯୁଗର ଉନ୍ମୋଚନ କରିବ।


ଅଗଷ୍ଟ ୧୫ ମୋର ଜନ୍ମଦିବସ ଏବଂ ସ୍ଵଭାବତଃ ଏହା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଏହି ଦିବସଟି ଏପରି ବିପୁଳ ତାତ୍ପର୍ଯ୍ୟ ଅର୍ଜନ କରିଛି ଏହି ଯୋଗାଯୋଗକୁ ମୁଁ ଏକ ଆକସ୍ମିକ ଘଟଣାରୂପେ ଗ୍ରହଣ କରୁନାହିଁ । ବରଂ ମୁଁ ମନେକରେ ଯେଉଁ ଭାଗବତ ଶକ୍ତିଙ୍କ ପରିଚାଳନାରେ ମୋ କର୍ମଜୀବନ ଆରମ୍ଭ ହୋଇଥିଲା ଓ ଯାହା ମୋର ପ୍ରତ୍ୟେକ ପଦକ୍ଷେପରେ ପଥପ୍ରଦର୍ଶକ ଏହା ଆଜି ତାଙ୍କର ସ୍ଵୀକୃତି ଓ ଅନୁମୋଦନ ଯୋଗୁ ହୋଇଛି ଏବଂ ମୁଁ ଭାବୁଛି କାର୍ଯ୍ୟର ପୂର୍ଣ୍ଣ ସାଫଲ୍ୟର ସମୟ ସମାଗତ । ଏହି ଦିବସଟିରେ ମୁଁ ପ୍ରାୟ ସେହିସବୁ ବିଶ୍ଵକ୍ରିୟାବଳୀକୁ ଲକ୍ଷ୍ୟ କରୁଛି ଯେଉଁଗୁଡ଼ିକୁ ମୁଁ ମୋ ଜୀବଦ୍ଦଶାରେ ପୂର୍ଣ୍ଣ ହେବାର ଆଶା କରିଥିଲି। ଯଦିଓ ସେଗୁଡ଼ିକ ସେତେବେଳେ ଦିବାସ୍ଵପ୍ନ ସଦୃଶ ପ୍ରତୀୟମାନ ହେଉଥିଲା, ଆଜି କିନ୍ତୁ ଲକ୍ଷ୍ୟ କରୁଛି ସେସବୁ ସଫଳ ହୋଇଛି ଅଥବା ସଫଳତାର ପଥରେ । ଏହିସବୁ କ୍ରିୟାଧାରା ମଧ୍ୟରେ ସ୍ୱାଧୀନ ଭାରତ ଏକ ମହାନ୍ ଭୂମିକା ଏବଂ ଏକ ଗୁରୁତ୍ଵପୂର୍ଣ ନେତୃତ୍ଵ ଗ୍ରହଣ କରିପାରେ।


ଏହିଗୁଡ଼ିକ ମଧ୍ୟରୁ ମୋର ପ୍ରଥମ ସ୍ଵପ୍ନ ଥିଲା ଏକ ବୈପ୍ଳବିକ ଆନ୍ଦୋଳନ ଯାହା ଦ୍ୱାରା ଏକ ସ୍ୱାଧୀନ ଓ ଅଖଣ୍ଡ ଭାରତ ପ୍ରତିଷ୍ଠା ହେବ । ଆଜି ଭାରତ ସ୍ୱାଧୀନ କିନ୍ତୁ ତାହା ଏପର୍ଯ୍ୟନ୍ତ ମଧ୍ୟ ଅଖଣ୍ଡତା ଲାଭ କରିପାରିନାହିଁ ବ୍ରିଟିଶ୍ ଶାସନର ଅବ୍ୟବହିତ ପୂର୍ବେ ଭାରତ ଯେପରି ବହୁ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇ ବିଶୃଙ୍ଖଳିତ ହୋଇପଡ଼ିଥିଲା, ଏକ ସମୟରେ ମନେହେଉଥିଲା ସ୍ୱାଧୀନତା ଦ୍ୱାରା ପୁଣି ସେହି ସ୍ତରକୁ ଭାରତ ଖସିପଡ଼ିବ । କିନ୍ତୁ ସୌଭାଗ୍ୟର କଥା, ବର୍ତ୍ତମାନ ବୋଧହେଉଛି ଏହି ବିପଦକୁ ଦୂର କରାଯାଇପାରିବ ଏବଂ ପରିପୂର୍ଣ ଅଖଣ୍ଡତା ପ୍ରତିଷ୍ଠିତ ନହୋଇ ପାରିଲେ ମଧ୍ୟ ଏକ ସୁଦୃଢ଼ ନୀତି ଯୋଗୁ ଦଳିତ ଜାତିର