Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅଗଷ୍ଟ ୨୪, ୧୯୧୪

ହେ ଭଗବାନ୍, ହୃଦୟଭରା କୃତଜ୍ଞତା ସହ ତୋ ପାଖକୁ ଆସିଛି । ବହୁ ଦିନରୁ ଆକାକ୍ଷିତ ସେହି ଦିବ୍ୟଜ୍ଞାନର ପ୍ରଥମ ଶବ୍ଦାବଳୀ ତୁ ମୋତେ ଶିକ୍ଷା ଦେଇଛୁ, ଏବଂ ଏହି ଜ୍ଞାନ ସଙ୍ଗେ ସଙ୍ଗେ ସିଦ୍ଧିର ପ୍ରତ୍ୟେକ କ୍ଷେତ୍ରରେ ଆସିଛି ସଫଳତା ଓ ଯଥାର୍ଥ ଶକ୍ତି ।

ଏହା ଆରମ୍ଭ ମାତ୍ର, ଏହା ସିଦ୍ଧି ନୁହେଁ, ତେବେ ପଥ ଉନ୍ମକ୍ତ, ଦେଖାଯାଉଛି ଏହା ସିଧାସଳଖ, ମୋତେ କେବଳ ଏହାକୁ ଧରି ଚାଲିବାକୁ ହେବ । ଅନ୍ଧକାରମୟ ଦିବସଗୁଡ଼ିକର ସ୍ଵଳ୍ପତର ଅଥଚ ପୂଶକ୍ତିମାନ୍ ପ୍ରୟାସ ଫଳରେ ଆବରଣ ଛିନ୍ନ ହୋଇଛି । ଭଗବାନ୍, ଏହାହିଁ କର, ସମସ୍ତଙ୍କ ପାଇଁ ପଥ ଯେପରି ଏହିପରି ଜ୍ୟୋତିର୍ମୟ ହୋଇଉଠେ; ଏବଂ ଆମ ନିଜ ମଧ୍ୟରେ ଦୃଷ୍ଟି ଯେତେବେଳେ ସ୍ଵଚ୍ଛ ହୋଇଛି, ସେତେବେଳେ ଅନ୍ୟ ସମସ୍ତଙ୍କପକ୍ଷେ ଏହି ସଜ୍ଞାନ ଚେଷ୍ଟା କରିବାରେ ଯେପରି ନୂତନ ବାଧା ନ ଜନ୍ମ । ଏସବୁ ସତ୍ତ୍ୱେ, ମନୁଷ୍ୟ ଯେତେ ବଡ଼ ହେଉନା କାହିଁକି, ସେ ସୀମାବଦ୍ଧ ଏବଂ ବହୁ ଦିନ ଯାବତ୍ ଏପରି ରହିବ, କାରଣ ସେ ମନୁଷ୍ୟ; ଆଉ ବୃହତ୍ତର ସହ ଯଦିଓ ତା’ର ସଂଯୋଗ ଘଟେ, ତେବେ ବି ଏହି ବୃହତ୍ ତା’ର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ମଧ୍ୟଦେଇ ତା’ର ବାହ୍ୟ ଚେତନା ନିକଟରେ ପ୍ରତିଭାତ ହୁଏ । ବ୍ୟକ୍ତିଗତ ଦୃଷ୍ଟିକୋଣ ଦୃଷ୍ଟିର କ୍ଷେତ୍ରକୁ ଅନ୍ତତଃ ଆଂଶିକ ବିକୃତ କରେ ନାହିଁ, ଏପରି ୱଚିତ୍ ଘଟେ । କିନ୍ତୁ ଏହି ଶେଷ ବାଧା ସକଳକୁ ଅତିକ୍ରମ କରିବାକୁ ହେବ, ନିଶ୍ଚିତରୂପେ ନିର୍ମୂଳ କରିବାକୁ ହେବ, ଯାହାଫଳରେ ସେସବୁ ପୁନର୍ବାରମଥା ଟେକି ପାରିବେ ନାହିଁ । ପଥ ସଂପୂର୍ଣ୍ଣଭାବେ ମୁକ୍ତ ରଖିବାକୁ ହେବ ଏବଂ ଯେଉଁ ଜ୍ଞାନର ଆଭାସ ମିଳିଛି ତାହାକୁ ପୂର୍ଣ୍ଣରୂପେ ପ୍ରକାଶିତ ଓ ପ୍ରତିଷ୍ଠିତ କରିବାକୁ ହେବ । ହେଭଗବାନ୍, ତୋ କୃପା ଆମ୍ଭମାନଙ୍କ ସହ ରହିଛି, ତାହା ଆମ୍ଭମାନଙ୍କୁ କେବେ ବି ଛାଡ଼ିଯାଏ ନାହିଁ, ଏପରିକି ଯେତେବେଳେ ବାହ୍ୟତଃ ସବୁକିଛି ଅନ୍ଧକାରମୟ ଦେଖାଯାଏ । ଗୋଟିଏ ପୂର୍ଣ୍ଣତର ଉଷାକୁ ପ୍ରସ୍ତୁତ କରିବା ନିମନ୍ତେ ସମୟ ସମୟରେ ରାତ୍ରିର ପ୍ରୟୋଜନ ହୁଏ ।କିନ୍ତୁ ଏଥର ତୁ ଆମ୍ଭମାନଙ୍କ ସମ୍ମୁଖରେ ଏପରି ଗୋଟିଏ ଉଷା ନେଇଆସିଛୁ, ଯାହାର ଆଉ ଶେଷ ହେବ ନାହିଁ ।…

