Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୧୬, ୧୯୧୩

ବିଶୁଦ୍ଧ ନିଃସ୍ୱାର୍ଥ ପ୍ରେମ, ତୋ ପ୍ରେମ – ତା’ର ଯେତେ ଟିକେ ଆମେ ଧରିପାରୁ ଓ ପ୍ରକାଶ କରିପାରୁ – ତାହାହିଁ ଏକ ମାତ୍ର ଚାବି ଯାହା ସେମାନଙ୍କ ହୃଦୟ ଖୋଲିଦେଇପାରେ ଯେଉଁମାନେ କି ତୋତେ ଖୋଜୁଛନ୍ତି । ଯେଉଁମାନେ ବୁଦ୍ଧିର ପଥ ଅନୁସରଣ କରନ୍ତି, ସେମାନେ ଅତି ଉଚ୍ଚ ଓ ଅତି ସତ୍ୟ ଏକ ଧାରଣା କରିନେଇ ପାରନ୍ତି – ସତ୍ୟ ଜୀବନ, ତୋ ସଙ୍ଗେ ଏକୀଭୁତ ଜୀବନ କ’ଣ, ସେ ସମ୍ପର୍କରେ ମଧ୍ୟ ବେଶ୍ ଧାରଣା କରିପାରନ୍ତି, କିନ୍ତୁ ସେମାନେ ତାହା ପ୍ରତ୍ୟକ୍ଷ ଉପଲବ୍ଧ କରନ୍ତି ନାହିଁ, ସେ ଜୀବନ ସମ୍ପର୍କରେ ସେମାନଙ୍କର ଆନ୍ତର ଅନୁଭୂତି ନ ଥାଏ ଏବଂ ତୋ ସଙ୍ଗେ ସାକ୍ଷାତ୍ ସମ୍ପର୍କର ଅନୁଭୂତି ସେମାନଙ୍କର ନାହିଁ । ଏହି ଯେଉଁମାନଙ୍କର ବୁଦ୍ଧିଗତ ଜ୍ଞାନ ଯଥେଷ୍ଟ ଥାଏ, କର୍ମରପ୍ରୟୋଜନରେ ନିଜକୁ ସେମାନେ ମନ ଦ୍ଵାରା ଶ୍ରେଷ୍ଠ ବିବେଚିତ କୌଣସି ରଚନା ଭିତରେ ବାନ୍ଧି ରଖିଥାଆନ୍ତି, ଏହିସବୁ ବ୍ୟକ୍ତିଙ୍କର ଚିତ୍ତପରିବର୍ତ୍ତନ ସବୁଠୁ ଦୁରୂହ । ସଦିଚ୍ଛାସମ୍ପନ୍ନ ଅନ୍ୟ ଯେକୌଣସି ବ୍ୟକ୍ତି ଅପେକ୍ଷା ଏମାନଙ୍କ ଅନ୍ତରରେ ଭଗବଦବୋଧ ଜାଗ୍ରତ୍ କରିବା ବିଶେଷ ଆୟାସସାଧ୍ୟ । କେବଳ ପ୍ରେମ ହିଁ ଏହା ସମ୍ଭବ କରାଇପାରେ, କାରଣ ପ୍ରେମ ସକଳ ଦରଜା ଖୋଲିଦିଏ, ସକଳ ପ୍ରାଚୀର ଭେଦ କରିଯାଏ, ସକଳ ବାଧା ପାର ହୋଇଯାଏ । ଯଥାର୍ଥ ପ୍ରେମରୁ ସାମାନ୍ୟ ଟିକେ ଶ୍ରେଷ୍ଠତମ ବକ୍ତୃତା ଅପେକ୍ଷା ଅନେକ ବେଶୀ କାମ କରେ ।

ହେ ପ୍ରଭୁ, ପ୍ରେମର ଏହି ବିଶୁଦ୍ଧ ଫୁଲଟି ମୋ ଭିତରେ ଫୁଟିଉଠୁ, ଯେଉଁମାନେ ମୋ ନିକଟକୁ ଆସନ୍ତି, ସେମାନେ ଯେପରି ତା’ର ସୌରଭରେ ଭରିଉଠନ୍ତି ଓ ସେ ସୌରଭରେ ସେମାନେ ଯେପରି ହୋଇଉଠନ୍ତି ଆହୁରି ବିଶୁଦ୍ଧ ।

ଏହି ପ୍ରେମ ଭିତରେ ହିଁ ରହିଛି ଶାନ୍ତି ଓ ଆନନ୍ଦ, ଏଇଠି ହିଁ ସକଳ ଶକ୍ତି, ସକଳ ସିଦ୍ଧିର ଉତ୍ସ । ଏଇ ପ୍ରେମ ହିଁ ଅବ୍ୟର୍ଥ ଚିକିତ୍ସକ, ପରମ ସାନ୍ତ୍ୱନାଦାତା – ଏଇ ପ୍ରେମ ହିଁ ସର୍ବଜୟୀ, ସାର୍ବଭୌମ ଶିକ୍ଷାଦାତା ।

ହେ ପ୍ରଭୁ, ହେ ମଧୁମୟ ଦେବତା, ତୋତେ ମୁଁ ନୀରବରେ ପୂଜା କରେ, ତୋ ନିକଟରେ ମୁଁ ସର୍ବତୋଭାବେ ନିବେଦିତ, ମୋ ଜୀବନକୁ ତୁହିଁ ଚଳାଇ ନେଉଛୁ, ତୋ ପ୍ରେମର ବହ୍ନିରେ ମୋର ହୃଦୟକୁ ପ୍ରଜ୍ଜ୍ୱଳ କର, ସେ ହୋଇଉଠୁ ଏକ ଜ୍ୱଳନ୍ତ ହୋମକୁଣ୍ଡ, ସମସ୍ତ ତ୍ରୁଟିକୁ ଦହନ କରୁ ଏବଂ ଅହଂକାରର ଶୁଷ୍କ କାଷ୍ଠ ଓ ଅଜ୍ଞାନର କୃଷ୍ଣ ଅଙ୍ଗାର ଭିତରୁ ଆଣିଦେଉ ସୃଷ୍ଠିର ଉଷ୍ଣତା ଓ ଆଲୋକର ଛଟା ।

ହେ ପ୍ରଭୁ, ମୁଁ ତୋ ଆଡ଼କୁ ଫେରୁଛି ଉତ୍‌ଫୁଲ୍ମ ଅଥଚ ଗଭୀର ଭକ୍ତି ନେଇ, ମୋ ପ୍ରାର୍ଥନା :

ତୋର ପ୍ରେମ ବ୍ୟକ୍ତ ହେଉ,
ତୋର ରାଜତ୍ୱ ଆରମ୍ଭ ହେଉ,
ତୋର ଶାନ୍ତି ପୃଥିବୀକୁ ଶାସନ କରୁ ।