Divine Light Online

ଧ୍ୟାନ ଓ ପ୍ରାର୍ଥନା

ନଭେମ୍ବର ୨୮, ୧୯୧୨

ଧ୍ୟାନ-ଧାରଣାରେ ଯେଉଁ ସମୟ ଅତିବାହିତ ହୁଏ, ତା’ର ଅପରିହାର୍ଯ୍ୟ ପରିପୂରକ ନୁହେଁ କି ବାହ୍ୟ ଜୀବନ, ପ୍ରତିଦିନର ପ୍ରତି ମୁହୂର୍ତ୍ତର କର୍ମ ? ଏହି ଦୁଇଟିରେ ଯେତେ କରି ସମୟ ଦିଆହୁଏ, ସେହି ଅନୁପାତ ହିଁ ନିର୍ଦ୍ଦେଶ କରେ ମନୁଷ୍ୟକୁ କେତେ ଚେଷ୍ଟା କରିବାକୁ ହେବ ପ୍ରସ୍ତୁତି ନିମନ୍ତେ ଓ କେତେ ଚେଷ୍ଟା କରିବାକୁ ହେବ ବାସ୍ତବ ସିଦ୍ଧି ନିମନ୍ତେ । କାରଣ ଧ୍ୟାନ-ଧାରଣା ଭଗବତ୍ ମିଳନ, ଏହାହିଁ ହେଲା ଲବ୍ଧ ଫଳ, ପୂର୍ଣ୍ଣପ୍ରସ୍ଫୁଟିତ ପୁଷ୍ପ । ଆଉ ଦୈନନ୍ଦିନ କର୍ମ ହେଲା ତାହାହିଁ ଯାହା ଉପର ଦେଇ ଆମର ପ୍ରତ୍ୟେକ ଅଙ୍ଗ ଓ ଉପାଦାନକୁ ହାତୁଡ଼ିର ଆଘାତ ଭିତରେ ପାର ହେବାକୁ ହେବ ଯାହାଦ୍ୱାରା ସେମାନେ ହେବେ ଶୁଦ୍ଧ, ସଂସ୍ମୃତ, ନମନୀୟ ଓ ପରିପକ୍ୱ ଯେପରି କି ଧ୍ୟାନ ସେମାନଙ୍କ ପାଇଁ ଯେଉଁ ଜ୍ୟୋତିଃ ପ୍ରକାଶ ଆଣିଦିଏ ତାହା ଧାରଣ କରିପାରିବେ । ଏହିପରି ଗୋଟିଏ ପରେ ଗୋଟିଏ ପ୍ରତ୍ୟେକ ଅଙ୍ଗକୁ ଅଗ୍ନି ପରୀକ୍ଷା ଭିତର ଦେଇ ସେତେଦିନ ପର୍ଯ୍ୟନ୍ତ ଯିବାକୁ ହେବ ଯେପର୍ଯ୍ୟନ୍ତ ସର୍ବାଙ୍ଗୀଣ ବିକାଶ ପାଇଁ ଆଉ ବାହ୍ୟ କ୍ରିୟାର ପ୍ରୟୋଜନ ରହିବ ନାହିଁ ।ବାହ୍ୟ କ୍ରିୟା ସେତେବେଳେ ହୋଇଉଠିବ ତୋ ପ୍ରକାଶର ଯନ୍ତ୍ର, ଯାହାଫଳରେ ଚେତନାର ଅନ୍ୟ କେନ୍ଦ୍ରସବୁ ଜାଗ୍ରତ୍ ହେବ ସେହି ଯୁଗ୍ମକ୍ରିୟା ନିମନ୍ତେ – ଗୋଟିଏ ଦିଗରେ ଦାହନ ବା ଅଗ୍ନିଶୁଦ୍ଧ, ଅନ୍ୟ ଦିଗରେ ଦୀପନ ବା ଜ୍ୟୋତିଃ ସିଦ୍ଧି । ସେଥିପାଇଁ ଆତ୍ମଶ୍ଲାଘା ଓ ଆତ୍ମତୁଷ୍ଟିଠାରୁ ବଳି