ପ୍ରତ୍ୟେକ ଦିନ, ପ୍ରତ୍ୟେକ ଟି ମୁହୂର୍ତ୍ତ ହେଉ ଏକ ନୂତନ ଓ ପୂର୍ଣ୍ଣତର ଉତ୍ସର୍ଗ ପାଇଁ ସୁଯୋଗ । ସେ ଉତ୍ସର୍ଗ ଯେପରି ନ ହୁଏ ଉତ୍ତେଜନାମୟ, ଚାଞ୍ଚଲ୍ୟପୂର୍ଣ୍ଣ, ତାହା ଯେପରି ନ ହୁଏ ଅତ୍ୟୁଗ୍ର, କର୍ମମୋହରେ ଅଭିଭୂତ । ବରଂ ତା’ ହୋଇଉଠୁ ଗଭୀର ଓ ନୀରବ ଯାହାର ବାହ୍ୟ ପ୍ରକାଶ ଅନାବଶ୍ୟକ, କିନ୍ତୁ ତାହା ପ୍ରବେଶ କରୁ ପ୍ରତ୍ୟେକ କାର୍ଯ୍ୟ ମଧ୍ୟରେ ଏବଂ ସେସବୁକୁ ରୂପାନ୍ତରିତ କରୁ । ଆମର ମନ ଏକାନ୍ତ ଶାନ୍ତ ହୋଇ ତା ମଧ୍ୟରେ ସର୍ବଦା ଲିପ୍ତ ରହୁ ଏବଂ ସେହି ବିଶୁଦ୍ଧ ଶିଖରରୁ ସେ ପ୍ରତ୍ୟକ୍ଷ କରୁ ବାସ୍ତବତାର ଯଥାର୍ଥ ରୂପ, ସେ ଦେଖିଲି ଚଞ୍ଚଳ ନଶ୍ଵର ବାହ୍ୟରୂପର ପଶ୍ଚାରେ କିପରି ରହିଛି ଅଦ୍ୱିତୀୟ ଶାଶ୍ୱତ ସଦ୍ବସ୍ତୁ ।
ହେ ଭଗବାନ୍, ମୋର ହୃଦୟ ସମସ୍ତ ବେଦନା ଓ ବିକ୍ଷୋଭରୁ ମୁକ୍ତ, ଶାନ୍ତ ଓ ଦୃଢ଼, ପ୍ରତ୍ୟେକ ବସ୍ତୁରେ ତୋତେ ହିଁ ଦେଖେ । ବାହ୍ୟକର୍ମ ଯାହା ହେଉନା କାହିଁକି, ଭବିଷ୍ୟତ ତା’ର ଗର୍ଭରେ ଆମ ପାଇଁ ଯେଉଁ ପରିସ୍ଥିତି ବି ରଖୁଥାଉ ନା କାହିଁକି, ମୁଁ ଜାଣେ ଏକ ମାତ୍ର ତୁହିଁ ବିଦ୍ୟମାନ, ତୋର ସନାତନ ନିତ୍ୟତା ନେଇ ତୁହିଁ ଏକ ମାତ୍ର ସତ୍ୟ, ଏବଂ ତୋ ମଧ୍ୟରେ ଆମ୍ଭେମାନେ ରହିଛୁ ।
ସମସ୍ତ ପୃଥିବୀ ଉପରେ ତୋର ଶାନ୍ତି ବିରାଜିତ ହେଉ ।