ପ୍ରତିଦିନ ପ୍ରଭାତରେ ଆମର ଚିନ୍ତା ଯେପରି ତୋ ଆଡ଼କୁ ଉଠିଚାଲୁ, ତାହା ଯେପରି ତୋତେ ଜିଜ୍ଞାସା କରୁ ତୋର ଅଭିବ୍ୟକ୍ତି ଓ ସେବା ପାଇଁ ସର୍ବୋତ୍ତମ କେଉଁ କାର୍ଯ୍ୟ ଆମେ କରିପାରୁ । ପ୍ରତି ମୁହୂର୍ତ୍ତରେ ଆମେ ଅନେକ ବାଛବିଚାର କରୁ, ଦେଖିଲେ ମନେହେବ ଯେପରି ସେସବୁର କାହାରି କିଛି ବିଶେଷତ୍ଵ ନାହିଁ, କିନ୍ତୁ ବସ୍ତୁତଃ ସେଗୁଡ଼ିକର ମୂଲ୍ୟ ଅନେକ । କାରଣ ଆମେ ଯେପରି ଭାବେ ବାଛ ବିଚାର କରୁ, ସେଇ ଅନୁସାରେ ଗୋଟିକର ବା ଅନ୍ୟଟିର କାର୍ଯ୍ୟ- କାରଣ -ପରମ୍ପରାର ଅନୁଗତ ହୋଇଚାଲୁ ତେଣୁ ପ୍ରତି ମୁହୂର୍ତ୍ତରେ ଆମର ମନୋଭାବ ଏପରି ହେଉ ଯେପରି ତୋର ଦିବ୍ୟ ଇଚ୍ଛା ହିଁ ଆମର ନିର୍ବାଚନକୁ ନିର୍ଦ୍ଦିଷ୍ଟ କରିଦିଏ ଏବଂ ଏହି ଭାବରେ ତୁ ଯେପରି ଆମ ସମଗ୍ର ଜୀବନର ଦିଶାରୀ ହୋଇଉଠୁ । ଯେତେବେଳେ ଆମେ ଗୋଟିଏ ପଥ ବାଛିନେଉ, ସେତେବେଳେ ଆମର ଚେତନା ଯେଉଁ ଅବସ୍ଥାରେ ଥାଏ, ବାସ୍ତବତାର ଯେଉଁ କ୍ଷେତ୍ରରେ ଆମେ ସଚେତନଥାଉ, ସେହି କର୍ମଧାରା ନିକଟରେ ହିଁ ନିଜକୁ ସମର୍ପି ଦେଉ; ସେଇଥିପାଇଁ ଏହିସବୁ ଅପ୍ରତ୍ୟାଶିତ ଅସ୍ୱସ୍ତିକର ଫଳ ଆସି ଦେଖାଦିଏ ଯାହାସବୁ ଆମ ଜୀବନର ମୋଟ ଧାରାଟିର ସଂପୂର୍ଣ୍ଣ ବିପରୀତ । ଏବଂ ସେହିସବୁ ଏପରି ପ୍ରତିବନ୍ଧକ ହୋଇଉଠେ ଯାହାକୁ ଅତିକ୍ରମ କରିବା ଅତ୍ୟନ୍ତ ଦୁଷ୍କର ହୋଇଉଠେ । ସୁତରାଂ ହେ ଦିବ୍ୟପ୍ରେମର ପ୍ରଭୁ, ଆମ୍ଭେମାନେ ଚାହୁଁ ତୋ ସମ୍ବନ୍ଧରେ, ଏକ ମାତ୍ର ତୋ ସମ୍ବନ୍ଧରେ ହିଁ ସଚେତନ ରହିବାକୁ । ଯେତେବେଳେ ଆମ୍ଭେମାନେ କୌଣସି ସିଦ୍ଧାନ୍ତ କରୁ, ଯେତେବେଳେ କିଛି ବାଛିନେଉ, ସେତେବେଳେ ଯେପରି ତୋର ପରମ ବିଧାନ ସଙ୍ଗେ ଏକୀଭୂତ ହେଉ, ଯେଉଁଥିରେ ତୋର ଇଚ୍ଛା ହିଁ ଯେପରି ଆମକୁ ନିୟନ୍ତ୍ରିତ କରେ, ଆମ୍ଭମାନଙ୍କ ଜୀବନ ଯେପରି ତୋତେ ସମର୍ପିତ ହୁଏ – ଅଖଣ୍ଡ ଓ ସକ୍ରିୟ ଭାବରେ ।
ତୋ ରି ଆଲୋକରେ ହିଁ ଆମ୍ଭମାନଙ୍କ ଦୃଷ୍ଟି, ତୋ ରି ଚେତନାରେ ହିଁ ଆମ୍ଭମାନଙ୍କ ଜ୍ଞାନ, ତୋ ରି ଇଚ୍ଛାରେ ହିଁ ଆମ୍ଭମାନଙ୍କ ସିଦ୍ଧି ।