Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୨୭, ୧୯୧୪

ଆଧାରର ପ୍ରତ୍ୟେକ ସ୍ତରରେ ଚେତନାକୁ ପୂର୍ଣ୍ଣ ସ୍ଥିତି, ଜ୍ଞାନ ଓ ଆନନ୍ଦ ଆଡ଼କୁ ଜାଗ୍ରତ୍ କରିବାକୁ ହେବ । ଏହି ତିନିଟି ଜଗତ୍ ବା ଭଗବାନଙ୍କର ତିନିଟି ଧାରା ଊର୍ଦ୍ଧ୍ୱଶକ୍ତି ଓ ଜ୍ୟୋତିର ଲୋକରେ ଯେପରି ଅଛି, ପୁଣି ଅନନ୍ତ ଓ ଅସୀମର ନୈର୍ବେକ୍ତିକ ଅପୌରୁଷେୟ ଅବସ୍ଥାରେ ଯେପରି ଅଛି, ଠିକ୍ ସେହିପରି ସ୍ଥୂଳ ବସ୍ତୁର ପ୍ରତିଷ୍ଠାନରେ ମଧ୍ୟରହିଛି । ପୂର୍ଣ୍ଣ ଚେତନା ସହ ଆମେ ଯେତେବେଳେ ଊର୍ଦ୍ଧ୍ୱତର ଲୋକରେ ପ୍ରବେଶ କରୁ ସେତେବେଳେ ଏହି ସ୍ଥିତି, ଏହି ଜ୍ୟୋତି, ଏହି ଆନନ୍ଦରେ ରହିବା ସହଜ ହୁଏ, ବରଂ ଅନିବାର୍ଯ୍ୟ ହୋଇଉଠେ । କିନ୍ତୁ ସବୁଠାରୁ ଯାହା ପ୍ରୟୋଜନ ଓ ସବୁଠାରୁ ଯାହା ଦୁରୂହ, ତା’ ହେଲା ଏହି ତ୍ରିଧା ଦିବ୍ୟ ଚେତନାରେ ସତ୍ତାକୁ ଜଡ଼ତମ ସ୍ତରରେ ଜାଗ୍ରତ୍ କରିବା । ଏହା ହେଉଛି ପ୍ରଥମ କଥା । ତାପରେ ଆବିଷ୍କାର କରିବାକୁ ହେବ ଦିବ୍ୟଲୋକସବୁର କେନ୍ଦ୍ରକୁ (ବୋଧହୁଏ ମଧ୍ୟବର୍ତ୍ତୀ ଜଗତରେ) ଯେଉଁଠୁ ଏହିସବୁ ଦିବ୍ୟଜଗତର ଚେତନାକୁ ଏକ କରି ଧରାଯାଏ, ସେସବୁର ସମନ୍ୱୟ କରାଯାଏ, ସେମାନଙ୍କ ମଧ୍ୟରେ ଯୁଗପତ୍ ଏବଂ ପୂର୍ଣ୍ଣ ଚେତନା ସହ କର୍ମ କରାଯାଏ ।

ହେ ଭଗବାନ୍, ମୁଁ ଜାଣେ, ଯେଉଁ ପରମ ସତ୍ୟବସ୍ତୁ ତୋତେ ବ୍ୟକ୍ତ କରେ ତା’ଠାରୁ ଏହିସବୁ ଅସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା କେତେ ଦୂରରେ ପଡ଼ିରହିଛି । ତୋ ଜ୍ୟୋତି, ତୋ ଶକ୍ତି, ତୋ ଐଶ୍ୱର୍ଯ୍ୟ, ତୋ ଅପରିସୀମ ପ୍ରେମ ସମସ୍ତ ବ୍ୟାଖ୍ୟା, ସମସ୍ତଭାଷ୍ୟର ଊର୍ଦ୍ଧ୍ୱରେ । କିନ୍ତୁ ମୋର ବୁଦ୍ଧି ପକ୍ଷରେ ପ୍ରୟୋଜନ ଅନ୍ତତଃ ଗୋଟାଏ ଛକକଟା ପରିକଳ୍ପନା ମଧ୍ୟରେ ଜିନିଷସବୁକୁ ଦେଖୁ, ଯେଉଁଥିରେ ଆଧାରର ଜଡ଼ତମ ଅଂଶଗୁଡ଼ିକ ମଧ୍ୟ ଯଥାସମ୍ଭବ ପୂର୍ଣ୍ଣଭାବେ ତୋ ଇଚ୍ଛାର ଅନୁଗତ ହୋଇଉଠନ୍ତି ।

ତଥାପି ମୁଁ ତୋତେ ସବୁଠାରୁ ଭଲ ବୁଝିପାରେ ସେତିକିବେଳେ ଯେତେବେଳେ ମୁଁ ମୋର ମୌନ ଅଖଣ୍ଡ ଆରାଧନାର ଗଭୀର ନୀରବତାରେ ବୁଡ଼ିଥାଏ । କାରଣ ସେତେବେଳେ କିଏ ପ୍ରେମ କରେ, କାହାକୁ ପ୍ରେମକରେ, ପ୍ରେମ କରିବା ର ସାମର୍ଥ୍ୟ ଜିନିଷଟି ବା କ’ଣ କିଏ କହିପାରିବ ? ତିନିଟି ହିଁ ଏକ ଅନନ୍ତ ପରମାନନ୍ଦ ମରେ ।

ହେ ଭଗବାନ୍, ସମସ୍ତଙ୍କୁ ପ୍ରଦାନ କରି ଏହି ଅନୁପମ ପରମାନନ୍ଦର କଲ୍ୟାଣ ।