Divine Light Online

ଧ୍ୟାନ ଓ ପ୍ରାର୍ଥନା

ଏପ୍ରିଲ୍ ୮, ୧୯୧୪

ହେ ଭଗବାନ୍; ମୋ ଚିନ୍ତାରେ ଆସି ଛି ଶାନ୍ତି, ହୃଦୟ ହୋଇଛି ସ୍ଥିର; ଗଭୀର ଭକ୍ତି ଓ ଅସୀମ ନିର୍ଭରତା ସହ ମୁଁ ତୋ ଆଡ଼କୁ ଫେରିଛି; ମୁଁ ଜାଣେ ତୋ ପ୍ରେମସର୍ବଶକ୍ତିମୟ ଓ ତୋ ନ୍ୟାୟରେ ରାଜ୍ୟ ପୃଥିବୀ ଉପରେ ସ୍ଥାପିତ ହେବ; ମୁଁ ଜାଣେ ସେ ସମୟ ଅତି ନିକଟ ଯେତେବେଳେ ଶେଷ ଆବରଣଟି ଅପସାରିତ ହେବ, ସମସ୍ତ ଅନ୍ୟାୟ ଦୂରହେବ, ତାହା ସ୍ଥାନରେ ଆସିବ ଶାନ୍ତି ଓ ସମ୍ମିଳିତ ଚେଷ୍ଟାର ଯୁଗ ।

ହେ ପ୍ରଭୁ, ମନ ମୋର ଅନ୍ତର ଅଭିମୁଖୀ ହୋଇଛି, ହୃଦୟ ଶାନ୍ତି ପ୍ରାପ୍ତ କରିଛି, ମୁଁ ତୋ ଆଡ଼କୁ ଚାଲୁଛି, ମୋର ସମସ୍ତ ସତ୍ତା ତୋର ଦିବ୍ୟ ସାନିଧ୍ୟରେ ପରିପୂର୍ଣ୍ଣ ହୋଇଛି, ଏହାହିଁ କର ମୁଁ ଯେପରି ତୋତେ ସର୍ବ ବସ୍ତୁରେ ଦେଖୁପାରେ ଏବଂ ସକଳ ବସ୍ତୁ ଯେପରି ତୋ ଦିବ୍ୟ ଜ୍ୟୋତିରେ ଉଜ୍ଜ୍ୱଳ ହୋଇଉଠେ । ହେ ପ୍ରଭୁ, ସକଳ ଦେଷ ପ୍ରଶମିତ ହେଉ, ସକଳ ହିଂସା ଲୋପ ପାଉ, ସକଳ ଭୟ ଦୂର ହେଉ, ସଂଶୟ ଦୂର ହେଉ, ସକଳ ଅପଶକ୍ତି ପରାଜିତ ହେଉ, ଏବଂ ଏହି ସହରରେ, ଏହି ଦେଶରେ, ଏହି ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରୁ ଯେ ତାହାର ହୃଦୟ ମଧ୍ୟରେ ଏହି ମହାପ୍ରେମ, ସକଳ ରୂପାନ୍ତରର ଏଇ ଉତ୍ସ ସ୍ପନ୍ଦିତ ହେଉଛି ।

ହେ ଭଗବାନ୍, ତୋ ପ୍ରେମ ନିକଟରେ ମୋର ଏହି ସନିର୍ବନ୍ଧ ଭିକ୍ଷା – ଏହାହିଁ କର ଯେପରି ମୋର ଅଭୀପ୍ସା ଅତି ତୀବ୍ର ହୋଇଉଠେ ଯରା ତାହା ଅନୁରୂପ ଅଭୀପ୍ସା ସର୍ବତ୍ର ଜାଗ୍ରତ୍ କରେ : ହେ ଭଗବାନ୍, ଦୟା, ନ୍ୟାୟ, ଶାନ୍ତି ଏକଚ୍ଛତ୍ରପତି ରୂପେ ରାଜତ୍ଵ କରୁ; ଅଜ୍ଞାନ ଅହଂକାର ଦୂର ହୋଇଯାଉ, ତୋ ନିର୍ମଳ ଜ୍ୟୋତିରେ ଅନ୍ଧକାର ତତ୍‌କ୍ଷଣାତ୍ ଆଲୋକିତ ହେଉ, ଅନ୍ଧ ଦୃଷ୍ଟି ଲାଭ କରୁ, ବଧୂର ଶ୍ରବଣ ଶକ୍ତି ଲାଭ କରୁ; ତୋ ଦିବ୍ୟବିଧାନ ସର୍ବତ୍ର ଘୋଷିତ ହେଉ, ତୋ ସଙ୍ଗେ ମିଳନ ନିରନ୍ତର ନିବିଡ଼ତର ହେଉ, ସୁସମଞ୍ଜସ, ଅବିଚଳ ଓ ପୂର୍ଣ୍ଣତର ହେଉ; ଗୋଟିଏ ସତ୍ତା ତୁଲ୍ୟ ସମସ୍ତଙ୍କ ମିଳିତ ହସ୍ତ ତୋ ଆଡ଼କୁ ପ୍ରସାରିତ ହେଉ ତୋ ସଙ୍ଗେ ଏକୀଭୂତ ହେବା ନିମିତ୍ତ ଏବଂ ତୋତେ ପୃଥିବୀ ଉପରେ ପ୍ରକାଶ କରିବା ନିମିତ୍ତ ।

ହେ ଭଗବାନ୍, ମନକୁ ଅନ୍ତର୍ମୁଖୀ କରି, ହୃଦୟକୁ ସୂର୍ଯ୍ୟାଲୋକରେ ପୂର୍ଣ୍ଣ କରି ତୋ ପାଖରେ ନିଜକୁ ଅକୁଣ୍ଠା ଚିତ୍ତରେ ସମର୍ପଣ କରୁଛି, ମୋର ‘ମୁଁ’ ତୋ ମଧ୍ୟରେ ବିଲୁପ୍ତ ହୋଇଯାଉ ।