Divine Light Online

ଧ୍ୟାନ ଓ ପ୍ରାର୍ଥନା

ଫେବ୍ରୁଆରି ୧୨, ୧୯୧୪

ଯେତେବେଳେ ତୋର ପରମ ଚେତନାରେ ସଚେତନ ହୋଇ ପାର୍ଥବ ପରିସ୍ଥିତିସବୁ ପର୍ଯ୍ୟାଲୋଚନା କରୁ ସେତେବେଳେ ସେଗୁଡ଼ିକର ନିତାନ୍ତ ଆପେକ୍ଷିକତା ଆମର ହୃଦୟଙ୍ଗମ ହୁଏ, ଏବଂ ଆମେ କହୁ : “ଏ କାର୍ଯ୍ୟ କର ବା ସେ କାର୍ଯ୍ୟ କର, ପରିଣାମରେ କାହାର କିଛି ବିଶେଷ ମୂଲ୍ୟ ନାହିଁ, ତଥାପି ଗୋଟାଏ ବିଶେଷ ଧାରାରେ କାର୍ଯ୍ୟ କଲେ ଗୋଟାଏ ବିଶେଷ ଗୁଣ ବା ବୁଦ୍ଧିର ସର୍ବୋତ୍ତମ ବ୍ୟବହାର ହୁଏ । ସମସ୍ତ କାର୍ଯ୍ୟ, ତା’ ଯାହା ହେଉ ନା କାହିଁକି, ଏପରିକି ଆପାତ ଦୃଷ୍ଟିରେ ଏକାନ୍ତ ପରସ୍ପରବିରୋଧୀ ହେଲେ ମଧ୍ୟ, ତାହା ତୋର ଦିବ୍ୟବିଧାନର ଅଭିବ୍ୟକ୍ତି ହୋଇ ପାରେ ସେହି ପରିମାଣରେ ଯେଉଁ ପରିମାଣରେ ସେଗୁଡ଼ିକ ସେହି ବିଧାନର ଚେତନାରେ ଅଭିଷିକ୍ତ; ଏ ବିଧାନ ବ୍ୟବହାରିକ ପ୍ରୟୋଗର ବିଧ ନୁହେଁ, ତାହାକୁ ସାଧାରଣ ମାନୁଷୀ ଚେତନାର କୌଣସି ନିୟମ ବା ତତ୍ତ୍ୱରୂପେ ବାନ୍ଧି ଦିଆଯାଇ ପାରିବ ନାହିଁ, ବରଂ ତାହା ହେଲା ଆନ୍ତର ଭାବରଏକ ବିଧାନ, ଏକ ଅବ୍ୟଭିଚାରୀ ସର୍ବବ୍ୟାପୀ ଚେତନାର ବିଧାନ, ଏହା ଏପରିକିଛି ଯାହାକୁ କୌଣସି ସୂତ୍ର ମଧ୍ୟରେ ବ୍ୟକ୍ତ କରାଯାଏ ନାହିଁ, ଯାହାକୁ ଜୀବନ ଓ ଆଚରଣ ଭିତରେ ମୂର୍ତ୍ତ କରାଯାଏ ।”
କିନ୍ତୁ ଯେଉଁ ମୁହୂର୍ତ୍ତରେ ଆମେ ଦୈନନ୍ଦିନ ସାଧାରଣ ଚେତନା ଭିତରକୁ ଓହ୍ଲାଇ ଆସୁ, ସେତେବେଳେ କୌଣସି ବିଷୟକୁ ତାଚ୍ଛଲ୍ୟ ସହକାରେ ଉଦାସୀନ ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଅତି କ୍ଷୁଦ୍ର ଘଟଣା, ଅତି କ୍ଷୁଦ୍ର କର୍ମର ବି ବିଶେଷ ଗୁରୁତ୍ୱ ଅଛି, ସେସବୁକୁ ଗଭୀରଭାବେ ବିବେଚନା କରିବା ଉଚିତ ହେବ । ପ୍ରତି ମୁହୂର୍ତ୍ତରେ ଆମ୍ଭେମାନେ ସେହି କାର୍ଯ୍ୟ କରିବାକୁ ସଚେଷ୍ଟ ହେବୁ ଯାହା ଶାଶ୍ୱତ ଚେତନା ସଙ୍ଗରେ ଆମ ଚେତନାକୁ ଏକୀଭୂତ କରିବାରେ ସହାୟତା କରେ ଓ ଯାହାକିଛି ଏହି ଏକତ୍ୱ ସାଧନ ଦିଗରେ ପ୍ରତିବନ୍ଧକସେସବୁକୁ ଯତ୍ନର ସହିତ ବର୍ଜନ କରିବୁ । ସେତେବେଳେ ହିଁ ଆମର ସମସ୍ତ ଆଚରଣବିଧ ପୂର୍ଣ୍ଣ ନିଃସ୍ୱାର୍ଥପରତା ଉପରେ ପ୍ରତିଷ୍ଠିତ ହୋଇ ତାହାର ପୂର୍ଣ୍ଣ ମୂଲ୍ୟ ଅର୍ଜନ କରିବ ।

ହୃଦୟରେ ଶାନ୍ତି, ମନରେ ଆଲୋକ ଏବଂ ମୋର ସମଗ୍ର ସତ୍ତାରେ ନିଶ୍ଚୟବୋଧରୁ ଜନ୍ମନେଇଛି ଯେଉଁ ଆଶା ସେସବୁକୁ ନେଇ ତୋତେ ପ୍ରଣାମ କରେ, ହେ ଭଗବାନ୍, ଶାଶ୍ୱତ ପ୍ରେମର ଅଧୀଶ୍ଵର ।

ତୁ ଆମ୍ଭମାନଙ୍କ ଅସ୍ତିତ୍ୱର କାରଣ ଏବଂ ଆମର ଗନ୍ତବ୍ୟ ଲକ୍ଷ୍ୟ ।