Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୧୪, ୧୯୧୪

ଶାନ୍ତି, ଶାନ୍ତି ସମଗ୍ର ଜଗତ୍ ଉପରେ ଉତରି ଆସୁ ।

ସମସ୍ତ ମନୁଷ୍ୟ ଯେପରି ସାଧାରଣ ଚେତନାର କବଳରୁ ରକ୍ଷା ପାଆନ୍ତୁ, ସ୍ଥୂଳ ବସ୍ତୁର ଆସକ୍ତିରୁ ମୁକ୍ତ ହୁଅନ୍ତୁ । ସେମାନେ ଜାଗ୍ରତ୍ ହୁଅନ୍ତୁ ତୋର ଦିବ୍ୟସାନ୍ନିଧ୍ୟର ଜ୍ଞାନରେ, ତୋ ପରା ଚେତନା ସହିତ ସେମାନଙ୍କ ଚେତନା ସଂଯୁକ୍ତ ହେଉ ଏବଂ ତା’ ଫଳରେ ଯେଉଁ ବିପୁଳ ଶାନ୍ତି ଆସେ ତାହା ସେମାନେ ଆସ୍ୱାଦନ କରନ୍ତୁ ।

ହେ ପ୍ରଭୁ, ତୁ ଆମ ସତ୍ତାର ଏକଚ୍ଛତ୍ର ଅଧୀଶ୍ୱର । ତୋର ବିଧାନ ହିଁ ଆମର ବିଧାନ । ଆମର ସମସ୍ତ ଶକ୍ତି ଦେଇ ଆମେ ଅଭୀପ୍ସା କରୁ ତୋର ଶାଶ୍ୱତ ଚେତନାସଙ୍ଗରେ ଆମ୍ଭମାନଙ୍କ ଚେତନାକୁ ମିଳାଇ ଦେବାକୁ ଯାହାଫଳରେ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ବସ୍ତୁରେ ଆମେ ତୋର ଦିବ୍ୟକର୍ମ ସମ୍ପନ୍ନ କରିପାରିବୁ ।

ହେ ଭଗବାନ୍, ଦୈନନ୍ଦିନ କ୍ଷୁଦ୍ର ଘଟଣାବଳୀର ଦୁଶ୍ଚିନ୍ତାରୁ ଆମ୍ଭମାନଙ୍କୁ ମୁକ୍ତକର, ମୁକ୍ତ କରି ସାଧାରଣ ସ୍ଥୂଳ ବାହ୍ୟ ଦୃଷ୍ଟିରୁ । କୃପା କର ଯେପରି ଆଜିଠାରୁ ଆମ୍ଭେମାନେ ସବୁକିଛି ତୋରି ଚକ୍ଷୁରେ ହିଁ ଦେଖିଲି ଓ ତୋରି ଇଚ୍ଛାରେ ଯେପରି କାର୍ଯ୍ୟ କରୁ । ତୋରି ଦିବ୍ୟପ୍ରେମର ଜୀବନ୍ତ ଶିଖାରୂପେ ଆମ୍ଭମାନଙ୍କୁ ରୂପାନ୍ତରିତ କର ।

ଶ୍ରଦ୍ଧାର ସହ, ଭକ୍ତିର ସହ, ସମଗ୍ର ସତ୍ତାର ଆନନ୍ଦମୟ ଉତ୍ସର୍ଗ ଭିତରେ ମୁଁ ନିଜକୁ ଅର୍ପଣ କରୁଛି, ଯେପରି ତୋର ବିଧାନ ସାର୍ଥକ ହୋଇଉଠୁ ।

ଶାନ୍ତି, ଶାନ୍ତି ଉତରି ଆସୁ ସମଗ୍ର ପୃଥିବୀ ଉପରେ …