Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୪, ୧୯୧୫

ସେହି ଏକା ହିଁ କଠୋର ନିଃସଙ୍ଗତା… କିନ୍ତୁ ଏହା ଯନ୍ତ୍ରଣାଦାୟକ ନୁହେଁ, ବରଂ ବିପରୀତ । ଏହା ମଧ୍ୟରେ ସ୍ପଷ୍ଟତର ଭାବେ ପ୍ରକାଶିତ ହୋଇଛି ସେହି ଅସୀମ ଓ ବିଶୁଦ୍ଧ ପ୍ରେମ ଯାହା ମଧ୍ୟରେ ସମଗ୍ର ପୃଥିବୀ ବୁଡ଼ି ରହିଛି। ଏହି ପ୍ରେମ ଦ୍ଵାରା ପ୍ରତ୍ୟେକ ବସ୍ତୁଜୀବିତ ଓ ଜୀବନ୍ତ; ଏହାର କଲ୍ୟାଣରେ ଗାଢ଼ତମ ଅନ୍ଧକାର ହୁଏ ସ୍ଵଛୁ ଏବଂ ସେହି ପ୍ରେମର ଧାରାକୁ ତାହା ନିଜ ଭିତର ଦେଇ ପ୍ରବାହିତ ହେବାକୁ ଦିଏ, ଏବଂ ତୀବ୍ରତମ ବେଦନା ମଧ୍ୟ ପରିଣତ ହୁଏ ଶକ୍ତିମୟ ଆନନ୍ଦରେ ।

ଗଭୀର ସାଗର ମଧ୍ୟରେ ଜାହାଜ-ଚକର ପ୍ରତିଟି ଆବର୍ତ୍ତନ ମୋତେ ଯେପରି ମୋର ଯଥାର୍ଥ ନିୟତିଠାରୁ – ଯେଉଁ ନିୟତି ଭାଗବତ ସଙ୍କଳ୍ପକୁ ପୂର୍ଣ୍ଣରୂପେ ପ୍ରକାଶକରେ – ଦୂରକୁ ନେଇଯାଉଛି ବୋଲି ମନେହୁଏ । ମନେହୁଏ ଚାଲିଯାଉଥିବା ପ୍ରତ୍ୟେକ ମୁହୂର୍ତ୍ତ ଯେପରି ମୋତେ ଅତୀତ ମଧ୍ୟରେ ଡୁବେଇ ଦେଉଛି ଯାହାକୁ ମୁଁ ଛାଡ଼ି ଚାଲି ଆସିଛି, ତେବେ ନିଶ୍ଚିତରୂପେ ମୁଁ ଜାଣେ ଯେ ଏକ ବୃହତ୍ତର ଓ ନୂତନ ସିଦ୍ଧି ନିମନ୍ତେ ଆହ୍ୱାନ ଆସିଛି । ମୋର ଅନ୍ତରାତ୍ମାର ଜୀବନ ବାହ୍ୟ କର୍ମାବଳୀ ଉପରେ ଅବାଧ ଶାସନ ପ୍ରତିଷ୍ଠା କରିଛି, ତଥାପି ମନେହୁଏ ଯେପରି ସବୁ କିଛି ଆନ୍ତର ଜୀବନର ଏକ ସଂପୂର୍ଣ୍ଣ ବିପରୀତ ଅବସ୍ଥା ଆଡ଼କୁ ମୋତେ ଟାଣି ନେଇ ଯାଉଛି । କିନ୍ତୁ ବ୍ୟକ୍ତିଗତ ଅବସ୍ଥା ଦୃଶ୍ୟତଃ ଯେତେ ଦୁଃଖମୟ ହେଉ ନା କାହିଁକି, ଚେତନା ମୋର ଏପରି ଏକ ଲୋକରେ ଦୃଢ଼ପ୍ରତିଷ୍ଠ ହୋଇଛି ଯାହା ସବୁ ଦିଗରୁ ବ୍ୟକ୍ତିଗତ ସୀମା ଅତିକ୍ରମ କରିଯାଇଛି, ଫଳତଃ ସମଗ୍ର ଆଧାର ପ୍ରେମ ଓ ଶକ୍ତିର ନିରନ୍ତର ଅନୁଭୂତିରେ ଉଲ୍ଲସିତ ହେଉଛି ।

