ମୁଁ ତୋର ଅଭିମୁଖୀ ହେଲି – ତୁହିଁ ସର୍ବତ୍ର, ସକଳଙ୍କ ମଧ୍ୟରେ ଏବଂ ସକଳଙ୍କ ବାହାରେ, ସକଳଙ୍କ ସାରବସ୍ତୁ ତୁ, ପୁଣି ସକଳଙ୍କ ଠାରୁ ଦୂରରେ ତୁ, ସମସ୍ତ ଶକ୍ତି ଘନୀଭୂତ ହୋଇଛି ତୋତେ ହିଁ କେନ୍ଦ୍ର କରି, ସଚେତନ ସମସ୍ତ ବ୍ୟଷ୍ଟିସତ୍ତାର ତୁହିଁ ସ୍ରଷ୍ଟା । ମୁଁ ତୋର ଅଭିମୁଖୀ ହେଲି, ତୋତେ ବନ୍ଦନା କରୁଛି ହେ ଜଗତର ମୁକ୍ତିଦାତା । ତୋ ଦିବ୍ୟପ୍ରେମ ସହ ମିଶି ଏକ ହୋଇଯାଇ ମୁଁ ଦୃଷ୍ଟିପାତ କରୁଛି ପୃଥିବୀ ଉପରେ, ତା’ର ଜୀବସକଳଙ୍କ ଉପରେ, ଦେଖୁଛି ଏହି ପଦାର୍ଥର ସ୍ତୂପ କିପରି ନିୟତ ରୂପ ଗ୍ରହଣ କରୁଛି, ବିନାଶ ପାଉଛି ଏବଂ ପୁଣି ନୂତନରୂପେ ଗଠିତ ହେଉଛି, ବହୁର ସମାବେଶରେ ଏଇ ଯେଉଁ ସ୍ତୂପ ଗଢ଼ିଉଠେ, ପୁଣି ତତ୍କ୍ଷଣାତ୍ ମିଳାଇଯାଏ, ଏଇ ଯେଉଁସବୁ ସତ୍ତା ଯେଉଁମାନଙ୍କର ଧାରଣା ସେମାନେ ସଚେତନ ଶାଶ୍ଵତ ବ୍ୟଷ୍ଟିରୂପ କିନ୍ତୁ ବସ୍ତୁତଃ ସେମାନେ ଗୋଟିଏ ନିଃଶ୍ଵାସ ପରି ନଶ୍ୱର, ସେମାନେ ସମସ୍ତେ ସେଇ ଗୋଟିଏ ଧରଣର, ଯାହା ବି ପାର୍ଥକ୍ୟ ଥାଉ ନା କାହିଁକି, ସେମାନେ ସମସ୍ତେ ଚିରଦିନ ପୁନଃପୁନଃ ପ୍ରକାଶ କରି ଚାଲିଛନ୍ତି ସେଇ ଏକ ହିଁ ପ୍ରକାରର ସବୁ କାମନା, ସେଇ ଏକ ହିଁ ପ୍ରକାରର ସବୁ ପ୍ରେରଣା, ଏକହିଁ ପ୍ରକାରର ତୃଷା, ସେଇ ଏକହିଁ ପ୍ରକାରର ସବୁ ଅଜ୍ଞାନାଚ୍ଛନ୍ନ ପ୍ରମାଦ ।
