ମୋ’ ଜୀବନର ବ୍ରତ ସମ୍ବନ୍ଧରେ ମୁଁ ସଚେତନ ହେଲି କିପରି ?
ଏହି ପୃଥିବୀରେ ମୋତେ ଯେ ଏକ ଲକ୍ଷ୍ୟକୁ ପୂର୍ଣ୍ଣ କରିବାକୁ ପଡ଼ିବ, ସେହି ବିଷୟରେ ମୁଁ କିପରି ସଚେତନ ହେଲି? ଏବଂ କେବେ ଓ କିପରି ଶ୍ରୀଅରବିନ୍ଦଙ୍କୁ ଆସି ଭେଟିଲି ?
ତୁମେ ମୋତେ ଏହି ଦୁଇଟି ପ୍ରଶ୍ନ ପଚାରିଛ ଏବଂ ମୁଁ ସଂକ୍ଷେପରେ ତାହାର ଉତ୍ତର ଦେବି ବୋଲି ପ୍ରତିଶ୍ରୁତି ଦେଇଥିଲି ।
ଲକ୍ଷ୍ୟଟି ବିଷୟରେ ଠିକ୍ କେବେ ମୋ’ର ଏକ ଜ୍ଞାନ ହେଲା, ସେକଥା କହିବା ପ୍ରକୃତରେ କଷ୍ଟକର । ସତେଯେପରି ମୁଁ ସେହି ଲକ୍ଷ୍ୟଟିକୁ ସାଙ୍ଗରେ ନେଇହିଁ ଜନ୍ମ ହୋଇଥିଲି ଏବଂ, ମୋ’ର ମନ ତଥା ମସ୍ତିଷ୍କର ଅଭିବୃଦ୍ଧି ସଙ୍ଗେସଙ୍ଗେ ସେହି ଚେତନା ମଧ୍ୟ ଅଧିକରୁ ଅଧିକ ନିର୍ଦିଷ୍ଟ ଏବଂ ସଂପୂର୍ଣ୍ଣ ହୋଇଥିଲା ।
ମୋ’ ଜୀବନରୁ ୧୧ ରୁ ୧୩ ବର୍ଷ ଭିତରେ କ୍ରମାଗତ କେତେଗୋଟି ଚୈତ୍ୟ ତଥା ଆଧ୍ୟାତ୍ମିକ ଅନୁଭୂତି ମୋ’ଲାଗି ପରମେଶ୍ଵରଙ୍କର ଅସ୍ତିତ୍ଵ ବିଷୟରେ କେବଳ ଯେ ସତ୍ଯୋଦ୍ଘାଟନ କରି ଦେଇଥିଲେ ତା’ ନୁହେଁ, ମାତ୍ର ମନୁଷ୍ୟ ଲାଗି ଯେ ତାଙ୍କ ସହିତ ଯୁକ୍ତ ହୋଇ ପାରିବାର, ଚେତନା ଏବଂ କର୍ମର କ୍ଷେତ୍ରରେ ତାଙ୍କୁ ପୂର୍ଣ୍ଣ ଭାବରେ ଉପଲବ୍ଧି କରିବାର ତଥା ଏକ ଦିବ୍ୟ ଜୀବନର ଭୂମି ଉପରେ ଏହି ପୃଥିବୀପୃଷ୍ଠରେ ତାଙ୍କୁ ଅଭିବ୍ୟକ୍ତ କରାଇବାର ଏକ ସମ୍ଭାବନା ମଧ୍ୟ ରହିଛି, ଏଗୁଡ଼ିକୁ ଅତ୍ୟନ୍ତ ସ୍ପଷ୍ଟ କରି ଦେଇଥିଲେ । ମୋ’ ଶରୀର ସୁପ୍ତ ଅବସ୍ଥାରେ ରହିଥିବା ବେଳେ ଏକାଧିକ ଗୁରୁ ଓ ଶିକ୍ଷକ ମୋତେ ଏହି