Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁଲାଇ ୧୭, ୧୯୧୪

ଆମ୍ଭମାନଙ୍କ ଆଖିରେ ପାର୍ଥିବ ସିଦ୍ଧିସବୁ ସହଜରେ ବିପୁଳ ପ୍ରାଧାନ୍ୟ ଲାଭ କରେ, କାରଣ ସେମାନଙ୍କର ପରିମାପ ଠିକ୍ ଆମ୍ଭମାନଙ୍କ ବାହ୍ୟ ସତ୍ତାର ଅନୁପାତରେ, ଯେଉଁ ସୀମାବଦ୍ଧ ରୂପ ନେଇ ଆମେ ମଣିଷ ହୋଇଛୁ ତା’ର ଅନୁପାତରେ । କିନ୍ତୁ ତୋ ତୁଳନାରେ, ତୋ ସମ୍ମୁଖରେ ପାର୍ଥ ସିଦ୍ଧିର କ’ଣ ବା ମୂଲ୍ୟ ? ତା’ ଯେତେ ନିଖୁଣ, ଯେତେ ପରିପୂର୍ଣ୍ଣ, ଯେତେ ଦିବ୍ୟଧର୍ମୀ ହେଉ, ତା’ ହେଉଛି ତୋ ଶାଶ୍ୱତ ସତ୍ତା ମଧ୍ୟରେ ଏକ ନଗଣ୍ୟ ମୁହୂର୍ତ୍ତ; ଆଉ ସେ ଯେଉଁସବୁ ଫଳ ନେଇଆସେ, ତା’ ଯେତେ ଶକ୍ତିମାନ୍, ଯେତେ ଆଶ୍ଚର୍ଯ୍ୟକର ହେଉ ନା କାହିଁକି, ସେସବୁ ହେଉଛି ତୋ ଅଭିମୁଖରେ ଯେଉଁ ଅନ୍ତହୀନ ଯାତ୍ରା ତା ମଧ୍ୟରେ ଗୋଟିଏ ଗୋଟିଏ ଅକିଞ୍ଚତ୍କର କଣିକା । ତୋ କର୍ମୀମାନେ କଦାପି ଏକଥା ଭୁଲିଗଲେ ଚଳିବ ନାହିଁ, ଅନ୍ୟଥା ସେମାନେ ତୋ ସେବାର ଅଯୋଗ୍ୟ ହୋଇଯିବେ ।…

ହେ ମଧୁରାଧୂପତି ପ୍ରଭୁ ମୋର ! କୌଣସି କିଛି ପାଇଁ ଦାୟିତ୍ୱ ହେଲା ଆମର, ଏପରି ଧାରଣା ରଖିବା, ତୋର ପରମ ଭାଗବତ ଇଚ୍ଛାଶକ୍ତି ଆମ ମଧ୍ୟରେ ବ୍ୟକ୍ତିରୂପ ଗ୍ରହଣ କରିବ, ଏପରି ଇଚ୍ଛା ରଖିବା ବାଳସୁଲଭ ଚପଳତା ଛଡ଼ା ଆଉ କ’ଣ ହୋଇପାରେ ? ତୋର ହୃଦୟ ସହ ମିଳିତ ହୋଇଯିବା, ସେଠାରେ ଚିରକାଳ ବାସ କରିବା, ଏ କ’ଣ ଯଥେଷ୍ଟ ନୁହେଁ ? ତା’ ହେଲେ ସକଳ ଦାୟିତ୍ୱ ତୁ ଗ୍ରହଣ କରୁ, ଏବଂ ତୋ ଇଚ୍ଛା କାର୍ଯ୍ୟ କରିଚାଲେ, ଆମେ ଜାଣୁ ବା ନ ଜାଣୁ ସେଥିରେ କିଛି ଯାଏ ଆସେ ନାହିଁ … । ସେ ସିଦ୍ଧିବାହ୍ୟ ଅବସ୍ଥା ଉପରେ ଆଦୌ ନିର୍ଭର କରେ ନାହିଁ, ତାକୁ କେତେ ଅଧିକ ମାତ୍ରାରେ ଅନୁସରଣ କରା ହେଲା ବା ଅବଧାରଣା କରା ହେଲା ସେ ସେହି ବିବେଚନାକୁ ଅପେକ୍ଷାକରେ ନାହିଁ, ଏ ହେଲା ପ୍ରକୃତ ସିଦ୍ଧି, ସିଦ୍ଧିର ପରମୋତ୍କର୍ଷ । ସେ ଧରଣର ଏକ ମାତ୍ର ସିଦ୍ଧି ହେଲା ଅଖଣ୍ଡଭାବେ, ନିବିଡ଼ ଭାବେ, ଚିରନ୍ତନ ଭାବେ ତୋ ସହ ଏକ ହୋଇଯିବା । ଆଉଏହି କ୍ଷଣିକ ଜୀବନ, ଏହି ନଶ୍ଵର ଜଗତରେ ତୋର ଯେଉଁ କ୍ଷଣିକ ଓ ନଶ୍ୱର ପ୍ରକାଶତା’ର ଭାର ତୁ ନେଇଛୁ, ତୋ ବିବେଚନା ଅନୁସାରେ ତା’ର ଯେଉଁଥିରେ ମଙ୍ଗଳ ସେ ତାହା ହୋଇ ଉଠିବା ପାଇଁ ଯାହା ଆବଶ୍ୟକ ତୁ ତାହା କର ।

ହେ ମୋର ମଧୁମୟ ପ୍ରଭୁ, ମୋର ପରମ ଅଧୀଶ୍ୱର, ମୋ ଠାରୁ ସମସ୍ତ ଚିନ୍ତାରଭାର ତୁ ନେଇଯାଇଛୁ, ରଖ ଖାଲି ଆନନ୍ଦ, ତୋ ସହ ସମିଳନର ପରମ ଉଲ୍ଲାସ ।