Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୯, ୧୯୧୪

ଯେଉଁ ମୁହୂର୍ତ୍ତରେ ମୁଁ ଅନୁଭବ କଲି ଯେ ଏହି ଲେଖା ମୋ ପକ୍ଷରେ ଏକାନ୍ତ ପ୍ରୟୋଜନ, ଯେଉଁଥିରେ ତାମସିକତାର ଅବରୋଧ ଭିତରୁ ମନ ନିଜକୁ ମୁକ୍ତ ରଖୁପାରେ, ଠିକ୍ ସେତିକିବେଳେ ମୋ ଶରୀର-ଯନ୍ତ୍ରଟିକୁ ଏକ ପରାଜୟ ଭୋଗିବାକୁ ହେଲା, ବହୁବର୍ଷ ଧରି ଏପରି କିଛି ସହିତ ତା’ର କୌଣସି ସମ୍ବନ୍ଧ ନ ଥିଲା । କିଛି ଦିନ ପାଇଁ ସକଳ ରୁ ମୁଁ ବଞ୍ଚିତ ହେଲି । ମୁଁ ଦେଖୁ, ମୁଁ ଯେ କେଉଁଠି ଭୁଲ୍ କରିଛି ଏ ହେଉଛି ତା’ର ଲକ୍ଷଣ; ମୋର ଆଧ୍ୟାତ୍ମିକ ବଳ ହ୍ରାସ ହୋଇଛି, ସର୍ବଶକ୍ତିମୟ ଏକତ୍ଵର ଦୃଷ୍ଟି ମଳିନ ହୋଇଛି, କେଉଁଠୁ ଏକ କୁମନ୍ତ୍ରଣା ଆସି ମୋତେ କିଛି ପରିମାଣରେ ଅସୁବିଧାରେ ପକାଇବାକୁ ସମର୍ଥ ହୋଇପାରିଛି । ହେ ଭଗବାନ୍, ହେ ମୋର ମଧୁମୟ ପ୍ରଭୁ, ତୋ ସମ୍ମୁଖରେ ମୁଁ ସବିନୟ ପ୍ରଣାମ କରୁଛି, ମୁଁ ବର୍ତ୍ତମାନ ସଚେତନ ହୋଇଛି ଯେ ତୋସଙ୍ଗ ରେ ପୂର୍ଣ୍ଣ ଏକତ୍ୱ ଲାଭ କରିବା ପାଇଁ ମୁଁ ଏବେ ବି ପ୍ରସ୍ତୁତ ହୋଇ ନାହିଁ । ଏଇ ଯେଉଁ ଯନ୍ତ୍ରଟିକୁ ତୋର ସେବାରେ ମୁଁ ନିଯୁକ୍ତ କରିପାରେ, ତା’ର ଉପାଦାନ ଭିତରେ ଏପରି କିଛି ରହିଛି ଯାହାକି ଏବେ ବି ତମସାଚ୍ଛନ୍ନ, ସେଥିରେ ରହିଛି ବୁଦ୍ଧିର ଅଭାବ, ତୋରଶକ୍ତି ପ୍ରେରଣାକୁ ତା’ର ଯେପରି ଭାବେ ଉତ୍ତର ଦେବା କଥା ସେ ସେପରି ଉତ୍ତର ଦେଇପାରୁ ନାହିଁ, ବରଂ ସେଗୁଡ଼ିକର ପ୍ରକାଶକୁ ବିକୃତ କରୁଛି ଓ ଆବୃତ କରି ରଖୁଛି ।

ମୋ ଆଗରେ ଏକ ମହାସମସ୍ୟା ଆସି ଉପସ୍ଥିତ ହୋଇଥିଲା । କିନ୍ତୁ ମୋର ଅସୁସ୍ଥତାର ଆବରଣରେ ତାହା ଢାଙ୍କି ହୋଇଗଲା, ତା’ର ମୀମାଂସା ହୋଇପାରିଲା ନାହିଁ । କିନ୍ତୁ ବର୍ତ୍ତମାନ ମୁଁ ପୁନର୍ବାର ତୋର ଏକତ୍ଵର ଚେତନାରେ ବାସ କରୁଛି, ଆଉ ସେହି ପୂର୍ବ ସମସ୍ୟାର ଯେପରି କିଛି ଅର୍ଥ ନାହିଁ, ତାହାକୁ ଭଲ ଭାବରେ ବୁଝି ମଧ୍ୟ ପାରୁନାହିଁ ।