ସମସ୍ୟା, ବିଭେଦ ଓ ମତଭେଦ ବିନା ସବୁକିଛି ସମାଧାନ ହୋଇଯିବାର ସମ୍ଭାବନା ଦେଖାଦେଇଛି କିନ୍ତୁ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଥିବା ପୂର୍ବର ସାମ୍ପ୍ରଦାୟିକ ବିଭେଦ ବର୍ତ୍ତମାନ ଅଧିକତର ଦୃଢ଼ ହୋଇ ଦେଶର ଏକ ସ୍ଥାୟୀ ରାଜନୈତିକ ବିଭକ୍ତିକରଣର ରୂପ ନେଉଥିବା ପରି ମନେହୁଏ। ତଥାପି ଆଶା କରାଯାଏ ଯେ ଏହାକୁ ଚିରକାଳ ପାଇଁ ଏକ ମୀମାଂସିତ ସ୍ଥାୟୀ ଘଟଣାରୂପେ ଗ୍ରହଣ କରାଯିବ ନାହିଁ ଅଥବା ଏକ ସାମୟିକ ବ୍ୟବସ୍ଥା ବ୍ୟତୀତ ଏହାକୁ ଅନ୍ୟ ମୂଲ୍ୟ ଦିଆଯିବା ଉଚିତ ନୁହେଁ କାରଣ ଯଦି ଏହା ସ୍ଥାୟୀ ରହେ ତେବେ ଭାରତ ଶୋଚନୀୟ ଭାବରେ ଶକ୍ତିହୀନ ଏପରିକି ପଙ୍ଗୁ ମଧ୍ୟ ହୋଇଯାଇପାରେ । ସର୍ବଦା ଗୃହବିବାଦର ସମ୍ଭାବନା ଏପରି କି ବିଦେଶୀ ଆକ୍ରମଣ ଓ ରାଜ୍ୟ ଅଧିକାରର ସମ୍ଭାବନା ମଧ୍ୟ ରହିପାରେ । ଜାତି ଓ ଦେଶ ମଧ୍ୟରେ ତାହାର ଆସନ ଦୁର୍ବଳ ହୋଇଯାଇପାରେ ଓ ତାହାର ଭବିତବ୍ୟ ବ୍ୟାହତ ଏପରିକି ବ୍ୟର୍ଥ ମଧ୍ୟ ହୋଇଯାଇପାରେ। ଏହା ଯେପରି କଦାପି ନ ଘଟେ, ଦେଶ ବିଭାଜନ ଯେପରି ଅବଶ୍ୟ ହିଁ ଦୂର ହେବ କେବଳ ଶାନ୍ତି ସହୃଦୟତା ପାଇଁ ନୁହେଁ, ଆହୁରି ମଧ୍ୟ ମିଳିତ କାର୍ଯ୍ୟର ଅଭ୍ୟାସ ଦ୍ୱାରା ଏବଂ ସେହି ଉଦ୍ଦେଶ୍ୟର ଆବଶ୍ୟକୀୟ ଉପାୟ ସୃଷ୍ଟି କରିବା ଦ୍ୱାରା । ଏହିପରି ଭାବରେ ପରିଶେଷରେ ଏକତା ପ୍ରତିଷ୍ଠିତ ହେବ, ତାହା ଯେକୌଣସି ରୂପ ନେଉନା କାହିଁକି – ନିର୍ଦ୍ଦିଷ୍ଟ ରୂପର ମୂଲ୍ୟ କେବଳ ବ୍ୟବହାରିକ ହେବ, ତାହାର କୌଣସି ମୌଳିକ ଗୁରୁତ୍ଵ ନାହିଁ । କିନ୍ତୁ ଯେକୌଣସି ଉପାୟରେ ହେଉ ଯେ କୌଣସି ପନ୍ଥାରେ ହେଉ, ଦେଶ ବିଭାଜନ ନିଶ୍ଚୟ ଦୂର କରିବାକୁ ହେବ, ଏକତା ଅବଶ୍ୟ ପ୍ରତିଷ୍ଠିତ ହେବ କାରଣ ଭାରତର ଭବିଷ୍ୟତ ମହାନତା ପାଇଁ ଏହା ଅତ୍ୟନ୍ତ ପ୍ରୟୋଜନ।


