Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୨୨, ୧୯୧୪

ଶୈଶବରେ, ଯେତେବେଳେ ମୋର ବୟସ ତେର ବର୍ଷ ହୋଇଥିଲା, ପ୍ରାୟ ଏକ ବର୍ଷ ଧରି ପ୍ରତିଦିନ ରାତ୍ରିରେ ମୁଁ ବିଛଣା ଧରିବା ମାତ୍ରେ ମୋର ମନେହେଉଥିଲା ମୁଁ ଯେପରି ମୋ ଶରୀରରୁ ବାହାରି ଆସି ସିଧା ଉପରକୁ ଉଠିଯାଉଛି, ଘର ଓ ସହରକୁ ଅତିକ୍ରମ କରି ବହୁ ଊର୍ଦକୁ ଉଠିଯାଉଛି । ସେତେବେଳେ ଦେଖୁଥିଲି ମୁଁ ପିନ୍ଧିଛି ମୋଠାରୁ ଆହୁରି ଲମ୍ବ ଗୋଟିଏ ଅପୂର୍ବସୁନ୍ଦର ସୁନାର ପୋଷାକ । ଯେତେ ଊର୍ଦ୍ଧ୍ୱକୁ ଉଠୁଥିଲି, ଏହି ପୋଷାକଟି ବି ସେତିକି ଦୀର୍ଘ ହୋଇ ଯାଉଥିଲା ଏବଂ ସମଗ୍ର ସହରଟି ଉପରେ ଏକ ବୃହତ୍ ଆଚ୍ଛାଦନ ରଚନା କରି ମୋର ଚତୁଃପାର୍ଶ୍ଵରେ ତାହା ବୃତ୍ତାକାରରେ ପ୍ରସାରିତ ହୋଇଯାଉଥିଲା । ତା’ପରେ ମୁଁ ଦେଖୁଥିଲି ଚତୁର୍ଦିଗରୁ ଲୋକମାନେ ଆସୁଛନ୍ତି ଆବାଳବୃଦ୍ଧବନିତା, ଅସୁସ୍ଥ ଓ ଅସୁଖୀ ବହୁ ଲୋକ । ସେମାନେ ସେଇ ପ୍ରସାରିତ ପରିଚ୍ଛଦତଳେ ସମବେତ ହୋଇ ସେମାନଙ୍କ ଦୁଃଖଦୁର୍ଦଶା ଓ ବେଦନାର କଥା ଜଣାଇ ସାହାଯ୍ୟଭିକ୍ଷା କରୁଥିଲେ । ପ୍ରତ୍ୟୁତ୍ତରରେ ସେହି ନମନୀୟ ଓ ଜୀବନ୍ତ ପୋଷାକଟି ଦୀର୍ଘ ହୋଇ ସେମାନଙ୍କ ଭିତରୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଡ଼କୁ ପ୍ରସାରିତ ହୋଇଯାଉଥିଲା ଏବଂ ସେମାନଙ୍କୁ ସ୍ପର୍ଶ କରିବା ମାତ୍ରେ ସେମାନେ ସାନ୍ତ୍ୱନା ପାଉଥିଲେ, ସୁସ୍ଥ ହୋଇଉଠୁଥିଲେ ଏବଂପୂର୍ବାପେକ୍ଷା ଅତର ସୁଖୀ ଓ ସବଳ ହୋଇ ସେମାନଙ୍କ ଶରୀର ମଧ୍ୟରେ ପୁନଃ ପ୍ରବେଶ କରୁଥିଲେ । ମୋ ପାଇଁ ଏହାଠାରୁ ଅଧିକ ସୁନ୍ଦର ଅଧିକ ଆନନ୍ଦର ବିଷୟ ଆଉ କିଛି ନଥିଲା । ରାତ୍ରିର ଏହି କର୍ମଟି – ଯାହା ମୋର ଯଥାର୍ଥ ଜୀବନରୂପ – ତୁଳନାରେ ଦିନର ସମସ୍ତ କାର୍ଯ୍ୟ ଶୁଷ୍କ, ନୀରସ ଓ ନିଷାଣ ମନେ ହେଉଥିଲା ।ଊର୍ଦ୍ଧ୍ୱକୁ ଉଠିଚାଲିବା ସମୟରେ ମୋର ବାମପାର୍ଶ୍ୱରେ ପ୍ରାୟତଃ ଜଣେ ନୀରବ, ନିର୍ବିଚଳବୃଦ୍ଧଙ୍କୁ ଦେଖିବାକୁ ପାଉଥିଲି, ଯେ ତାଙ୍କର ଶୁଭେଚ୍ଛା ଓ ସ୍ନେହ ନେଇ ମୋ ଆଡ଼କୁ ଦୃଷ୍ଟିପାତ କରୁଥିଲେ, ତାଙ୍କର ଉପସ୍ଥିତି ମୋତେ ଖୁବ୍ ଉତ୍ସାହ ଦେଉଥିଲା । ଗାଢ଼ ବାଇଗଣୀ ରଙ୍ଗର ଦୀର୍ଘପୋଷାକ ପରିହିତ ଏହି ବୃଦ୍ଧ ଥିଲେ ଲୋକେ ଯାହାଙ୍କୁକୁହନ୍ତି – ଦୁଃଖର ମାନୁଷୀବିଗ୍ରହ, ଏହା ମୁଁ ଅନେକ ପରେ ଜାଣିଲି ।

