Divine Light Online

ଧ୍ୟାନ ଓ ପ୍ରାର୍ଥନା

ଜୁନ୍ ୨୦, ୧୯୧୪

ରୂପାନ୍ତର କାର୍ଯ୍ୟ ତୋତେ ପୂର୍ଣ୍ଣ କରିବାକୁ ହେବ, ଯେଉଁ ପଥରେ ଚାଲିବାକୁହେବ ତାହାର ନିର୍ଦେଶ ତୋତେ ହିଁ ଦେବାକୁ ହେବ ଏବଂ ସେହି ପଥ ଧରି ଶେଷପର୍ଯ୍ୟନ୍ତ ଚାଲିବାକୁ ଶକ୍ତି ମଧ୍ୟ ତୁ ଦେବୁ ।

ହେ ଭଗବାନ୍, ସକଳ ପ୍ରେମର, ସକଳ ଆଲୋକର ଉତ୍ସତୁ, ଆମେ ତୋତେ ତୋର ସ୍ୱରୂପରେ ଜାଣିପାରୁ ନାହିଁ ସତ, ତଥାପି ତୋତେ କ୍ରମଶଃ ଅଧିକରୁ ଅଧିକ ପୂର୍ଣ୍ଣ ଓ ସର୍ବାଙ୍ଗ ରୂପେ ପ୍ରକାଶ କରିପାରୁ । ଚିନ୍ତା ଦ୍ଵାରା ଆମେ ତୋ ନିକଟରେ ପହଞ୍ଚିପାରୁ ନାହିଁ ସତ, କିନ୍ତୁ ଗଭୀର ନୀରବତା ଭିତରେ ତୋ ଆଡ଼କୁ ଆଗେଇ ଯାଇପାରୁ । ହେ ଭଗବାନ୍, ତୋର ଅପରିମେୟ ଦାନର ମାତ୍ରାକୁ ତୋତେ ପୂର୍ଣ୍ଣ କରିବାକୁ ହେବ, ଯେତେଦିନ ପର୍ଯ୍ୟନ୍ତ ଆମେ ତୋର ବିଜୟ ହାସଲ କରି ନାହୁଁ ସେତେ ଦିନ ପର୍ଯ୍ୟନ୍ତ ତୋତେ ଆମକୁ ସାହାଯ୍ୟ କରିବାକୁ ହେବ ।

ସେହି ଯଥାର୍ଥ ପ୍ରେମ ଜନ୍ମଲାଭ କରୁ ଯାହା ସକଳ ଦୁଃଖ ପୋଛିଦିଏ, ସେହି ଅଚଳ ଶାନ୍ତି ପ୍ରତିଷ୍ଠା କର ଯାହା ମଧ୍ୟରେ ରହିଛି ଯଥାର୍ଥ ଶକ୍ତି, ସେହି ପରମ ଜ୍ଞାନପ୍ରଦାନ କର ଯାହା ସକଳ ଅନ୍ଧକାର ଦୂର କରେ ।

ଅତଳ ଗଭୀରତାରୁ ଏହି ଅତି ବାହ୍ୟ ଦେହ ପର୍ଯ୍ୟନ୍ତ, ସର୍ବତ୍ର ସକଳ କ୍ଷୁଦ୍ରତମ ଉପାଦାନ ମଧ୍ୟରେ ବି ତୁ ପ୍ରବାହିତ, ତୁ ଜୀବନ୍ତ, ତୁ ସନ୍ଦିତ – ତୁହିଁ ସବୁକିଛି କୁ ସଚଳ କରିଛୁ, ଆଉ ବର୍ତ୍ତମାନ ଏହି ସମଗ୍ର ସତ୍ତା ଏକ ଅଖଣ୍ଡ ବସ୍ତୁ ହୋଇଯାଇଛି, ଅନନ୍ତରୂପୀ ଅଥଚ ପୂର୍ଣ୍ଣ ସଂହତ, ଏକ ଅଦ୍ଵିତୀୟ ଅପ୍ରତିହତ ସ୍ପନ୍ଦନରେ ଅନୁପ୍ରାଣିତ : ତାହା ତୁହିଁ ।