ଅନ୍ୟ ଏକ ସ୍ଵପ୍ନ ହେଲା ଏସିଆବାସୀଙ୍କ ପୁନରୁତ୍ଥାନ ଓ ମୁକ୍ତି ଏବଂ ମାନବ ସଭ୍ୟତାର ବିକାଶ ଦିଗରେ ତାହାର ମହତ୍ତର ଭୂମିକା ଗ୍ରହଣ । ଏସିଆ ଆଜି ଜାଗ୍ରତ, ତାହାର ଏକ ବିରାଟ ଅଂଶ ମୁକ୍ତ ହୋଇସାରିଛି କିମ୍ବା ବର୍ତ୍ତମାନ ମୁକ୍ତି ହେବା ପଥରେ । ଏହାର ଏପର୍ଯ୍ୟନ୍ତ ପରାଧୀନ ଥିବା ବା ଆଂଶିକ ପରାଧୀନ ଥିବା ଅନ୍ୟାନ୍ୟ ଅଂଶକୁ କୌଣସି ନା କୌଣସି ସଂଗ୍ରାମ ଚଳାଇ ସ୍ୱାଧୀନତା ଦିଗରେ ଆଗେଇ ଚାଲିଛନ୍ତି । କେବଳ ସାମାନ୍ୟ ମାତ୍ର କରିବାକୁ ବାକି ଅଛି ଏବଂ ଆଜି ହେଉ ବା କାଲି ହେଉ ତାହା ନିଶ୍ଚିତ ରୂପେ ହେବ । ସେଥିରେ ଭାରତର ନିଜସ୍ଵ ଭୂମିକା ରହିଛି ଏବଂ ଶକ୍ତି ଓ ସାମର୍ଥ୍ୟର ସହିତ ସେ ଏହି ଭୂମିକା ଗ୍ରହଣ କରିବାକୁ ଆରମ୍ଭ କରିଛି । ଏଥିରୁ ସୂଚିତ ହେଉଛି ତାହାର ଭବିଷ୍ୟତ ସମ୍ଭାବନା ଓ ରାଷ୍ଟ୍ରମାନଙ୍କ ସଭାରେ ସେ କେଉଁ ଆସନ ଗ୍ରହଣ କରିବ।


ତୃତୀୟ ସ୍ଵପ୍ନ ହେଲା ବିଶ୍ଵସଂଘର ପ୍ରତିଷ୍ଠା – ଯାହା ସମଗ୍ର ମାନବଜାତି ପାଇଁ ଏକ ଅଧିକ ସୁନ୍ଦରତର, ଉଜ୍ଜଳତର ଓ ମହତ୍ତର ଜୀବନର ବାହ୍ୟ ଭିତ୍ତି ଗଠନ କରିବ । ମାନବ ସମାଜର ସେହି ଏକତା ବର୍ତ୍ତମାନ ପ୍ରସ୍ତୁତି ପଥରେ; ଏ ଦିଗରେ ଏକ ପ୍ରାରମ୍ଭିକ କାର୍ଯ୍ୟ ସଙ୍ଗଠିତ ହୋଇସାରିଛି ଯଦିଓ ଏହା ତ୍ରୁଟିପୂର୍ଣ; ତାହାକୁ ବହୁ ବାଧାବିଘ୍ନ ବିରୁଦ୍ଧରେ ମଧ୍ୟ ସଂଗ୍ରାମ କରିବାକୁ ହେଉଛି । କିନ୍ତୁ ତାହା ମଧ୍ୟରେ ରହିଛି ଏକ ପ୍ରବେଗ ଓ ଏହା ଅନିବାର୍ଯ୍ୟ ଭାବରେ ବୃଦ୍ଧିପାଇବ ଏବଂ ଅବଶ୍ୟ ବିଜୟ ହାସଲ କରିବ। ଏଠାରେ ମଧ୍ୟ ଭାରତ ଏକ ପ୍ରଧାନ ଭୂମିକା ନେବାକୁ ଆରମ୍ଭ କରିଛି; ଯଦି ସେ ସେହି ଧରଣର ବିଶାଳତର ରାଷ୍ଟ୍ରନୀତିକୁ ବିକଶିତ କରିପାରନ୍ତା। ଯାହାକି ବର୍ତ୍ତମାନ ଘଟଣା ଓ ଆଶୁ ସମ୍ଭାବନା ଦ୍ୱାରା ସୀମାବଦ୍ଧ ନୁହେଁ, ବରଂ ଭବିଷ୍ୟତ ଦିଗରେ ଦୃଷ୍ଟିନିବନ୍ଧ କରେ ଏବଂ ସେହି ଭବିଷ୍ୟତକୁ ନିକଟତର କରାଏ । ତେବେ ଭାରତର ଉପସ୍ଥିତିର ପ୍ରଭାବ ଫଳରେ ଏ ଦିଗରେ ଅଗ୍ରଗତି ମନ୍ଥର ଓ ଶଙ୍କାକୁଳ ନହୋଇ ନିର୍ଭୀକ ଓ କ୍ଷିପ୍ର ହେବ । ହୁଏତ ଏକ ବିପର୍ଯ୍ୟୟ ମଧ୍ୟ ଆସିପାରେ ଏବଂ ତାହା ଏହି କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ବା ଏହାକୁ ସମ୍ପୂର୍ଣ ଧ୍ବଂସ ମଧ୍ୟ କରିପାରେ । କିନ୍ତୁ ତଥାପି ମଧ୍ୟ ଶେଷଫଳ ସ୍ଥିର ନିଶ୍ଚିତ । କାରଣ ଏକତା ପ୍ରକୃତିର ଏକ ପ୍ରୟୋଜନ ଓ ଏକ ଅନିବାର୍ଯ୍ୟ ପ୍ରକ୍ରିୟା । ଦେଶ ଓ ଜାତିମାନଙ୍କ ପାଇଁ ଏହାର ପ୍ରୟୋଜନୀୟତା ବିପକ୍ଷରେ ଚିରତର ତିଷ୍ଠି ପାରିବ ନାହିଁ । କିନ୍ତୁ ଏକ ବାହ୍ୟଭିରି ଯଥେଷ୍ଟ ନୁହେଁ ଏକ ଆନ୍ତର୍ଜାତିକ ଭାବ ଓ ଦୃଷ୍ଟିକୋଣର ବିକାଶ ଦରକାର । ଆନ୍ତର୍ଜାତିକ ବ୍ୟବସ୍ଥା ଓ ଅନୁଷ୍ଠାନ ମଧ୍ୟ ସୃଷ୍ଟି ହେବା ଦରକାର; ଆଉ ମଧ୍ୟ ଏପରି ବିକାଶ ଯଥା, ଦ୍ବୈତ ବା ବହୁନାଗରିକତ୍ଵର ପ୍ରତିଷ୍ଠା, ବିଭିନ୍ନ ସଂସ୍କୃତି ମଧ୍ୟରେ ସ୍ଵେଚ୍ଛାକୃତ ଆଦାନପ୍ରଦାନ ଓ ମିଳନ ମଧ୍ୟ ଆବଶ୍ୟକ ସେତେବେଳେ ଜାତୀୟତା ତାହାର ପୂର୍ଣ୍ଣତା ଲାଭ କରିଥିବ, ତାହାର ଯୁଦ୍ଧପ୍ରବୃତ୍ତ ହରାଇଥିବ ଏବଂ ନିଜ ଦୃଷ୍ଟିକୋଣର ପୂର୍ଣତା ଓ ଆତ୍ମସଂରକ୍ଷଣ ସହିତ ସେଗୁଡ଼ିକୁ ଅସଙ୍ଗତ ଅନୁଭବ କରିବ ନାହିଁ । ଏକତାର ଏକ ନୂତନ ଚେତନା ସମଗ୍ର ମାନବ ଜାତିକୁ ଅଧିକାର କରିବ ।


ଅନ୍ୟ ଏକ ସ୍ଵପ୍ନ ହେଲା ପୃଥିବୀକୁ ଭାରତର ଆଧ୍ୟାତ୍ମିକ ଅବଦାନ – ଇତି ମଧ୍ୟରେ ତାହା ଆରମ୍ଭ ହୋଇସାରିଲାଣି। ଭାରତର ଆଧ୍ୟାତ୍ମିକତା ଇଉରୋପଖଣ୍ଡ ଓ ଆମେରିକା ମଧ୍ୟକୁ କ୍ରମଶଃ ଅଧିକ ଭାବରେ ପ୍ରବେଶ କରୁଛି । ସେହି ଆନ୍ଦୋଳନ ପ୍ରସାର ଲାଭ କରିବ । ଏ ଯୁଗର ବିପର୍ଯ୍ୟୟ ମଧ୍ୟରେ ଅଧିକରୁ ଅଧିକ ବ୍ୟକ୍ତି ଭାରତ ଆଡ଼କୁ ଆଶାର ଦୃଷ୍ଟି ନେଇ ଚାହିଁ ରହିଛନ୍ତି । ସେମାନେ କେବଳ ତାହାର ଶିକ୍ଷାପ୍ରତି ନୁହେଁ, ତାହାର ଅନ୍ତରାତ୍ମା ଓ ଆଧ୍ୟାତ୍ମିକ ସାଧନାର ଆଶ୍ରୟ ଖୋଜୁଛନ୍ତି ।