ସେଇ ଗଭୀର ଉପଲବ୍ଧି, ସେଇ ଅନିର୍ବଚନୀୟ ସତ୍ୟ ବର୍ତ୍ତମାନ ମୋ ଚିନ୍ତାକ୍ଷେତ୍ରରେ ଅନ୍ୟ ଧରଣର ରୂପ ନେଇଛି, ତାହା ମୁଁ ଏଇ ଭାବରେ ବ୍ୟାଖ୍ୟା କରିପାରେ :

ଦିବସ ଓ ରାତ୍ରିରେ ଅନେକ ଥର ମନେ ହେଉଥିଲା ମୁଁ, ଅର୍ଥାତ୍ ମୋର ସମସ୍ତ ଚେତନା ମୋର ହୃଦୟରେ କେନ୍ଦ୍ରୀଭୂତ ହୋଇଛି, ହୃଦୟ ଯେପରି ଆଉ ବାହ୍ୟ ଦେହଯନ୍ତ୍ର ମାତ୍ର ନୁହେଁ, ଏପରିକି କୌଣସି ଅନୁଭୂତି ମାତ୍ର ନୁହେଁ, ସେ ହୋଇଉଠିଛି ଦିବ୍ୟପ୍ରେମ, ନୈବ୍ୟକ୍ତିକ ଓ ଶାଶ୍ଵତ । ଏଇ ପରମ ପ୍ରେମରେ ପରିଣତ ହୋଇ ମୁଁ ଅନୁଭବ କରେସମଗ୍ର ପୃଥିବୀର, ସର୍ବବସ୍ତୁର ହୃକେନ୍ଦ୍ରରେ ମୁଁ ରହିଛି, ସେଇ ସଙ୍ଗେ ସଙ୍ଗେ ମୋର ମନେହୁଏ ଯେପରି ମୋର ବିସ୍ତୃତ ବାହୁ ଦୁଇଟି ନିରନ୍ତର ପ୍ରସାରିତ ହୋଇଚାଲିଛି, ବିଶ୍ୱ ରୁ ବିଶାଳତର ମୋର ବକ୍ଷରେ ସକଳ ଜୀବଙ୍କୁ ସଂହତ, ଶ୍ରେଣୀବଦ୍ଧ ଓ ନିମଜ୍ଜିତ କରି ଅସୀମ ସ୍ନେହରେ ଘେରିରଖୁଛି… ବାକ୍ୟସବୁ ଦୁର୍ବଳ ଓ ଅକ୍ଷମ, ହେ ଦିବ୍ୟପ୍ରଭୁ, ବୁଦ୍ଧିର ଭାଷାନ୍ତର ବରାବର ଶିଶୁର ଚପଳତା ମାତ୍ର… କିନ୍ତୁ ମୋର ଆସ୍ପୃହା ନିରନ୍ତର ତୋ ଆଡ଼କୁ ଚାଲିଛି । ବସ୍ତୁତଃ ତୋତେ ପ୍ରକଟ କରିବା ପାଇଁ ମୋର ଏହି ଦେହ, ଏହି ଅପୂର୍ଣ୍ଣ ଆଧାରରେ ଯେ ରହିଛି, ସେ ତ ତୁ, ଏକ ମାତ୍ର ତୁ ।

ସମସ୍ତ ଜୀବ ଯେପରି ତୋର ଜ୍ଞାନଦୀପ୍ତିର ଶାନ୍ତିରେ ସୁଖୀ ହୁଅନ୍ତୁ ।