Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୧୦, ୧୯୧୨

ହେ ପରମ ବିଧାତା, ଶାଶ୍ୱତ ଗୁରୁ, ପୁଣି ଥରେ ତୁ ମୋତେ ନିଃସଂଶୟ ଭାବେ ବୁଝାଇଦେଲୁ ତୋ ନିର୍ଦ୍ଦେଶ ଉପରେ ପୂର୍ଣ୍ଣ ନିର୍ଭରତା କି ଅନୁପମ ସଫଳତା ଆଣିଦିଏ ।ଗତକାଲି ମୋର ବାଣୀ ମଧ୍ୟଦେଇ ତୋ ଜ୍ୟୋତିଃ ଅବାଧରେ ପ୍ରକାଶିତ ହୋଇଛି; ଯନ୍ତ୍ର ହୋଇଛି ସୁନମ୍ୟ, ଅନୁଗତ ଶାଣିତ ।

ସକଳ ବସ୍ତୁ, ସକଳ ଜୀବ ମଧ୍ୟରେ ତୁ କର୍ମ କରୁଛୁ; ଆଉ ଯେ ତୋର ଏପରି ସାନ୍ନିଧରେ ଆସିଛି, ଯେ ଯାବତୀୟ କର୍ମରେ କେବଳ ତୋତେହିଁ ଦେଖେ, ସେ ଜାଣେ ସକଳ କର୍ମକୁ କିପରି ତୋ ଆଶୀର୍ବାଦରେ ରୂପାନ୍ତରିତ କରିହୁଏ ।

ଏକମାତ୍ର ପ୍ରୟୋଜନ, ତୋ ମଧ୍ୟରେ ସର୍ବଦା ବାସ କରିବା, ତୋ ମଧ୍ୟରେ ସର୍ବଦା, ନିରନ୍ତର ଗଭୀରରୁ ଗଭୀରତର ଭାବେ, – ମିଥ୍ୟା, ମାୟା, ଇନ୍ଦ୍ରିୟର ଛଳନାକୁ ଅତିକ୍ରମ କରି ଅଥଚ କର୍ମରେ ବୀତରାଗ ନ ହୋଇ, ତାହାକୁ ଅସ୍ୱୀକାର ବା ପରିତ୍ୟାଗ ନ କରି, କାରଣ ସେପରି ସଂଗ୍ରାମ ନିଷ୍ଣଳ, ଅଶ୍ରେୟସ୍କର – କିନ୍ତୁ ଯେଉଁ କର୍ମ ହେଉ ନା କାହିଁକି ତାହାରି ମଧ୍ୟଦେଇ ତୋ ଭିତରେ ସଦାସର୍ବଦା ବାସ କରିବା । ସେତେବେଳେ ସକଳ କ୍ରାନ୍ତି ଦୂର ହୁଏ, ଇନ୍ଦ୍ରିୟର ମିଥ୍ୟା ଛଳନାର ଅବସାନ ହୁଏ, ବନ୍ଧନ ମୋଚିତ ହୁଏ ଓ ସବୁକିଛି ରୂପାନ୍ତରିତ ହୁଏ ତୋ ଶାଶ୍ୱତ ସାନ୍ନିଧ୍ୟର ମହିମାରେ ।

ତେବେ ତାହାହିଁ ହେଉ ।