ସର୍ବଶେଷ ସ୍ଵପ୍ନ ହେଲା ବିବର୍ତ୍ତନରେ ଏକ ଅଗ୍ର ପଦକ୍ଷେପ ଯାହାକି ମନୁଷ୍ୟକୁ ଏକ ଉଚ୍ଚତର ଓ ବିଶାଳତର ଚେତନା ମଧ୍ୟକୁ ଉନ୍ନୀତ କରିବ ଏବଂ ବ୍ୟକ୍ତିଗତ ପୂର୍ଣତା ଓ ସାମାଜିକ ପୂର୍ଣତାର ବିଷୟରେ ଚିନ୍ତାକରିବା ଓ ସ୍ଵପ୍ନ ଦେଖିବା ଦିନଠାରୁ ମନୁଷ୍ୟକୁ ଯେଉଁ ସବୁ ସମସ୍ୟାଗୁଡ଼ିକ ବ୍ୟସ୍ତ ଓ ବିଚଳିତ କରିଛି ସେହିସବୁ ସମସ୍ୟାର ସମାଧାନ ଆଣିଦେବ । ତଥାପି ମଧ୍ୟ ଏହା ଏକ ବ୍ୟକ୍ତିଗତ ଆଶା, ବିଚାର ଓ ଆଦର୍ଶ ମାତ୍ର ଯାହା ଭାରତ ଓ ପାଶ୍ଚାତ୍ୟର ଦୂରଦୃଷ୍ଟି ସମ୍ପନ୍ନ ଓ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ଅଧିକାର କରିବାକୁ ଆରମ୍ଭ କରିଛି । ପ୍ରଚେଷ୍ଟାର ଅନ୍ୟକୌଣସି କ୍ଷେତ୍ର ଅପେକ୍ଷା ଏହି କ୍ଷେତ୍ରରେ ପ୍ରତିବନ୍ଧକ ଅଧିକ ଶକ୍ତିଶାଳୀ; କିନ୍ତୁ ପ୍ରତିବନ୍ଧକ ଗୁଡ଼ିକ ଅତିକ୍ରମ କରିବା ପାଇଁ ହିଁ ସୃଷ୍ଟି ହୋଇଥାନ୍ତି ଏବଂ ଯଦି ଭଗବାନଙ୍କ ଇଚ୍ଛା ଏହାର ପଶ୍ଚାତ୍‌ରେ ଥାଏ, ତେବେ ସେଗୁଡ଼ିକ ଅତିକ୍ରମ କରିହେବ। ପୁନଶ୍ଚ ଯଦି ବିବର୍ତ୍ତନର ଏହି ପଦକ୍ଷେପ ଗ୍ରହଣ କରିବାକୁ ହୁଏ ଯେହେତୁ ଏହା କେବଳ ସଂଘଟିତ ହେବ ଆତ୍ମା ଓ ଆନ୍ତର ଚେତନାର ବିକାଶ ଦ୍ୱାରା, ତେଣୁ ଏ କ୍ଷେତ୍ରରେ ମଧ୍ୟ ଭାରତ ପ୍ରଥମ ଉଦ୍ୟମ ଆରମ୍ଭ କରିବ। ଯଦି ଏଥିପାଇଁ ସୁଯୋଗର ପରିସର ବିଶ୍ଵବ୍ୟାପକ, ତଥାପି କେନ୍ଦ୍ରୀୟ ପ୍ରକ୍ରିୟା ଭାରତରୁ ହିଁ ଆରମ୍ଭ ହେବା ସମ୍ଭବ।


ଭାରତର ଏହି ସ୍ୱାଧୀନତା ଦିବସକୁ ମୁଁ ଏହି ତାତ୍ପର୍ଯ୍ୟ ପ୍ରଦାନ କରୁଛି। ମୋର ଏହି ଆଶା କେତେଦୂର ସଫଳ ହେବ ତାହା ନିର୍ଭର କରେ ନୂତନ ଓ ସ୍ୱାଧୀନ ଭାରତ ଉପରେ।

ମୋର ତିନୋଟି ପାଗଳାମୀ ଅଛି। ପ୍ରଥମ ପାଗଳାମୀ : ମୋର ଦୃଢ଼ ବିଶ୍ବାସ ଭଗବାନ ଯେଉଁ ଗୁଣ, ଯେଉଁ ପ୍ରତିଭା, ଯେଉଁ ଉଚ୍ଚଶିକ୍ଷା ଓ ବିଦ୍ୟା, ଯେଉଁ ଧନ ଦେଇଛନ୍ତି, ସବୁକିଛି ଭଗବାନଙ୍କର, ଯାହା ପରିବାରର ଭରଣପୋଷଣରେ ଲାଗେ, ଆଉ ଯାହା ନିତାନ୍ତ ଆବଶ୍ୟକ ତାହାହିଁ ନିଜ ନିମିତ୍ତ ଖର୍ଚ୍ଚ କରିବାର ଅଧିକାର ଅଛି; ଯାହା ବାକି ରହିଲା ତାହା ଭଗବାନଙ୍କୁ ଫେରାଇ ଦେବା ଉଚିତ । ମୁଁ ଯଦି ସବୁକିଛି ନିଜ ନିମିତ୍ତ, ନିଜର ସୁଖ, ବିଳାସ ନିମିତ୍ତ ଖର୍ଚ୍ଚ କରେ, ତାହାହେଲେ ମୁଁ ଚୋର । ହିନ୍ଦୁ ଶାସ୍ତ୍ର କହେ, ଯେ ଭଗବାନଙ୍କ ନିକଟରୁ ଧନ ନେଇ ତାହା ଫେରାଇ ଦିଏ ନାହିଁ, ସେ ଚୋର ଏପର୍ଯ୍ୟନ୍ତ ଭଗବାନଙ୍କୁ ଦୁଇ ଅଣା ଦେଇ ବାକି ଚୌଦ ଅଣା ନିଜ ସୁଖରେ ଖର୍ଚ୍ଚ କରି ହିସାବ ନିକାଶ କରି ସାଂସାରିକ ସୁଖରେ ମତ୍ତ ଅଛି । ଜୀବନର ଅର୍ଦ୍ଧାଂଶଟା ବୃଥା କଟିଗଲା; ପଶୁ ମଧ୍ୟ ନିଜର ଓ ନିଜ ପରିବାରର ଉଦର ପୂରଣ କରି କୃତାର୍ଥ ହୁଏ।

ମୁଁ ଏତେଦିନ ପଶୁବୃତ୍ତ ଓ ଚୌର୍ଯ୍ୟବୃଦ୍ଧି କରି ଆସିଛି, ଏହି କଥା ବୁଝିପାରିଛି । ବୁଝି କରି ବଡ଼ ଅନୁତାପ ଓ ନିଜ ଉପରେ ବିଶେଷ ଘୃଣା ଆସିଛି । ଆଉ ଏପରି ହେବ ନାହିଁ, ଏ ଜନ୍ମରେ ଏ ପାପ ଏତିକି । ଭଗବାନଙ୍କୁ ଦେବାର ଅର୍ଥ କ’ଣ ? ଏହାର ଅର୍ଥ ଧର୍ମକାର୍ଯ୍ୟରେ ବ୍ୟୟ କରିବା । ଯେଉଁ ଟଙ୍କା ସରୋଜିନୀ ଓ ଉଷାକୁ ଦେଇଛି ସେଥିପାଇଁ କୌଣସି ଅନୁତାପ କରିବାକୁ ହେବ ନାହିଁ । ପରୋପକାର ଧର୍ମ, ଆଶ୍ରିତଙ୍କୁ ରକ୍ଷା କରିବା ମହାଧର୍ମ । କିନ୍ତୁ କେବଳ ଭାଇଭଉଣୀଙ୍କୁ ଦାନ କଲେ ହିସାବ ନିକାଶ ହୁଏ ନାହିଁ । ଏହି ଦୁର୍ଦ୍ଦିନରେ ସମସ୍ତ ଦେଶ ମୋ ଦ୍ବାରରେ ଆଶ୍ରିତ, ମୋର ତିରିଶି କୋଟି ଭାଇଭଉଣୀ ଏହି ଦେଶରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଅନାହାରରେ ମରୁଛନ୍ତି, ଅଧିକାଂଶହିଁ ଦୁଃଖକଷ୍ଟରେ ଜର୍ଜରିତ ହୋଇ କୌଣସି ମତେ ବଞ୍ଚି ରହିଛନ୍ତି, ସେମାନଙ୍କ କଲ୍ୟାଣ ସାଧନ କରିବାକୁ ହିଁ ହେବ।

କ’ଣ କହୁଛ, ଏ ବିଷୟରେ ତୁମେ ମୋର ସହଧର୍ମିଣୀ ହେବ ? କେବଳ ସାଧାରଣ ଲୋକଙ୍କ ପରି ଭୋଜନ କରି, ସାମାନ୍ୟ ପରିଧାନ କରି ଏବଂ ଯାହା ଅତ୍ୟାବଶ୍ୟକ ତାହା କିଣି, ବାକି ସବୁକିଛି ଭଗବାନଙ୍କୁ ଅର୍ପଣ କରିବି, ଏହାହିଁ ମୋର ଇଚ୍ଛା, ତୁମେ ସମ୍ମତି ଦେଲେ, ତ୍ୟାଗ ସ୍ବୀକାର କରିପାରିଲେ, ମୋର ଲକ୍ଷ୍ୟ ପୂର୍ଣ୍ଣ ହୋଇପାରିବ । ତୁମେ ଲେଖିଛ, ‘ମୋର କୌଣସି ଉନ୍ନତି ହେଉ ନାହିଁ, ଏହି ଯେ ଗୋଟିଏ ଉନ୍ନତିର ପଥ ଦେଖାଇ ଦେଲି, ସେ ପଥରେ ଯାତ୍ରା କରିପାରିବ କି?

