Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨୪, ୧୯୧୪

ହେ ମୋର ମଧୁମୟ ପ୍ରଭୁ ! ବାହ୍ୟ ଜିନିଷ ଭିତରେ ମୋତେ ଯେପରି ବୁଡ଼ିଯିବାକୁ ଦିଅ ନାହିଁ । ମୋ ପାଇଁ ସେଗୁଡ଼ିକର କୌଣସି ରସ, କୌଣସି ସ୍ୱାଦ ନାହିଁ । ସେଗୁଡ଼ିକୁ ନେଇ ମୁଁ ଯଦି ବ୍ୟାପୃତ ଥାଏ, ତା’ର କାରଣ ହେଲା ତାହା ତୋର ଇଚ୍ଛା ବୋଲି ଓ ମୁଁ ବୋଧକରେ ତୋର କାର୍ଯ୍ୟଟି ଯେପରି ପ୍ରୟୋଗ ଓ ଉପାଦାନ ଉଭୟ କ୍ଷେତ୍ରରେ ପୁଙ୍ଖାନୁପୁଙ୍ଖରୂପେ ପୂର୍ଣ୍ଣ ଭାବରେ ସମ୍ପାଦିତ ହେଉ । ତେବେ ଏ ସକଳ ଦିଗରେ କେବଳଦୃଷ୍ଟି ଦେଲେ ଓ ସେଗୁଡ଼ିକ ଭିତରେ ଯଥାସମ୍ଭବ ତୋର ଶକ୍ତି ସଞ୍ଚାର କରିପାରିଲେ ହିଁ ଯଥେଷ୍ଟ । ଚେତନା ଭିତରେ ସେଗୁଡ଼ିକର ସ୍ଥାନ ଯେପରି ଯଥାର୍ଥ ସବସ୍ତୁ ଉପରେ ନ ହୁଏ ।

ହେ ମୋର ପ୍ରିୟତମ ପ୍ରଭୁ ! ମୋର ଆସ୍ପୃହା ଚାହେଁ ତୋତେ, ତୁ ଯାହା ତା’ର ଜ୍ଞାନ ଓ ତୋ ସଙ୍ଗେ ଏକାତା । ମୁଁ ଚାହେଁ ମୋର ପ୍ରେମ ଯେପରି ବୁଦ୍ଧି ପାଇଚାଲୁ, ପ୍ରତିନିୟତ ଶୁଦ୍ଧତର, ବିଶାଳତର ଓ ତୀବ୍ରତର ହୋଇଉଠୁ, କିନ୍ତୁ କାର୍ଯ୍ୟତଃ ଦେଖୁଛି ମୁଁ ଯେପରି ବୁଡ଼ିଯାଇଛି ଜଡ଼ ମଧ୍ୟରେ । ଏହାହିଁ କ’ଣ ତୋର ଉତ୍ତର ? ତୁ ନିଜେ ତ ଏହି ଭାବରେ ଜଡ଼ ମଧ୍ୟରେ ବୁଡ଼ିଯିବାକୁ ସ୍ବୀକୃତ ହୋଇଛୁ, ଯେଉଁଥିରେ କି ତାକୁ ଧୀରେ ଧୀରେ ସଚେତନ କରିପାରୁ । ତେବେ ଏହା କ’ଣ ତୋ ସଙ୍ଗରେ ଗାଢ଼ତର ଏକାତ୍ମତାର ଫଳ ? ଉତ୍ତରରେ ତୁ କ’ଣ ମୋତେ ଏ କଥା କହିବାକୁ ଚାହୁଁ : “ଯଦି ଯଥାର୍ଥ ପ୍ରେମ ଜାଣିବାକୁ ଚାହୁଁ, ତେବେ ପ୍ରେମ କରିବାକୁ ହେବ ଏହି ଭାବରେ – ଅନ୍ଧକାର ଓ ଅଚେତନା ଗର୍ଭରେ ?”

ହେ ଭଗବାନ୍, ହେ ମୋର ମଧୁମୟ ପ୍ରଭୁ, ତୁ ଜାଣୁ ମୁଁ ତୋର, ତୁ ଯାହା ଚାହୁଁ ମୁଁ ସର୍ବଦା ତାହାହିଁ ଚାହେଁ, କିନ୍ତୁ ତୋର ଇଚ୍ଛା ସମ୍ପର୍କରେ ଯେପରି ମୋ ଭିତରେ କୌଣସି ସନ୍ଦେହ ନ ଉଠୁ । ମୋ ହୃଦୟର ଅଚଳ ପ୍ରଶାନ୍ତି ଭିତରେ ଯେଉଁ ପ୍ରକାରେ ବି ହେଉ ଜ୍ଞାନର ଆଲୋକ ଜଳାଇ ଦେ । ଯଦି ଅନ୍ଧକାର ଭିତରେ ମୋର ବୁଡ଼ିଯିବା ପ୍ରୟୋଜନହୁଏ ତେବେ ତାହାହିଁ ହେଉ, କିନ୍ତୁ ଅନ୍ତତଃ ମୋତେ ଜାଣିବାକୁ ଦେ ତାହାହିଁ ତୋର ଇଚ୍ଛା ବୋଲି ।

ଭଗବାନ୍ ! ଶୁଣୁଛି ତୋର ଉତ୍ତର, ମୋ ହୃଦୟ ମଧ୍ୟରେ ତୋର ଦିବ୍ୟଶାଶ୍ୱତ ସାନ୍ତିର ଆନନ୍ଦମୟ ସଙ୍ଗୀତ ।