ଆଗାମୀ କାଲି, ଶୂଳ ବାସ୍ତବ ହିସାବରେ, ଅଜ୍ଞୟ ଓ ଅଭେଦ୍ୟ; ଅତି କ୍ଷୀଣ ଆଲୋକ ମଧ୍ୟ ମୋ ବିଭ୍ରାନ୍ତ ଦୃଷ୍ଟି ସମ୍ମୁଖରେ ଭଗବାନଙ୍କ ନିଦର୍ଶନ, ଭଗବାନଙ୍କ ସାନ୍ନିଧ୍ୟର ସୂଚନା ଦେଉ ନାହିଁ । କିନ୍ତୁ ଚେତନାର ଗଭୀରରେ କିଛି ଯେପରି ସେହି ଅଦୃଶ୍ୟ ଏବଂପରମ ସାକ୍ଷିପୁରୁଷଙ୍କ ଆଡ଼କୁ ଫେରିଛି ଏବଂ ତାଙ୍କୁ କହୁଛି, “ହେ ଭଗବାନ୍ ! ତୁ ମୋତେ ଗଭୀର ଅନ୍ଧକାର ମଧ୍ୟରେ ଡୁବାଇ ରଖୁଛୁ, ତାହାର କାରଣ ଏହି ଯେ ତୋ ଜ୍ୟୋତିଃକୁ ତୁ ମୋ ମଧ୍ୟରେ ଦୃଢ଼ପ୍ରତିଷ୍ଠା କରିଛୁ ଏବଂ ତୁ ଜାଣୁ ତାହା ଏହି ଅଗ୍ନିପରୀକ୍ଷାରେ ନିଶ୍ଚୟ ଉତ୍ତୀର୍ଣ୍ଣ ହେବ । ତା’ହେଲେ ତୁ କ’ଣ ମୋତେହେଁ ନିର୍ବାଚିତ କରିଛୁ ଏହି ନରକର ଘୂର୍ଣ୍ଣିପାକ ମଧ୍ୟରେ ତୋର ମଶାଲଧାରୀ ହୋଇ ଅବତରଣ କରିବା ନିମନ୍ତେ ? ତୁ କ’ଣ ବିବେଚନା କରିଛୁ ଯେ ହୃଦୟ ମୋର ଯଥେଷ୍ଟ ସମର୍ଥ, କୌଣସି କିଛିରେ ସେ ଟଳିବ ନାହିଁ ହସ୍ତ ମୋର ଯଥେଷ୍ଟ ଦୃଢ଼, କୌଣସି କିଛିରେ ତାହା କମିବ ନାହିଁ ? ତଥାପି ମୋର ବ୍ୟକ୍ତିଗତ ସତ୍ତା ବୋଧ କରେ ଯେ ସେ ଶକ୍ତିହୀନ ଓ ଦୁର୍ବଳ; ଯେତେବେଳେ ତୋ ସାନ୍ନିଧ୍ୟର ପ୍ରକଟନ ଥାଏ, ସେତେବେଳେ ଏହା ନିଜକୁ ଅଧିକତର ନିଃସ୍ଵ ବୋଧ କରେ – ସେମାନଙ୍କ ଅପେକ୍ଷା ବି ଅଧିକ ହିଂସ୍ର ବୋଧ କରେ ଯେଉଁ ମାନେ ତୋତେ ଜାଣନ୍ତି ନାହିଁ ବା ତୋତେ ଅବହେଳା କରନ୍ତି । ଏକ ମାତ୍ର ତୁ ହିଁ ତା’ର ସାମର୍ଥ୍ୟ ଓ ଶକ୍ତି । ତେବେ ତୁ ଯଦି ଖୁସୀ ହୋଇ ତାହାକୁ ତୋ ସେବାରେ ଲଗାଇବାକୁ ଚାହୁଁ, ତେବେ ତା’ ପକ୍ଷରେ କିଛି କରିବା କଠିନ ହେବ ନାହିଁ, କୌଣସି କର୍ମ ଅତିମାତ୍ରାରେ ବୃହତ୍ ବା ଜଟିଳ ହେବ ନାହିଁ । କିନ୍ତୁ ତୁ ଯଦି ନିଜକୁ ଅପସାରିତ କରିନେଉ, ତେବେ ସେ କେବଳ ଏକ ଅସହାୟ ଶିଶୁ ହୋଇରହିବ ଯେ କେବଳ ତୋରି କୋଳରେ ହିଁ ସ୍ୱପ୍ନରହିତ ତୁରୀୟ ନିଦ୍ରାରେ ମଗ୍ନ ରହିପାରିବ, ଯେଉଁ ଠାରେ ଆଉ କିଛି ନାହିଁ, ରହିଛୁ କେବଳ ତୁ ହିଁ ।”