ଦ୍ବିତୀୟ ପାଗଳାମି ଅଳ୍ପଦିନ ହେଲା ମୋତେ ଚାପିଧରିଛି । ପାଗଳାମିଟା ଏହି– ଯେ କୌଣସି ପ୍ରକାରରେ ଭଗବାନଙ୍କର ସାକ୍ଷାତ୍ ଦର୍ଶନ ଲାଭ କରିବାକୁ ହେବ । ଆଜିକାଲିର ଧର୍ମ-କଥା କଥାରେ ଭଗବାନଙ୍କର ନାମ ନେବା, ସମସ୍ତଙ୍କ ସମକ୍ଷରେ ପ୍ରାର୍ଥନା କରିବା, ଧାର୍ମିକ ବୋଲି ଲୋକଙ୍କୁ ଦେଖାଇ ହେବା ! ତା’ ମୁଁ ଚାହେଁ ନାହିଁ । ଈଶ୍ବର ଯଦି ଥା’ନ୍ତି, ତେବେ ତାଙ୍କର ଅସ୍ତିତ୍ବ ଅନୁଭବ କରିବା ଏବଂ ତାଙ୍କ ସଙ୍ଗେ ସାକ୍ଷାତ୍‌ କରିବାର କୌଣସି ନା କୌଣସି ପଥ ନିଶ୍ଚୟ ଥିବ। ସେ ପଥ ଯେତେ ଦୁର୍ଗମ ହେଉ ନା କାହିଁ କି, ମୁଁ ସେ ପଥରେ ଯିବାର ଦୃଢ଼ସଂକଳ୍ପ କରି ବସିଛି । ହିନ୍ଦୁଧର୍ମ କହେ, ସେ ପଥ ନିଜ ଶରୀର ଓ ନିଜ ମନ ମଧ୍ୟରେ ଅଛି । ଯିବାର ପଥ ଦେଖାଇ ଦେଇଛି, ମୁଁ ସେହିସବୁ ପାଳନ କରିବାକୁ ଆରମ୍ଭ କରିଛି । ମାସକ ମଧ୍ୟରେ ଅନୁଭବ କରିପାରିଲି ଯେ ହିନ୍ଦୁଧର୍ମର କଥା ମିଥ୍ୟା ନୁହେଁ, ଯେଉଁ ସୂଚନା ଓ ଚିହ୍ନର କଥା ରହିଛି, ସେସବୁ ଉପଲବ୍ଧି କରିଛି । ବର୍ତ୍ତମାନ ମୋର ଇଚ୍ଛା ତୁମକୁ ସେହି ପଥରେ ନେଇଯିବାକୁ, ଠିକ୍ ମୋ ସଙ୍ଗେ ସଙ୍ଗେ ତୁମେ ଯାଇପାରିବ ନାହିଁ, କାରଣ ତୁମର ଏତେ ଜ୍ଞାନ ନାହିଁ, କିନ୍ତୁ ମୋ ପଛେ ପଛେ ଆସିଲେ କୌଣସି ବାଧା ନାହିଁ । ସେହି ପଥରେ ସମସ୍ତେ ସିଦ୍ଧି ଲାଭ କରିପାରନ୍ତି, କିନ୍ତୁ ପ୍ରବେଶ କରିବା ଇଚ୍ଛା ଉପରେ ନିର୍ଭର କରେ, କେହି ତୁମକୁ ଧରି ନେଇ ଯାଇପାରିବ ନାହିଁ, ଯଦି ତୁମର ଏଥିରେ ମତ ଥାଏ ତେବେ ଏ ବିଷୟରେ ମୁଁ ଆହୁରି ଲେଖିବି।

