ମୋ ହୃଦୟ ଭିତରେ ନିଶ୍ଚିନ୍ତ ଭାବରେ ରହ, ଉଦ୍ୱିଗ୍ନ ହୁଅ ନା, ଯାହା କରିବା କଥା ତା’ ନିଶ୍ଚୟ କରାହେବ । ଯେତେବେଳେ କାର୍ଯ୍ୟ କରୁ ଅଥଚ ନିଜେ ଜାଣୁ ନା, ଠିକ୍ ସେତେବେଳେ ହିଁ କାର୍ଯ୍ୟଟି ସର୍ବୋତ୍ତମଭାବେ ସଂପନ୍ନ ହୁଏ ।”…
ହେ ଭଗବାନ୍, ମୁଁ ତୋ ହୃଦୟ ଭିତରେ ରହିଛି, ସେଠାରୁ ମୋତେ କେହି ଅପସାରିତ କରିପାରିବ ନାହିଁ । ଆଉ ତୋ ହୃଦୟର ଅତଳ ଗଭୀରତାରୁ, ତା’ର ଆନନ୍ଦମୟ ହାସ୍ୟମୟ ପ୍ରଶାନ୍ତି ମଧ୍ୟରେ ରହି ମୁଁ ଦେଖୁଛି ତୋ ପ୍ରକାଶର ବାହ୍ୟ ରୂପସବୁ, ସେମାନେ ଚେଷ୍ଟା କରୁଛନ୍ତି, ଉଦ୍ୟମ କରୁଛନ୍ତି ତୋତେ ଆହୁରି ଉତ୍ତମରୂପେ ବୁଝିବା ପାଇଁ ଓ ଅଭିବ୍ୟକ୍ତ କରିବା ପାଇଁ ।
ଯଦି ସମୟ ଆସି ଯାଇଥାଏ – ତୁ ମୋତେ ତାହାହିଁ ଜଣାଇ ଦେଇଛୁ – ତୋ ସିଦ୍ଧିପାଇଁ ଯଦି ନବତର ଆଧାରର ପ୍ରୟୋଜନ ହୁଏ, ତେବେ ସେହି ଧରଣର ଆଧାର ନିଶ୍ଚୟଜନ୍ମ ଗ୍ରହଣ କରିବ । ଏହି ସତ୍ତା ମଧରେ ଏପରିକିଛି ରହିଛି ଯାହା ବସ୍ତୁସକଳର ପୂର୍ବାଭାସ ଅନୁଭବ କରେ କିନ୍ତୁ ଏପର୍ଯ୍ୟନ୍ତ ତା’ର କୌଣସି ସ୍ପଷ୍ଟ ଜ୍ଞାନ ନାହିଁ – ତେଣୁ ସେ ଆପ୍ରାଣ ଚେଷ୍ଟା କରେ ନିଜକୁ ଏପରି ଭାବେ ପରିବର୍ତ୍ତିତ କରିବାକୁ ଯାହାଫଳରେ ତୁ ତାହା ଠାରୁ ଯାହା ଦାବି କରୁ ସେ ଯେପରି ତାହାର ଉପଯୋଗୀ ହେବାର ଉଚ୍ଚତର ଶିଖରକୁ ଉଠିଯାଇପାରେ । କିନ୍ତୁ ଯାହା ତୋ ସମ୍ବନ୍ଧରେ ସଚେତ ଏବଂ ତୋର ଶକ୍ତି ମଧ୍ୟରେ ବାସ କରେ, ସେ ଜାଣେ ଏହି ନବତର ଆଧାରର ରୂପାୟନ ମଧ୍ୟ ତାର ପ୍ରକାଶର ଅନ୍ତହୀନ କ୍ରମଧାରାରେ ଏକ ଅତି କ୍ଷୁଦ୍ର ଓ ନଗଣ୍ୟ ଅଗ୍ରଗତି ମାତ୍ର, ଏବଂ ସମସ୍ତ ରୂପାବଳିକୁ ସେ ଦେଖେ ଚିରନ୍ତନ ପୂର୍ଣ୍ଣତାର ପ୍ରାଶାନ୍ତ ଦୃଷ୍ଟି ନେଇ ।
ଏହି ପ୍ରଶାନ୍ତ ଭିତରେ ହିଁ ରହିଛି ତୋ ସିଦ୍ଧିର ସର୍ବଶକ୍ତିମୟ ତା ।
ଆମକୁ ଜାଣିବାକୁ ହେବ ଅଟଳ ବିଶ୍ୱାସ ନେଇ କିପରି ଊର୍ଦ୍ଧ୍ୱକୁ ଉଠିଯାଇ ହୁଏ, ସେହି ନିଶ୍ଚିତ ଉଦ୍ଧାୟନରେ ହିଁ ପୂର୍ଣ୍ଣ ଜ୍ଞାନ ନିହିତ ।