ଚିରଦିନ ନୀରବ, ଅଦୃଶ୍ୟ ଅଥଚ ସର୍ବଶକ୍ତିମାନ୍ ତୋର କର୍ମଧାରା ଆଜି ଅନୁଭୂତ ହେଉଛି, ଏବଂ ଯେଉଁମାନଙ୍କର ଚେତନା ସଂପୂର୍ଣ୍ଣ ଅବରୁଦ୍ଧ ବୋଲି ମନେହେଉଥିଲା, ସେହିମାନଙ୍କ ମଧ୍ୟରେ ତୋ ଦିବ୍ୟଜ୍ୟୋତିର ଅନୁଭୂତି ଜାଗ୍ରତ୍ ହୋଇଛି । ମୁଁ ଭଲଭାବେ ଜାଣେ ଯେ ତୋର ଉପସ୍ଥିତିକୁ ଆବାହନ କରିବା କେବେ ବି ବୃଥା ହୁଏ ନାହିଁ, ଏବଂ ହୃଦୟର ଆନ୍ତରିକତା ସହ ଯଦି ତୋ ସଙ୍ଗେ ମୁଁ ସଂଯୋଗ ସ୍ଥାପନ କରେ, ଯେକୌଣସି ଆଧାର ମଦେଇ ହେଉ, ବ୍ୟକ୍ତିଗତ ଶରୀର ଅଥବା ସମଗ୍ର ମାନବ ଜାତି ମଧ୍ୟଦେଇ ହେଉ, ତାହାହେଲେ ଏହି ଆଧାର ବୁଝିପାରେ ଯେ ଏହାର ଅଜ୍ଞାନତା ସତ୍ତ୍ୱେ ଏହା ସଂପୂର୍ଣ୍ଣରୂପେ ରୂପାନ୍ତରିତ ହୋଇପାରିଛି । କିନ୍ତୁ ଯେତେବେଳେ ଏକବା ଏକାଧିକ ବ୍ୟଷ୍ଟିଆଧାରରେ ସଚେତନଭାବେ ରୂପାନ୍ତର କାର୍ଯ୍ୟ ସାଧିତ ହୁଏ ଏବଂ ଯେତେବେଳେ ଉସ୍ମାଚ୍ଛାଦିତ ଅଗ୍ନିଶିଖା ଅକସ୍ମାତ୍ ପ୍ରଜ୍ଜ୍ୱଳିତ ହୋଇ ସମଗ୍ର ସତ୍ତାକୁ ଆଲୋକିତ କରେ, ସେତେବେଳେ ପରମ ଆନନ୍ଦରେ ତୋର ଅବାଧ କ୍ରିୟାକୁ ଆମେ ସ୍ୱାଗତ କରୁ, ଏବଂ ଏତରା ପୁନର୍ବାର ତୋର ଅବାଧ ଶକ୍ତି ପ୍ରମାଣିତ ହୁଏ ଏବଂ ଆଶା କରୁ ଯେ ମନୁଷ୍ୟର ଅନ୍ୟାନ୍ୟ ସୁଖ ସଙ୍ଗେ ଆଉ ଏକ ଯଥାର୍ଥ ନୂତନ ସୁଖର ସମ୍ଭାବନା ଯୋଗ କରା ହେଲା ।
ହେ ଭଗବାନ୍, ମୋ ଭିତରୁ ତୋ ଆଡ଼କୁ ଏକ ତୀବ୍ର କୃତଜ୍ଞତାର ଭାବ ଉତ୍ଥିତ ହେଉଛି, ସେଥିରେ ପ୍ରକାଶିତ ହୋଇଛି ଦୁଃଖକାତର ମାନବଜାତିର କୃତଜ୍ଞତା, ସେହି ମାନବଜାତିକୁ ତୁ ରୂପାନ୍ତରିତ, ମହିମାନ୍ଦିତ କରୁଛୁ ଏବଂ ଦିବ୍ୟଜ୍ଞାନର ଶାନ୍ତି ପ୍ରଦାନ କରୁଛୁ ।