ଆଜିପର୍ଯ୍ୟନ୍ତ ଯାହାକିଛି ଧାରଣା କରିଛି, ଉପଲବ୍ଧି କରିଛି, ତାହା ଅତି ସାମାନ୍ୟ, ଅତି ସାଧାରଣ, ଯାହା କରିବାକୁ ହେବ ତା’ ତୁଳନାରେ ଅତି ଅସଂପୂର୍ଣ୍ଣ । ଅତୀତର ସିଦ୍ଧିସବୁ ବର୍ତ୍ତମାନ ଆଉ ବଳବତ୍ତର ନୁହନ୍ତି । ନୂତନ ସାମର୍ଥ୍ୟସବୁକୁ ରୂପାନ୍ତର କରିବା ପାଇଁ ଓ ତୋର ଦିବ୍ୟସଂକଳ୍ପ ନିକଟରେ ସେଗୁଡ଼ିକୁ ଉତ୍ସର୍ଗ କରିବା ପାଇଁ ଏକ ନୂତନ ଶକ୍ତି ଦରକାର । – “ଚାହଁ ଏବଂ ଯାହା ଚାହିଁବ ତା’ ହେବ”, ନିରନ୍ତର ଏହାହିଁ ତୋର ଉତ୍ତର । ତେବେ ବର୍ତ୍ତମାନ, ହେ ଭଗବାନ୍, ଏହି ସତ୍ତା ମଧ୍ୟରେ ତୋତେ ସୃଷ୍ଟି କରିବାକୁ ହେବ ଅଟଳ ପ୍ରଶାନ୍ତ ଉପରେ ପ୍ରତିଷ୍ଠିତ ଏକ ନିତ୍ୟ ନିରବଚ୍ଛିନ୍ନ ତୀବ୍ର ଉଜ୍ଜାମ ଆସ୍ପୃହା ।ନୀରବତା ରହିଛି, ଶାନ୍ତି ରହିଛି : ବର୍ତ୍ତମାନ ଆବଶ୍ୟକ ତୀବ୍ରତା ମଧ୍ୟରେ ସ୍ଥିର ନିଷ୍ଠାର ଜନ୍ମ । ତୋର ହୃଦୟ ଗାନ କରୁଛି ବିଜୟ -ଆନନ୍ଦର ସଂଗୀତ, ଯେପରି କି ତୁ ଯାହା ଇଚ୍ଛା କରିଛୁ ତାହା ଏବେ ସିଦ୍ଧିର ପଥରେ ।… ଏ ସମସ୍ତ ଉପାଦାନ ଧ୍ୱଂସ ହୋଇଯାଉ, ତାହାର ଭସ୍ମ ଭିତରୁ ଯେପରି ଉଠିଆସୁ ନୂତନ ପ୍ରକାଶର ଯୋଗ୍ୟ ନୂତନ ଉପାଦାନସବୁ ।
ବିପୁଳ ତୋର ପ୍ରତ୍କଳ ଶାନ୍ତି !
ସର୍ବଶକ୍ତିମାନ୍ ତୋର ସାର୍ବଭୌମ ପ୍ରେମ !
ଆମେ ଯାହାକିଛି ଚିନ୍ତା କରୁ, ତା’ର ଊର୍ଦ୍ଧ୍ୱରେ ରହିଛି ଆମର ଭବିଷ୍ୟଦୃଷ୍ଟିଗମ୍ୟ ଅନିର୍ବଚନୀୟ ତୋର ଜ୍ଵଳନ୍ତ ମହିମା । ଆମକୁ ପ୍ରଦାନ କର ସତ୍ୟ-ଚିନ୍ତା, ପ୍ରଦାନ କର ସତ୍ୟ-ବାକ୍, ପ୍ରଦାନ କରି ସତ୍ୟ-ଶକ୍ତି ।
ବିଶ୍ୱର ରଣାଙ୍ଗନରେ ଆସି ପ୍ରବେଶ କର, ହେ ଅଜ୍ଞାତ ନବ-ଜାତକ !