Divine Light Online

ଧ୍ୟାନ ଓ ପ୍ରାର୍ଥନା

ଡିସେମ୍ବର ୧୦, ୧୯୧୪

ହେ ଭଗବାନ୍ ! ଶୁଣ… ଏକ ପ୍ରଗାଢ଼ ଏକାଗ୍ରତାର ନୀରବତା ମଧ୍ୟରେ ମୋ ପ୍ରାର୍ଥନା ସାଗ୍ରହେ ତୋ ଆଡ଼କୁ ଉଠିଚାଲୁଛି ।
ଚିନ୍ତାର କୌଣସି ଏକ ବିଶେଷ ରୂପ, ଗୋଟିଏ ବିଶେଷ ମାନସିକ ଗଠନ, ତା’ ଯେତେ ବୃହତ୍, ଯେତେ ଶକ୍ତିଶାଳୀ ହେଉ ନା କାହିଁକି, ତା’ ସହ ଏକୀଭୂତ ହୋଇ, ତାହାକୁ ଆଧାରର, ଉପଲବ୍ଧିର ଓ କର୍ମାବଳୀର ମୂଳ କେନ୍ଦ୍ର ବୋଲି ସ୍ୱୀକାର କରିବା କ’ଣ ଗୋଟାଏ ବିରାଟ ମୂଢ଼ତା ନୁହେଁ ? ସତ୍ୟ ସମ୍ବନ୍ଧରେ ଆମ୍ଭେମାନେ ଯାହା ଭାବୁ ନା କାହିଁକି, ଯାହା କହୁ ନା କାହିଁକି, ତାହା ଚିରକାଳ ସେ ସବୁର ଊର୍ଦ୍ଧ୍ୱରେ । ନିଜର ବ୍ୟକ୍ତିଗତ ତଥା ମାନବର ସମଷ୍ଟିଗତ ସର୍ବାଙ୍ଗୀଣ ଉନ୍ନତି ସକାଶେ ଅତ୍ୟନ୍ତ ପ୍ରୟୋଜନୀୟ, ଏପରିକି ଅପରିହାର୍ଯ୍ୟ କାର୍ଯ୍ୟ ହେଲା ଏହି ସତ୍ୟ ସଙ୍ଗେ ଯଥାଯୋଗ୍ୟ ମେଳ ଓ ସମନ୍ୱୟ ରକ୍ଷାକରି ତାହାର ଏକ ସଂଜ୍ଞା ଆବିଷ୍କାର କରିବାକୁ ଚେଷ୍ଟା କରିବା । କିନ୍ତୁ ତଥାପି ଏହି ସଂଜ୍ଞା ସମ୍ବନ୍ଧେ ବ୍ୟକ୍ତି ସର୍ବଦା ନିଜକୁ ମୁକ୍ତ ଅନୁଭବ କରିବା ଦରକାର, ନିଜର ଚେତନାକେନ୍ଦ୍ରକୁ ଏହାର ଊର୍ଦ୍ଧ୍ୱରେ ରଖିବା ଉଚିତ, ସେହି ସଦବସ୍ତୁ ମଧ୍ୟରେ ରଖିବା ଉଚିତ ଯାହା ସବୁ ପ୍ରକାର ମାନସିକ ସୂତ୍ରକୁ – ତାହା ଯେତେ ମହାନ୍, ସୁନ୍ଦର ଓ ପୂର୍ଣ୍ଣ ହେଉ ନା କାହିଁକି ଅତିକ୍ରମ କରିଯାଏ । ଆମ୍ଭେମାନେ ଯେପରି ଚିନ୍ତା କରୁ ଜଗତ୍ ଠିକ୍ ସେହିପରି ନୁହେଁ । ଜଗତ୍ ସମ୍ବନ୍ଧରେ ଆମ୍ଭେମାନେ ଯେଉଁ ଧାରଣା କରୁ ତାହାର ମୂଲ୍ୟ ନିର୍ଣ୍ଣୀତ ହୁଏ କର୍ମ ସମ୍ବନ୍ଧରେ ଆମ୍ଭମାନଙ୍କର କି ମନୋଭାବ ଅଛି ତାହାଦ୍ୱାରା । ଏହି ମନୋଭାବ ଗୋଟାଏ ମାନସିକ ସିଦ୍ଧାନ୍ତ ମଧ୍ୟରେ – ତାହା ଯେତେ ଶକ୍ତିଶାଳୀ ହେଉ ନା କାହିଁକି – ନିହିତ ଯେଉଁ ଅନୁପ୍ରେରଣା ତା’ ଉପରେ ନିର୍ଭର ନ କରି ତା’ଠାରୁ ଅନେକ ଅଧିକ ଗଭୀର, ସତ୍ୟ ଓ ଅବ୍ୟଭିଚାରୀ ପ୍ରେରଣା ଉପରେ ନିର୍ଭର କରିପାରେ । ଶାଶ୍ୱତ ସତ୍ୟକୁ ପୂର୍ବତନ ରୂପାବଳୀ ଅପେକ୍ଷା ଆହୁରି ପୂର୍ଣ୍ଣତର, ଊର୍ଦ୍ଧ୍ୱତର ଏବଂ ଯଥାର୍ଥ ରୂପରେ ମଣିଷ ଲାଗି ପ୍ରକାଶ କରିବାର ସଂକଳ୍ପ ନିଜ ମଧ୍ୟରେ ଅନୁଭବ କରିବା ଖୁବ୍ ଭଲ, କିନ୍ତୁ ଏହି ସର୍ତ୍ତରେ ଯେ ନିଜର ଆତ୍ମସତ୍ତାକୁ ଏହି କାର୍ଯ୍ୟ ସହିତ ଯେପରି ମିଳାଇ ଦିଆ ନ ହୁଏ – ଏଥିରେ ସେହି ଆତ୍ମସତ୍ତା ଦାସ ହୋଇପଡ଼େ, ତାହାର ସକଳ ସ୍ଵାଧୀନତା ଓ ଆତ୍ମସଂଯମ ହରାଇବସେ । ଏହା ଗୋଟିଏ ବୃତ୍ତ ଛଡ଼ା ଆଉ କିଛି ନୁହେଁ, ପାର୍ଥିବ ଦୃଷ୍ଟିରେ ତାହାର ଯେତେ ପ୍ରାଧାନ୍ୟ ଥାଉ ନା କାହିଁକି, ଏ କଥା ଭୁଲିଲେ ଚଳିବ ନାହିଁ ଯେ ଏହି ବୃତ୍ତିଟି ଅନ୍ୟାନ୍ୟ ବୃତ୍ତି ତୁଲ୍ୟ ଗୋଟାଏ ଆପେକ୍ଷିକ ସତ୍ୟ; ଏହାଦ୍ୱାରା ଯେପରି ବିକ୍ଷୁବ୍ଧ ନ ହୁଏ ଆମ୍ଭମାନଙ୍କର ଗଭୀର ଶାନ୍ତି ଏବଂ ଅବିଚଳ ସ୍ଥିରତା ଯାହାକୁ ଆଶ୍ରୟ କରିହିଁ ଦିବ୍ୟଶକ୍ତିଚୟ ଅବିକୃତ ଭାବେ ଆମ୍ଭମାନଙ୍କ ମଧ୍ୟରେ ପ୍ରକାଶିତ ହୁଅନ୍ତି ।

ହେ ଭଗବାନ୍ ! ଏବେ ବି ମୋର ପ୍ରାର୍ଥନା ରୂପ ଗ୍ରହଣ କରି ନାହିଁ, କିନ୍ତୁ ଏହାତୁ ଶୁଣିଛୁ ।