ତେବେ, ସମୟ ସମୟରେ ବ୍ୟକ୍ତିବିଶେଷ ମଧ୍ୟରେ ତୋର ପରାଜ୍ୟୋତି ଦୀପ୍ତ ହୋଇଉଠେ, ତାକୁ ଆଶ୍ରୟ କରି ଜଗତରେ ବିକୀର୍ଣ୍ଣ ହୁଏ, ସେତେବେଳେ କିଛି ବୁଦ୍ଧି, କିଛି ଜ୍ଞାନ, କିଛି ନିଃସ୍ୱାର୍ଥ ନିଷ୍ଠା, ବୀରତ୍ଵ ଓ କାରୁଣ୍ୟ ବହୁ ହୃଦୟରେ ପ୍ରବେଶ କରେ, ମସ୍ତିଷ୍କର ରୂପାନ୍ତର ଘଟାଏ, ଜୀବନର ଦୁଃଖମୟ ନିର୍ମମ ଚକ୍ରରେ ଅନ୍ଧ ଅଜ୍ଞାନତା ବଶତଃ ଯେଉଁମାନେ ଆବଦ୍ଧ ସେଥିରୁ କେତେକଙ୍କୁ ମୁକ୍ତ କରିଦିଏ ।
କିନ୍ତୁ ନାଗରିକ ଜୀବନ, ତଥା କଥିତ ସଭ୍ୟତା ମନୁଷ୍ୟକୁ ଆଜି ଯେଉଁ ନିଦାରୁଣ ମତିଭ୍ରମ ଭିତରେ ବୁଡ଼ାଇ ରଖୁଛି ସେଥିରୁ ସେମାନଙ୍କୁ ଉଦ୍ଧାର କରିବାକୁ ହେଲେ ଏଦିଗରେ ଅତୀତରେ ଯାହାସବୁ ହୋଇଛି ତାହାଠାରୁ କେତେ ମହତ୍ତର ଐଶ୍ଵର୍ଯ୍ୟ, କେତେ ଉତ୍ତୁଙ୍ଗ ମହିମା ଓ ଜ୍ୟୋତିର ଆବଶ୍ୟକ ନ ହେବ ! ଏଇସବୁ ଇଚ୍ଛାକୁ ତା’ର ସ୍ଵାର୍ଥାନ୍ୱେଷୀ, ତୁଚ୍ଛ, ନିର୍ବୋଧ ଆତ୍ମତୃପ୍ତିର ତୀବ୍ର ଯୁଦ୍ଧରୁ ଫେରାଇ ଆଣିବାକୁ, ଯେଉଁ ଉତ୍ତାଳ ବିକ୍ଷୋଭରାଜି ତା’ର ମାୟାଦ୍ୟୁତିର ପଛରେ ମୃତ୍ୟୁକୁ ଲୁଚାଇ ରଖୁଛି ସେଥିରୁ ସେସବୁକୁ ମୁକ୍ତ କରି ତୋର ସର୍ବଜୟୀ ସୁସଙ୍ଗତି, ସୁଚ୍ଛନ୍ଦ ଆଡ଼କୁ ଫେରାଇ ଆଣିବାକୁ ଆହୁରି କେଡ଼େ ଭୟଙ୍କର ଏବଂ ତହିଁ ସଙ୍ଗେ ସଙ୍ଗେ କେଡ଼େ ଦିବ୍ୟମଧୁର ଶକ୍ତିର ଆବଶ୍ୟକ ନ ହେବ !
ହେ ଭଗବାନ୍, ଶାଶ୍ୱତ ପ୍ରଭୁ, ଆମ୍ଭମାନଙ୍କୁ ଆଲୋକିତ କର, ଆମ୍ଭମାନଙ୍କୁ ପରିଚାଳିତ କର, ତୋ ଦିବ୍ୟବିଧାନର ପ୍ରତିଷ୍ଠା ଏବଂ ତୋ ଦିବ୍ୟକର୍ମର ସିଦ୍ଧି ନିମନ୍ତେ ଆମ୍ଭମାନଙ୍କୁ ପଥ ଦେଖାଅ ।
ନୀରବରେ ମୁଁ ତୋର ପୂଜା କରେ, ଭକ୍ତିସମାହିତ ଚିତ୍ତରେ ମୁଁ ତୋତେ ଶୁଣିବାପାଇଁ ପ୍ରତୀକ୍ଷା କରିଛି ।<