ମନେହୁଏ ପଛରେ, ବହୁ ଦୂରରେ ଯେପରି କିଛି ପକାଇ ଆସିଛି, ମନେହୁଏ ମୁଁ ଯେପରି ଧୀରେ ଧୀରେ ଏକ ନୂତନ ଜୀବନ ନେଇ ଜାଗିଉଠିଛି । ଏହା ଯେପରି ଏକ ମାୟା-ମରୀଚିକା ନ ହୁଏ, ଚିରଦିନ ପାଇଁ ଯେପରି ରହିଯାଏ ଏହି ଗଭୀର ପ୍ରସନ୍ନ ଶାନ୍ତି ।

ହେ ମୋର ଦିବ୍ୟ ପ୍ରଭୁ, ତୋ ଅଭିମୁଖରେ ମୋର ପ୍ରେମ ତୀବ୍ରରୁ ତୀବ୍ରତର ବେଗରେ ଉଠିଚାଲିବାକୁ ଚାହେଁ । ଏ ଜଗତରେ ମୁଁ ଯେପରି ତୋର ଜୀବନ୍ତ ପ୍ରେମ ହୋଇ ଉଠିପାରେ, କେବଳ ସେଇ ଜୀବନ୍ତ ପ୍ରେମ, ଆଉ କିଛି ନୁହେଁ । ସକଳ ଅହଂକାର, ସକଳ ସୀମା, ସକଳ ଅନ୍ଧକାର ଦୂର ହୋଇଯାଉ; ମୋର ଚେତନା ତୋ ଚେତନା ସଙ୍ଗେଏକ ହୋଇଯାଉ ଯେପରି ତୁହିଁ ଏହି ଭଙ୍ଗୁର ନଶ୍ୱର ଯନ୍ତ୍ରଟିର ଇଚ୍ଛାଶକ୍ତି ହୋଇ ତା’ ମଧ୍ୟରେ କାର୍ଯ୍ୟ କରିଯାଉ ।

ହେ ମୋର ମଧୁର ସ୍ଵାମି, କି ଆବେଗରେ ମୋର ପ୍ରେମ ତୋ ଆଡ଼କୁ ଧାବିତ ହେଉଛି…

ହେ ଭଗବାନ୍, ତୁ ଏହାହିଁ କର, ଯେପରି ତୋର ଦିବ୍ୟପ୍ରେମ ଛଡ଼ା ମୁଁ ଆଉ କିଛି ନ ହୁଏ, ଏଇ ପ୍ରେମ ଯେପରି ପ୍ରତ୍ୟେକ ଜୀବ ମଧ୍ୟରେ ପ୍ରବଳ ହୋଇ ବିଜୟୀ ହୋଇ ଜାଗିଉଠେ ।

ମୁଁ ଯେପରି ହୋଇପାରେ ପ୍ରେମର ଏକ ବିପୁଳ ଆଚ୍ଛାଦନ, ସାରା ପୃଥିବୀକୁ ଯେପରି ସେଥିରେ ଢାଙ୍କି ରଖୁପାରେ, ସକଳ ହୃଦୟରେ ଯେପରି ପ୍ରବେଶ କରିପାରେ, ସକଳଙ୍କ କର୍ଣ୍ଣକୁହରରେ ଯାଇ ଯେପରି କହିପାରେ ତୋର ଆଶା ଓ ଶାନ୍ତିର ଦିବ୍ୟବାଣୀ ।

ହେ ମୋର ଦିବ୍ୟ ପ୍ରଭୁ, କି ଆବେଗରେ ମୋ ଆହା ତୋ ଆଡ଼କୁ ଉଠିଚାଲିଛି ! ଅନ୍ଧକାର ଓ କ୍ରାନ୍ତିର ଏହି ସକଳ ବନ୍ଧନକୁ ଭାଙ୍ଗି ଦେ, ଦୂର କରି ଏହି ଅଜ୍ଞାନ, ମୁକ୍ତ କର, ମୁକ୍ତ କର ମୋତେ, ତୋର ଆଲୋକ ମୋତେ ଦେଖାଅ ।

ଭାଙ୍ଗିଦେ, ଭାଙ୍ଗିଦେ ଏଇସବୁ ବନ୍ଧନ… ମୁଁ ବୁଝିବାକୁ ଚାହେଁ, ମୁଁ ଚାହେଁ ହେବାକୁ, ଅର୍ଥାତ୍ ଏଇ ‘ମୁଁ’ ହୋଇଉଠିବ ତୋର ‘ମୁଁ’, ଜଗତରେ ଆଉ ଦ୍ୱିତୀୟ ‘ମୁଁ’ ରହିବ ନାହିଁ ।

ହେ ଭଗବାନ୍, ମୋର ପ୍ରାର୍ଥନା ପୂର୍ଣ୍ଣ କର, ମୋର ଆକୃତି ଆବେଗ ସହ ତୋ ଅଭିମୁଖେ ଉଠିଚାଲିଛି ।