ସତ୍ୟଟିକୁ ଏବଂ ତାହାର ପରିପୂରଣ ଲାଗି ଆବଶ୍ୟକ ଏକ ପ୍ରୟୋଗାତ୍ମକ ସାଧନାମାର୍ଗକୁ ମଧ୍ୟ ମୋତେ ଆସି ପ୍ରଦାନ କରିଥିଲେ; ଶାରୀରିକ ଭୂମିରେ ମୋ’ର ଏମାନଙ୍କ ମଧ୍ୟରୁ କେତେକଙ୍କ ସହିତ ପରେ ସାକ୍ଷାତ ହୋଇଥିଲା ।
ତା’ପରେ, ଅନ୍ତର ତଥା ବାହାରର ବିକାଶ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ, ଏହି ସତ୍ତାମାନଙ୍କ ମଧ୍ୟରୁ ଜଣକ ସହିତ ମୋ’ର ଆଧ୍ୟାତ୍ମିକ ଏବଂ ଚୈତ୍ୟ ସମ୍ବନ୍ଧ ଅଧିକରୁ ଅଧିକ ସ୍ପଷ୍ଟ ଓ ବାରଂବାର ଘଟିବାକୁ ଲାଗିଲା; ଏବଂ ସେତେବେଳେ ଭାରତୀୟ ବିଭିନ୍ନ ଦର୍ଶନ ତଥା ଧର୍ମଗୁଡ଼ିକ ବିଷୟରେ ମୋ’ର ପ୍ରାୟ କୌଣସି ଜ୍ଞାନ ନ ଥିଲେ ମଧ୍ୟ, ମୁଁ କୌଣସି ପ୍ରେରଣାରୁ ତାଙ୍କୁ କୃଷ୍ଣ ବୋଲି ଅଭିହିତ କରିଥିଲି ଓ ତା’ପରେ ମୁଁ ବେଶ୍ ସଚେତନ ଭାବରେ ବୁଝି ପାରିଲି ଯେ ତାଙ୍କରି ସହିତହିଁ (ପୃଥିବୀପୃଷ୍ଠରେ ମୋ’ର ତାଙ୍କ ସହିତ ଅବଶ୍ୟ ଦିନେ ଦେଖା ହେବ ବୋଲି ମୁଁ ଜାଣି ପାରୁଥିଲି) ମୋତେ ଦିବ୍ୟ କାର୍ଯ୍ୟଟିକୁ ସମ୍ପାଦନ କରିବାକୁ ପଡ଼ିବ ।
୧୯୧୦ ମସିହାରେ ମୋ’ର ସ୍ବାମୀ ଏକାକୀ ପଣ୍ଡିଚେରୀ ଆସିଥିଲେ; ଏହିଠାରେ ଏକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକ ଓ ବିଚିତ୍ର ପରିସ୍ଥିତିରେ ଶ୍ରୀଅରବିନ୍ଦଙ୍କ ସହିତ ତାଙ୍କର ପରିଚୟ ଘଟିଥିଲା । ସେହି ଦିନଠାରୁ ପୁନର୍ବାର ଭାରତବର୍ଷକୁ ଫେରି ଆସିବାକୁ ଆମ ଦୁହିଙ୍କର ବଳବତୀ ଇଚ୍ଛା ହେଲା,– ଭାରତବର୍ଷକୁହିଁ ମୁଁ ସର୍ବଦା ମୋ’ର ପ୍ରକୃତ ମାତୃଭୂମି ବୋଲି ଅନୁଭବ କରି ଆସିଥିଲି, ଏବଂ ୧୯୧୪ ମସିହାରେ ଆମକୁ ସେହି ଆନନ୍ଦ ଉପଲବ୍ଧ ହେଲା ।