ବଡ଼ ବାଧା ଆଉ କିଛି ନାହିଁ । ଏହି ଯେଉଁସବୁ ଅସଂଖ୍ୟ ସତ୍ତା ଓ ଉପାଦାନ ରହିଛନ୍ତି ସେମାନଙ୍କ ଭିତରୁ କେତେକଙ୍କୁ ଢଳେଇ କରି ଶୁଦ୍ଧ କରିବାକୁ ହେବ, ଯେପରି କି ସେସବୁ ହୋଇଉଠିବେ ନମନୀୟ, ନୈବ୍ୟକ୍ତିକ, ଯେପରି କି ସେମାନେ ଶିଖି ପାରିବେ ଆତ୍ମବିସ୍ମୃତି, ଆତ୍ମତ୍ୟାଗ, ନିଷ୍ଠା, ମୈତ୍ରୀ ଓ ନମ୍ରତା – ଏଥିପାଇଁ ଯେଉଁସବୁ ସୁଯୋଗ ଆସେ, ତାହା ଯେତେ ସାମାନ୍ୟ ହେଲେ ବି ଆମକୁ ତତ୍‌କ୍ଷଣାତ୍ ସେସବୁକୁ ଗ୍ରହଣ କରିବାକୁ ହେବ କୃତଜ୍ଞତାର ସହିତ । ଯେତେବେଳେ ଜୀବନର ଏହି ପ୍ରକାର ବୃତ୍ତିସବୁ ଆମର ସେହିସବୁ ସତ୍ତା ଓ ଉପାଦାନ ନିମନ୍ତେ ସ୍ୱାଭାବିକ ହୋଇଉଠେ ସେତେବେଳେ ସେମାନେ ଧ୍ୟାନଧାରଣାର ଅଧିକାର ପାଆନ୍ତି, ପ୍ରସ୍ତୁତ ହୁଅନ୍ତି ପରମ ତାଦାମ୍ୟ ଭିତରେ ତୋ ସଙ୍ଗେ ଏକୀଭୁତ ହୋଇଯିବାକୁ । ସେଥିପାଇଁ ମୁଁ ମନେକରେ ଯେ ଶ୍ରେଷ୍ଠ ସାଧକ ପକ୍ଷରେ ବି ଏହି ସାଧନା ଦୀର୍ଘ ଓ ମନ୍ଥର ହେବାକୁ ବାଧ୍ୟ । ହଠାତ୍ ସିଦ୍ଧିସବୁ କେବେହେଲେ ସର୍ବାଙ୍ଗୀଣ ହୋଇପାରେ ନାହିଁ । ତା’ ଫଳରେ ସତ୍ତାର ଦିଗ ପରିବର୍ତ୍ତନ ହୁଏ, ସତ୍ତାକୁ ଏହା ସିଧା ମାର୍ଗରେ ରଖିଦିଏ, କିନ୍ତୁ ଯଥାର୍ଥ ଭାବରେ ଲକ୍ଷ୍ୟରେ ପହଞ୍ଚିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ସବୁପ୍ରକାରର ଅଗଣିତ ଅଭିଜ୍ଞତାର ପ୍ରୟୋଜନକୁ ସ୍ୱୀକାର ନ କରି କାହାରି ଉପାୟ ନାହିଁ ।

… ହେ ପରମ ଅଧୀଶ୍ୱର, ମୋ ଭିତରେ, ପ୍ରତ୍ୟେକ ବସ୍ତୁ ମଧ୍ୟରେ ତୁ ପ୍ରଜ୍ଜ୍ୱଳ; ତୋ ଜ୍ୟୋତିଃର ଆବିର୍ଭାବ ହେଉ, ତୋ ଶାନ୍ତିର ରାଜତ୍ୱ ଆରମ୍ଭ ହେଉ ସମସ୍ତଙ୍କ ପାଇଁ ।