Divine Light Online

ଧ୍ୟାନ ଓ ପ୍ରାର୍ଥନା

ମେ ୧୮, ୧୯୧୪

ହେ ଭଗବାନ୍, ତୁହିଁ ଏକ ମାତ୍ର ସଦ୍‌ବସ୍ତୁ, ସର୍ବଶକ୍ତିମାନ୍ ଓ ଶାଶ୍ଵତ । ଯେଉଁବ୍ୟକ୍ତି ତା’ର ସତ୍ତାର ଗଭୀରରେ ତୋ ସଙ୍ଗେ ଏକ ହୁଏ, ସେ ତୋର ଅନନ୍ତ ଓ ଅକ୍ଷୟ ସର୍ବଶକ୍ତିମୟ ସବସ୍ତୁ ହୋଇଉଠେ । କିନ୍ତୁ ଅନ୍ୟ ସମସ୍ତଙ୍କ ପାଇଁ ବ୍ୟବସ୍ଥା ହେଲା, ତା ସଙ୍ଗେ ସଂଯୁକ୍ତ ରହି ମଧ୍ୟ ସେମାନଙ୍କ ଦୃଷ୍ଟି ଓ କର୍ମକୁ ପୃଥିବୀ ଆଡ଼କୁ ଫେରାଇବା – ଏହି ବ୍ରତ ହିଁ ତୁ ସେମାନଙ୍କ ଉପରେ ଅର୍ପଣ କରିଛୁ । ଏହି ଠାରୁ ହିଁ ଆରମ୍ଭ ହୁଏ ସମସ୍ତ ବାଧାବିଘ୍ନ, କାରଣ ସବୁକିଛି ନିର୍ଭର କରେ ସେମାନଙ୍କ ସତ୍ତାର ଯେଉଁ ବିଭିନ୍ନ ଧାରା ରହିଛି, ତା’ର ପରିପୂର୍ଣ୍ଣତା ଉପରେ; ଚରମ ଏକତ୍ୱ ଲାଭ କରି ମଧ୍ୟ ସେମାନଙ୍କର କାର୍ଯ୍ୟ ହେଲା ଯେଉଁ ଯନ୍ତ୍ର ତୋର ଦିବ୍ୟ-ଇଚ୍ଛାକୁ ପ୍ରକାଶ କରିବ, ତାହାକୁ ସର୍ବାଙ୍ଗ ସୁନ୍ଦର କରି ଗଢ଼ିବା । ଠିକ୍ସେତିକିବେଳେ ହିଁ କାର୍ଯ୍ୟଟି ଦୁରୂହ ହୋଇଉଠେ । ଏଇ ଯେଉଁ ଯନ୍ତ୍ରଟିକୁ ତୁ ମୋତେ ” ମୁଁ” ବୋଲି କହିବାକୁ କହିଛୁ, ତାହା ଭିତରେ ଦେଖୁଛି ସବୁ ଯେପରି ଅତି ସାଧାରଣ, ଅସମ୍ପୂର୍ଣ୍ଣ, ଗୁଣହୀନ ଓ ଜଡ଼ପ୍ରାୟ । ତୋ ସଙ୍ଗେ ଯେତେ ଅଧିକ ଏକୀଭୂତ ହେଉଛି, ସେତିକି ଅଧିକ ଦେଖୁରୁଛି ତା’ର ବୁଦ୍ଧି ଓ ପ୍ରକାଶସବୁ କେତେ ସାଧାରଣ । ତା’ ଭିତରେ ସବୁକିଛି ଯେପରି ଅସଂଶୋଧନୀୟ ଓ ଅପୂର୍ଣ୍ଣ । କିନ୍ତୁ ସେଥିରେ ବି ମୋର ଚାଞ୍ଚଲ୍ୟ ନାହିଁ, କାରଣ ମୋର ଯଥାର୍ଥ ‘ମୁଁ’ ତୋର ପଦ ତଳେ ଅବଲୁଣ୍ଡିତ, କିଂବା ତୋର ହୃଦୟ ମଧ୍ୟରେ ନିମଜ୍ଜିତ, ଅଥବା ତୋର ସନାତନ ଅକ୍ଷୟ ଚେତନାରେ ସଚେତନ, ଏବଂ ସମଗ୍ର ବିଶ୍ଵସୃଷ୍ଟିକୁ ସେ ଦେଖେ ଅଚଞ୍ଚଳ, ଉଦାର ଓ କରୁଣା-ମଧୁର ହାସ୍ୟ ନେଇ ।