ଶ୍ରୀଅରବିନ୍ଦଙ୍କୁ ଦେଖିଲା ମାତ୍ରକେହିଁ ମୁଁ ତାଙ୍କରି ଭିତରେ ମୁଁ କୃଷ୍ଣ ବୋଲି କହି ଆସିଥିବା ସୁପରିଚିତ ସତ୍ତାଟିକୁ ଚିହ୍ନି ପାରିଲି ।… ଏବଂ, ମୋ’ର ସ୍ଥାନ ଓ ମୋ’ର କାର୍ଯ୍ୟ କାହିଁକି ଏହି ଭାରତବର୍ଷରେ ତାଙ୍କରି ପାଖରେ ରହିଛି ବୋଲି ମୁଁ ସଂପୂର୍ଣ୍ଣ ସଂପ୍ରତ୍ୟୟ ସହିତ ଗ୍ରହଣ କରିନେଇଛି, ତାହାର ବ୍ୟାଖ୍ୟା କରିଦେବା ପାଇଁ ଏତିକି କହିବା ଯଥେଷ୍ଟ ହେବ ।
– ଶ୍ରୀମା (ପଣ୍ଡିଚେରୀ ୧୯୨୦)
★ ଦିବ୍ୟ ଜନନୀ ହେଉଛନ୍ତି ଭଗବାନଙ୍କ ଦିବ୍ୟ ଚେତନା ଓ ଦିବ୍ୟ ଶକ୍ତି– ସେ ସବୁକିଛିର ଜନନୀ।
★ ଆଦ୍ୟାଶକ୍ତି ହେଉଛନ୍ତି ମୂଳଶକ୍ତି, ତେଣୁ ମା’ଙ୍କର ସର୍ବୋତ୍ତମ ରୂପ । ଏକ ଅଦ୍ଵିତୀୟା, ସେ ପ୍ରକଟ ହୁଅନ୍ତି ବିଭିନ୍ନ ରୂପରେ, ବିଭିନ୍ନ ଭୂମିରେ, ଯେଉଁ ଭୂମିରେ ଆମେ ତାଙ୍କୁ ଦେଖୁ ସେହି ଅନୁସାରେ।
★ ପଶ୍ନ— ଆପଣଙ୍କ ‘ମା’ ବହିରେ ଆମ୍ଭମାନଙ୍କ ମା’ଙ୍କ ବିଷୟରେ କହି ନାହାନ୍ତି କି?
ଉତ୍ତର— ହଁ ।
ପ୍ରଶ୍ନ—ବ୍ୟକ୍ତିରୂପରେ ସେ କ’ଣ ସେହି ଦିବ୍ୟ ଜନନୀ ନୁହନ୍ତି ଯେ କି ବିଶ୍ଵଗତ ଓ ବିଶ୍ୱାତୀତ ସତ୍ତା—ଏହି ଦୁଇ ବୃହତ୍ତର ଧାରା ଓ ଶକ୍ତିକୁ ମୂର୍ତ୍ତ କରିଛନ୍ତି?
ଉତ୍ତର— ହଁ ।
ପ୍ରଶ୍ନ—ସେ କ’ଣ ଏଠାରେ ଆମ୍ଭମାନଙ୍କ ମଝିରେ, ଏହି ଅନ୍ଧକାର, ମିଥ୍ୟା, ଭ୍ରାନ୍ତି ଓ ମୃତ୍ୟୁଲେକରେ ଆମ୍ଭମାନଙ୍କ ପ୍ରତି ଗଭୀର ଓ ମହାନ୍ ପ୍ରେମ ବଶରେ ଅବତରି ଆସି ନାହାନ୍ତି?