ଆମ୍ଭମାନଙ୍କର ସାନୁରାଗ କୃତଜ୍ଞତା ଓ ପରିପୂର୍ଣ୍ଣ ସମର୍ପଣର ଏହି ଅର୍ଘ୍ୟ ଗ୍ରହଣକର ।

ମୁଁ ଜାଣିଥିଲି ଯେ ଏହି ଖାତାଟି ଶେଷ ହେବା ସଙ୍ଗେ ସଙ୍ଗେ ମୋର ଆଧ୍ୟାତ୍ମିକ ସାଧନାର ଗୋଟିଏ ପର୍ବ ଶେଷ ହେବ । ବସ୍ତୁତଃ ତାହାହିଁ ଘଟିଛି ।

ଆଲୋକ ଆସିଛି, ପଥ ଉନ୍ମକ୍ତ । ଅତୀତର ପ୍ରୟାସକୁ ସକୃତଜ୍ଞ ଅଭିବାଦନ ଜଣାଇ ଆମ୍ଭେମାନେ ନୂତନ ପଥରେ ଆଗେଇ ଚାଲିବୁ, ତୁ ସେହି ମାର୍ଗକୁ ଆମ ସମ୍ମୁଖରେ ପ୍ରଶସ୍ତ ଭାବେ ଉନ୍ମୁକ୍ତ କରିଛୁ ।

ବୃହତ୍ତର ଓ ସଜ୍ଞାନତର ସିଦ୍ଧିର ଏହି ନୂତନ ରାଜ୍ୟର ଦ୍ଵାର ପ୍ରାନ୍ତରେ ତୋତେ ପ୍ରଣାମ ଜଣାଉଛି, ହେ ଭଗବାନ୍, ଆମ୍ଭମାନଙ୍କର ଅଖଣ୍ଡ ଆତ୍ମଦାନ ଓ ଅଖଣ୍ଡ ଆରାଧନା ଗ୍ରହଣ କର, ଆମ୍ଭେମାନେ ନିଜକୁ ନିଃଶେଷରେ ତୋତେ ସମର୍ପଣ କରୁଛୁ ।
ପୁନର୍ବାର ତୁ ଏବଂ ଏକ ମାତ୍ର ତୁହିଁ ଆମ୍ଭମାନଙ୍କ ଅନ୍ତରରେ ଜୀବନ୍ତ ହୋଇ ଉଠିଛୁ ।ତୁହିଁ ତୋ ରାଜ୍ୟର ରାଜା ହୋଇଛୁ, କିନ୍ତୁ ତୋ ରାଜ୍ୟ ହୋଇଛି ବୃହତ୍ତର, ପୂର୍ଣ୍ଣତର ଏବଂ ତୋ ଶାସନର ଅଧିକତର ଯୋଗ୍ୟ ।