ହେ ଭଗବାନ୍, ପ୍ରେମର ଦିବ୍ୟ ଅଧିପତି, ତୁ ଚିରଜୟୀ; ତୋ ସଙ୍ଗରେ ଯେଉଁମାନେ ଏକ ସ୍ୱରରେ ବନ୍ଧା, ଯେଉଁମାନଙ୍କର ଜୀବନ କେବଳ ତୋରି ପାଇଁ ଓ ତୋତେ ଆଶ୍ରୟକରି, ସର୍ବତ୍ର ସେମାନଙ୍କର ବିଜୟ । କାରଣ ତା ଭିତରେ ହିଁ ରହିଛି ପରମଶକ୍ତି, ପୂର୍ଣ୍ଣ ଅନାସକ୍ତି, ସମୁଚ୍ଚ ଦିବ୍ୟଦୃଷ୍ଟି ଓ ଅପାର କରୁଣାର ଶକ୍ତି ।
ତୋ ମଧ୍ୟରେ ତୋ ଦ୍ଵାରା ବସ୍ତୁସକଳ ରୂପାନ୍ତରିତ ହୁଏ, ମହିମାନ୍ୱିତ ହୁଏ । ସମସ୍ତ ରହସ୍ୟର, ସମସ୍ତ ଶକ୍ତିମତ୍ତାର ଚାବିକାଠି ରହିଛି ତୋ ଭିତରେ । କିନ୍ତୁ ଆମ୍ଭେମାନେ ତୋ ନିକଟରେ ସେତିକିବେଳେ କେବଳ ପହଞ୍ଚି ପାରିବୁ ଯେତେବେଳେ ତୋ ମଧ୍ୟରେ ବାସ କରିବୁ, ତୋର ସେବା କରିବୁ, ବହୁଜନମୁକ୍ତି ନିମନ୍ତେ ଯେତେ ଶୀଘ୍ର ସମ୍ଭବ ତୋର ଦିବ୍ୟ କର୍ମରେ ବିଜୟ ଘେନି ଆସିବୁ – ଏହା ଛଡ଼ା ଆମର ଆଉ କୌଣସି ବାସନା ଯେପରି ନ ରହେ ।
ହେ ପ୍ରଭୁ, କେବଳ ତୁହିଁ ଯଥାର୍ଥ ସବସ୍ତୁ, ଅନ୍ୟ ସବୁକିଛି ହିଁ ଅଳୀକ । ଯେତେବେଳେ ଆମ୍ଭେମାନେ ତୋ ମଧ୍ୟରେ ବାସ କରୁ, ସେତେବେଳେ ସବୁକିଛି ଦେଖିପାରୁ ଓ ବୁଝିପାରୁ, ତୋ ପୂର୍ଣ୍ଣ ଜ୍ଞାନରୁ କିଛି ବି ବାଦ୍ ପଡ଼େ ନାହିଁ, କିନ୍ତୁ ବାହ୍ୟତଃ ସବୁକିଛି ର ରୂପ ଅଲଗା । ମୂଳତଃ ସବୁକିଛି ହିଁ ତୁ, ସବୁକିଛି ତୋର କର୍ମଧାରାର ଓ ତୋର କରୁଣାମୟ ହସ୍ତକ୍ଷେପର ଫଳ; ଅତି ଭୟଙ୍କର ତମିସ୍ରା ମଧ୍ୟରେ ତୁ ଜଳାଇଛୁ ଏକ ନକ୍ଷତ୍ର ।
ଆମର ନିଷ୍ଠା ଯେପରି ନିରନ୍ତର ବଢ଼ିଚାଲେ ।
ଆମର ଆତ୍ମନିବେଦନ ଯେପରି ସର୍ବଦା ଆହୁରି ପୂର୍ଣ୍ଣତର ହୋଇଉଠେ ।
ଆଉ ତୁ ଯେକି ଅନ୍ତରର ପ୍ରକୃତ ଅଧିପତି, କାର୍ଯ୍ୟତଃ ଜୀବନର ଅଧିପତି ହୋଇଉଠେ ।