Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୧୩, ୧୯୧୩

ହେ ପ୍ରଭୁ, ମୋତେ ଜ୍ଞାନଦୀପ୍ତ କର, ମୁଁ ଯେପରି ଭୁଲ ନ କରେ । ଯେଉଁ ଅସୀମ ଶ୍ରଦ୍ଧା, ଏକାନ୍ତ ଭକ୍ତି ଓ ତୀବ୍ର ଗଭୀର ପ୍ରେମ ନେଇ ମୁଁ ତୋ ନିକଟକୁ ଯାଉଛି, ତା’ ଯେପରି ଚତୁର୍ଦିଗରେ ଆଲୋକ ବିଚ୍ଛୁରଣ କରୁ, ବିଶ୍ଵାସ ସଞ୍ଚାର କରୁ, ସଂକ୍ରାମକ ହୋଇଉଠୁ, ଯେପରି ତାହା ସମସ୍ତଙ୍କ ହୃଦୟରେ ଜାଗରିତ ହେଉ ।

ହେ ଭଗବାନ୍, ସନାତନ ପ୍ରଭୁ, ତୁ ମୋର ଜ୍ୟୋତିଃ, ମୋର ଶାନ୍ତି । ପ୍ରତିପଦରେ ମୋତେ ଚାଳିତ କର, ମୋର ଆଖୁ ଖୋଲିଦିଅ, ହୃଦୟ ଆଲୋକିତ କର, ଯେଉଁ ପଥ ସିଧା ଭାବରେ ତୋ ଆଡ଼କୁ ଯାଇଛି ସେଇ ପଥରେ ମୋତେ ନେଇଚାଲ ।

ପ୍ରଭୁ, ପ୍ରଭୁ, ତୋର ଇଚ୍ଛା ବ୍ୟତୀତ ମୋର ଯେପରି ଆଉ କୌଣସି ଇଚ୍ଛା ନରହେ । ମୋର ପ୍ରତ୍ୟେକ କର୍ମ ଯେପରି ହୁଏ ତୋର ଦିବ୍ୟବିଧାନର ପ୍ରକାଶ ।

ଏକ ବିପୁଳ ଜ୍ୟୋତିଃ ମୋତେ ପ୍ଲାବିତ କରିଛି, ତୋ ଛଡ଼ା ମୋ ଚେତନାରେ ଆଉ କିଛି ନାହିଁ ।

ଶାନ୍ତି, ଶାନ୍ତି ସମସ୍ତ ପୃଥିବୀ ଉପରେ ଶାନ୍ତି ଆସୁ ।