ଉତ୍ତର— ହଁ ।
କେନ୍ଦ୍ରସ୍ଥ ବୃତ୍ତ ଦିବ୍ୟ ଚେତନାର ସୂଚକ ।
ଚାରିଟି ପାଖୁଡ଼ା ମା’ଙ୍କର ଚାରି ଶକ୍ତିର ସୂଚକ।
ବାରଟି ପାଖୁଡ଼ା ମା’ଙ୍କର କର୍ମ ପାଇଁ ଅଭିବ୍ୟକ୍ତ ତାଙ୍କ ନିଜର ବାରଟି ଶକ୍ତି।
– ଶ୍ରୀମା
କେନ୍ଦ୍ରୀୟ ବୃତ୍ତଟି ପରମାଜନନୀ, ମହାଶକ୍ତିଙ୍କର ସୂଚକ । ଚାରିଟି ପାଖୁଡ଼ା ମା’ଙ୍କର ବିଭୂତି-ଚତୁଷ୍ଟୟର ସୂଚକ ଏବଂ ଦ୍ଵାଦଶ ପାଖୁଡ଼ା : ତାଙ୍କର ଦ୍ବାଦଶ ଗୁଣ ।
– ଶ୍ରୀମା (୧୯୫୫)
ପରମା ଚେତନା ରୂପକ ଶ୍ଵେତ ଦିବ୍ୟକମଳର ଏହା ହେଉଛି ପ୍ରତୀକାତ୍ମକ ରେଖାଚିତ୍ର । ଏହାର କେନ୍ଦ୍ରରେ ମହାଶକ୍ତି (ବିଶ୍ଵସର୍ଜନାର ଜନନୀ-ସ୍ଵରୂପା) ତାଙ୍କର ଚାରି କ୍ରିୟାମିକା ଶକ୍ତି ଓ ବାରଟି ଗୁଣ ମଧ୍ୟରେ ବିଦ୍ୟମାନା ।
– ଶ୍ରୀମା
କେନ୍ଦ୍ର ଓ ୪ ଶକ୍ତି – ଶ୍ଵେତ । ୧୨ ଟି ପାଖୁଡ଼ାର ରଙ୍ଗ ବିଭିନ୍ନ ପ୍ରକାର ଏବଂ ତାହା ତିନିଟି ଗଣରେ ବିଭକ୍ତ । ଯଥା : (୧) ଶୀର୍ଷ ଭାଗରେ ଉପରେ ଥିବା ଗଣଟି – ନାଲିରୁ ଆରମ୍ଭ କରିବ ଓ ନାରଙ୍ଗୀ ଦେଇ ହଳଦିଆ ଆଡ଼କୁ ଯିବ, (୨) ତା’ପର ଗଣଟି ହଳଦିଆରୁ ଆରମ୍ଭ କରିବ ଓ ସବୁଜ ମଧ୍ୟଦେଇ ନୀଳ ଆଡ଼କୁ ଯିବ, (୩) ନୀଳରୁ ଆରମ୍ଭ କରିବ ଓ ବାଇଗଣୀ ମଧ୍ୟଦେଇ ନାଲି ଆଡ଼କୁ ଯିବ ।
କେନ୍ଦ୍ରରେ ଯଦି ଶ୍ଵେତରଙ୍ଗ ସୁବିଧାଜନକ ନ ହୁଏ ତେବେ ସୁନାଗୁଣ୍ଡ ରଙ୍ଗ ଦିଆଯାଇପାରେ ।
– ଶ୍ରୀଅରବିନ୍ଦ
ଆନ୍ତରିକତା (ନୀଳ), ନମ୍ରତା (ନୀଳ-ସବୁଜ), କୃତଜ୍ଞତା (ସବୁଜ), ଅଧ୍ୟବସାୟ (ସବୁଜମିଶା ହଳଦିଆ), ଅଭୀପ୍ସା (ହଳଦିଆ), ଗ୍ରହଣ ଶୀଳତା (ଫିକା ନାରଙ୍ଗୀ), ପ୍ରଗତି (ଗାଢ଼ ନାରଙ୍ଗୀ), ସାହସ (ନାଲି), ସ୍ଵାସ୍ଥ୍ୟ ( ଅତିନାଲି), ଉଦାରତା (ଫିକା ବାଇଗଣୀ), ସମତ୍ଵ (ବାଇଗଣୀ), ଶାନ୍ତି (ଗାଢ଼ ନୀଳ) ।
– ଶ୍ରୀମା