ତୃତୀୟ ପାଗଳାମିଟା ଏହି ଯେ ଅନ୍ୟ ଲୋକମାନେ ସ୍ବଦେଶକୁ ଗୋଟାଏ ଜଡ଼ ପଦାର୍ଥ, କେତେଗୁଡ଼ିଏ ପଡ଼ିଆ ଜମି, ଶସ୍ୟକ୍ଷେତ୍ର, ବଣ ପର୍ବତ, ନଦୀ ବୋଲି ଜାଣନ୍ତି; ମୁଁ କିନ୍ତୁ ସ୍ବଦେଶକୁ ମା’ ବୋଲି ଜାଣେ, ଭକ୍ତି କରେ, ପୂଜା କରେ । ମା’ଙ୍କ ଛାତି ଉପରେ ବସି ଯଦି ଏକ ରାକ୍ଷସ ରକ୍ତପାନରେ ଉଦ୍ୟତ ହୁଏ, ତା’ହେଲେ ପୁଅ କ’ଣ କରେ ? ନିଶ୍ଚିତ ଭାବରେ ଆହାର କରିବାକୁ ବସି, ସ୍ତ୍ରୀ-ପୁତ୍ରଙ୍କ ସଙ୍ଗେ ଆମୋଦ କରିବାକୁ ବସେ, ନା ମା’ଙ୍କୁ ଉଦ୍ଧାର କରିବା ନିମିତ୍ତ ଦୌଡ଼ିଯାଏ ? ମୁଁ ଜାଣେ ଏହି ପତିତଜାତିକୁ ଉଦ୍ଧାର କରିବା ନିମିତ୍ତ ବଳ ମୋ ଶରୀରରେ ଅଛି, ଶାରୀରିକ ବଳ ନୁହେଁ, ତରବାରି ବା ବନ୍ଧୁକ ନେଇ ମୁଁ ଯୁଦ୍ଧ କରିବାକୁ ଯାଉ ନାହିଁ, ଜ୍ଞାନର ବଳ। କ୍ଷାତ୍ରତେଜ ଏକମାତ୍ର ତେଜ ନୁହେଁ, ବ୍ରହ୍ମତେଜ ମଧ୍ୟ ଅଛି, ସେହି ତେଜ ଜ୍ଞାନ ଉପରେ ପ୍ରତିଷ୍ଠିତ । ଏହି ଭାବ ନୂତନ ନୁହେଁ, ଆଜିକାଲିର ନୁହେଁ । ଏହି ଭାବ ନେଇ ମୁଁ ଜନ୍ମଗ୍ରହଣ କରିଛି, ଏହି ଭାବ ମୋର ମଜ୍ଜାଗତ; ଭଗବାନ୍ ଏହି ମହାବ୍ରତ ସାଧନ କରିବାକୁ ମୋତେ ପୃଥିବୀକୁ ପଠାଇଛନ୍ତି । ଚଉଦ ବର୍ଷ ବୟସରେ ବୀଜଟି ଅଙ୍କୁରିତ ହେବାକୁ ଲାଗିଲା, ଅଠର ବର୍ଷ ବୟସରେ ସେହି ପ୍ରତିଷ୍ଠା ଦୃଢ଼ ଓ ଅଚଳ ହେଲା ତୁମେ ମାଉସୀଙ୍କ କଥା ଶୁଣି ଭାବିଥିଲ ଯେ, କୌଣସି ବଦପ୍ରକୃତିର ଲୋକ ତୁମର ସରଳ ଓ ଉତ୍ତମ ସ୍ବଭାବ ବିଶିଷ୍ଟ ସ୍ବାମୀଙ୍କୁ କୁପଥରେ ଟାଣି ନେଇଛି। କିନ୍ତୁ ତୁମର ଉତ୍ତମ ସ୍ବାମୀ ହିଁ ସେହି ଲୋକଙ୍କୁ ଓ ଆହୁରି ଶତ ଶତ ଲୋକଙ୍କୁ ସେହି ପଥରେ, କୁପଥ ବା ସୁପଥ ହେଉ, ପ୍ରବେଶ କରାଇଛନ୍ତି ଏବଂ ଆହୁରି ସହସ୍ର ସହସ୍ର ଲୋକଙ୍କୁ ସେଥିରେ ପ୍ରବେଶ କରାଇବେ । ମୁଁ ବଞ୍ଚିଥିବା ସମୟ ମଧ୍ୟରେ ଯେ କାର୍ଯ୍ୟସିଦ୍ଧି ହେବ, ଏକଥା ମୁଁ କହୁ ନାହିଁ, କିନ୍ତୁ ହେବ ନିଶ୍ଚୟ ।