Divine Light Online

ଧ୍ୟାନ ଓ ପ୍ରାର୍ଥନା

ଅକ୍ଟୋବର ୭, ୧୯୧୪

ହେ ଭଗବାନ୍ ! ସମଗ୍ର ପୃଥିବୀ ଉପରେ ତୋ ଆଲୋକ ପ୍ରବାହିତ ହେଉ, ପ୍ରତ୍ୟେକ ହୃଦୟରେ ଶାନ୍ତି ବିରାଜିତ ହେଉ ! … ପ୍ରାୟ ସମସ୍ତେ କେବଳ ସେହି ଜୀବନକୁ ଜାଣନ୍ତି ଯାହା ସ୍ଥୂଳ, ଜଡ଼, ଭାରଗ୍ରସ୍ତ, ପରିବର୍ତ୍ତନବିମୁଖ, ତାମସିକ; ସେମାନଙ୍କର ପ୍ରାଣଶକ୍ତିସକଳ ଜୀବନର ଏହି ବାଦ୍ୟରୂପରେ ଏପରି ଭାବେ ଆସକ୍ତ ଯେ ଦେହର ବାହାରେନିଜ ଧାରାରେ ମୁକ୍ତିଲାଭ କଲେ ସୁଦ୍ଧା ସେମାନେ କେବଳ ସେହି ଦୁଃଖ କଷ୍ଟଭରା ଦୈନନ୍ଦିନଳ ସ୍ଥୂଳ ନୈମିତ୍ତିକ ବ୍ୟାପାରରେ ବ୍ୟସ୍ତ ଥାଆନ୍ତି । ଆଉ ଯେଉଁମାନଙ୍କ ମଧ୍ୟରେ ମାନସିକ ଜୀବନ ଜାଗ୍ରତ୍ ହୋଇଛି, ସେମାନେ ଦୁଶ୍ଚିନ୍ତାଗ୍ରସ୍ତ, ବିଷୁବ୍ଧ, ସ୍ୱେଚ୍ଛାଚାରୀ ଓ ପ୍ରଭୁତ୍ଵପ୍ରୟାସୀ ହେଉଛନ୍ତି । ଯେଉଁସବୁ ପରିବର୍ତ୍ତନ ଓ ପୁନଃସଂସ୍କାରର ସ୍ୱପ୍ନ ସେମାନେ ଦେଖନ୍ତି ତା’ର ଘୃଣ୍ଡିପାକ ମଧ୍ୟରେ ଆବଦ୍ଧ ହୋଇ ସେମାନେ କେବଳ ଧ୍ବଂସ କରିବା ପାଇଁ ବ୍ୟସ୍ତ, କେଉଁ ଭିଭି ଉପରେ ଛିଡ଼ା ହୋଇ ଗଢ଼ିବାକୁ ହେବ ତାହା ସେମାନେ ଜାଣନ୍ତି ନାହିଁ, ଏବଂ ସେମାନଙ୍କ ଆଲୋକ ହେଲା ଅନ୍ଧାରରେ ବିଜୁଳି ଚମକ ପରି, ଏଥିରେ ସେମାନେ ବିଶୃଙ୍ଖଳାକୁ ଆହୁରି ବଢ଼ାଇ ଦିଅନ୍ତି, ଦୂର କରିପାରନ୍ତି ନାହିଁ ।

ତୋର ପରମ ଧ୍ୟାନର ଯେ ଅବିଛିନ୍ନ ଶାନ୍ତି, ତୋର ଅକ୍ଷୟ ଶାଶ୍ନତତାର ଯେଉଁସ୍ଥିର ଦୃଷ୍ଟି, ସକଳଙ୍କ ମଧ୍ୟରେ ତାହାର ଅଭାବ ରହିଛି ।

ହେ ଭଗବାନ୍ ! ଏହି ବ୍ୟଷ୍ଟିସତ୍ତା ଉପରେ ତୋର ପରମ କରୁଣା, ଅସୀମ କୃତଜ୍ଞତା ସହ ସେ ପ୍ରାର୍ଥନା କରୁଛି, ଯେପରି ଏହି ଆଲୋଡ଼ନ ଓ ଅପରିସୀମ ବିଶୃଙ୍ଖଳା ମଧ୍ୟଦେଇ ଅଶ୍ଚର୍ଯ୍ୟ ଘଟଣା ଘଟେ ଏବଂ ତୋର ପରମ ପ୍ରଶାନ୍ତିର, ତୋର ନିରବଚ୍ଛିନ୍ନ ବିଶୁଦ୍ଧ ଜ୍ୟୋତିର ବିଧାନ ସମସ୍ତେ ଯେପରି ପ୍ରତ୍ୟକ୍ଷଭାବେ ଅନୁଭବ କରିପାରନ୍ତି ଏବଂ ତୋ ଚେତନାରେ ନବଜାଗ୍ରତ୍ ମନୁଷ୍ୟର ପାର୍ଥିବ ପ୍ରକୃତି ଯେପରି ତା’ର ଶାସନ ମାନିଚାଲେ ।

ହେ ପ୍ରେମମୟ ଭଗବାନ୍ ! ତୁ ମୋ ପ୍ରାର୍ଥନା ଶୁଣିଛୁ, ତୁ ମୋ ଆହ୍ଵାନର ଉତ୍ତର! ଦେବୁ ।