Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୮, ୧୯୧୪

ହେ ଭଗବାନ୍ ! ତୋର ପୂର୍ଣ୍ଣ ଆଲୋକ ନିମନ୍ତେ ଆମ୍ଭେମାନେ ତୋତେ ଆବାହନ କରୁଛୁ । ତୋତେ ପ୍ରକାଶ କରିବା ନିମନ୍ତେ ଆମ୍ଭମାନଙ୍କ ମଧ୍ୟରେ ଶକ୍ତି ଜାଗ୍ରତ୍ କର ।…

ନିର୍ଜନ ଗୁହା ସମ ସତ୍ତା ମଧ୍ୟରେ ସବୁକିଛି ନୀରବ; କିନ୍ତୁ ଅନ୍ଧକାର ଗର୍ଭରେ, ନୀରବତାର ହୃଦୟ କେନ୍ଦ୍ରରେ ଏକ ପ୍ରଦୀପ ଜଳୁଛି ଯାହାକୁ କେବେହେଲେ ନିର୍ବାପିତ କରିହୁଏ ନାହିଁ, ତୋତେ ଜାଣିବା ନିମନ୍ତେ ଓ ସର୍ବାଙ୍ଗୀଣରୂପେ ତୁ ହୋଇଉଠିବା ନିମନ୍ତେ ସେଠାରେ ଜଳୁଛି ଏକ ତୀବ୍ର ଅଭୀପ୍ସାର ଅଗ୍ନି ।

ରାତ୍ରି ପରେ ଦିନ ଆସେ, ଉଷା ପରେ ଉଷା ଆସେ ଅବିଶ୍ରାନ୍ତ, କିନ୍ତୁ ସର୍ବଦା ହିଁ ସୁରଭିତ ଅଗ୍ନିଶିଖା ଊର୍ଦକୁ ଉଠିଚାଲିଛି ଯାହାକୁ କୌଣସି ଝଡ଼ଝଞ୍ଜା ଦୋହଲାଇ ପାରେନାହିଁ । ଏହା ଊର୍ବରୁ ଆହୁରି ଊର୍ଦ୍ଧ୍ୱକୁ ଆରୋହଣ କରି ଶେଷରେ ପହଞ୍ଚି ସେହି ରୁଦ୍ଧ ଦ୍ଵାରରେ ଯାହା ଆମ ମିଳନର ଶେଷ ପ୍ରତିବନ୍ଧକ । କିନ୍ତୁ ଏହି ଅଗ୍ନିଶିଖା ଏତେ ପବିତ୍ର, ଏତେ ସରଳ, ଏତେ ସମୁନ୍ନତ ଯେ ହଠାତ୍ତ୍ ସେ ବାଧା ଧ୍ୱଂସ ହୁଏ ।…

ତା’ପରେ ତୁ ତୋର ପରିପୂର୍ଣ୍ଣ ଐଶ୍ଵର୍ଯ୍ୟ ମଧ୍ୟରେ, ତୋର ଅନନ୍ତ ମହିମାର ପ୍ରୋତ୍କଳ ଶକ୍ତିରେ ପ୍ରତିଭାତ ହେଉ । ତୋ ସ୍ପର୍ଶରେ ସେହି ଅଗ୍ନିଶିଖା ଗୋଟିଏ ଆଲୋକସ୍ତମ୍ଭରେ ରୂପାନ୍ତରିତ ହୁଏ ଯାହା ଚିରଦିନ ସକାଶେ ଅନ୍ଧକାରକୁ ଦୂର କରେ ।

ତା’ପରେ ମହାମନ୍ତ୍ର ଉଚ୍ଚାରିତ ହୁଏ ଏବଂ ଦେଖାଦିଏ ଏକ ଚରମ ପ୍ରକାଶ !