Divine Light Online

ଧ୍ୟାନ ଓ ପ୍ରାର୍ଥନା

ମାର୍ଚ୍ଚ ୧୭, ୧୯୧୪

ଯେଉଁ ମୁହୂର୍ତ୍ତରେ ଶାରୀରିକ ଅବସ୍ଥା କିଛି କଷ୍ଟକର ବୋଧହୁଏ ଏବଂ ପରିଣାମରେ ଅସ୍ୱସ୍ତି ଦେଖାଦିଏ, ଯଦି ସେହି ମୁହୂର୍ତ୍ତରେ ଜୀବନ ବା ମୃତ୍ୟୁ, ସ୍ଵାସ୍ଥ୍ୟ ବା ବ୍ୟାଧିକୁ ଅଗ୍ରାହ୍ୟ କରି ଆମ୍ଭେମାନେ ତୋ ଇଚ୍ଛା ନିକଟରେ ପୂର୍ଣ୍ଣରୂପେ ଆତ୍ମସମର୍ପଣ କରୁ, ତତ୍‌କ୍ଷଣା ହିଁ ଆମ୍ଭମାନଙ୍କ ସମସ୍ତ ସତ୍ତା ତୋ ପ୍ରେମ ଏବଂ ଜୀବନର ଦିବ୍ୟ ଛନ୍ଦରେ ଏକ ହୋଇଯାଏ ଏବଂ ସକଳ ଶାରୀରିକ ଅସୁସ୍ଥତା ବିଦୂରିତ ହୁଏ ଓ ତାହାର ସ୍ଥାନରେ ଦେଖାଦିଏ ସ୍ଥିର, ଗଭୀର ଓ ଶାନ୍ତିପୂର୍ଣ୍ଣ ସ୍ଵାସ୍ଥ୍ୟ ।

ମୁଁ ଲକ୍ଷ୍ୟ କରି ଦେଖୁଛି ଆମ୍ଭେମାନେ ଯଦି ଏପରି କୌଣସି କାର୍ଯ୍ୟରେ ପ୍ରବେଶ କରୁ ଯହିଁରେ ଶାରୀରିକ ସହନଶୀଳତା ଆବଶ୍ୟକ, ସେତେବେଳେ ଯାହା ସବୁଠାରୁ ବେଶୀ କ୍ଳାନ୍ତିଦାୟକ ବୋଧହୁଏ ତାହା ହେଲା, ଯେଉଁ ସକଳ ଭବିଷ୍ୟତ୍ ବାଧାବିପତ୍ତିରେ ଆମ୍ଭେମାନେ ପଡ଼ିପାରୁ, ସେସବୁ ବିଷୟରେ ପୂର୍ବରୁ ଚିନ୍ତା କରିବା । କିନ୍ତୁ ବିଜ୍ଞତାର କାର୍ଯ୍ୟ ହେଲା ପ୍ରତି ମୁହୂର୍ତ୍ତରେ ଯେଉଁସବୁ ବାଧାବିପତ୍ତି ଆସୁଛି, ସେସବୁ ପ୍ରତି ସେହି ସମୟରେଦୃଷ୍ଟି ଦେବା; ଏଥିରେ ଚେଷ୍ଟା ଅପେକ୍ଷାକୃତ ସହଜ ହୋଇଉଠେ, କାରଣ ଆମ୍ଭେମାନେ ବାଧାର ବିରୋଧରେ ଯେତିକି ଶକ୍ତି ପ୍ରୟୋଗ କରିବାକୁ ଚାହୁଁ ସେହି ଅନୁପାତରେ ଚେଷ୍ଟାର ମାତ୍ରା ଠିକ୍ ହୁଏ । ଶରୀର ଗୋଟିଏ ଚମତ୍କାର ଯନ୍ତ୍ର, ଏହାକୁ କିପରି ବ୍ୟବହାର କରିବାକୁ ହେବ ମନ ତାହା ଜାଣେ ନାହିଁ, ମନ ଶରୀରର ନମନୀୟତା, ଆନୁଗତ୍ୟକୁ ବୁଦ୍ଧି କରାଇବା ପରିବର୍ତ୍ତେ ଆଣିଦିଏ ପୂର୍ବକକ୍ଷିତ ଧାରଣା ଓ ଅହିତକର ପ୍ରଣୋଦନାରୁ ଜାତ ଗୋଟିଏ କଠିନତା ।

ହେ ପ୍ରଭୁ, ପରାବିଦ୍ୟା ହେଲା ତୋ ସଙ୍ଗେ ଏକୀଭୂତ ହେବା, ତୋ ଉପରେ ନିର୍ଭର ରଖିବା, ତୋ ମଧ୍ୟରେ ବାସ କରିବା, ତୁହିଁ ହୋଇଯିବା, ସେତେବେଳେ ଆଉ ଅସମ୍ଭବ ବୋଲି କିଛି ରହିବ ନାହିଁ, କାରଣ ସେହି ମନୁଷ୍ୟ ସେତେବେଳେ ପ୍ରକାଶ କରିବା ତୋର ସର୍ବଶକ୍ତିମ ।

ହେ ଭଗବାନ୍, ତୋ ଆଡ଼କୁ ମୋ ଆସ୍ପୃହା ଉଠିଯାଉଛି ଗୋଟିଏ ନିଃଶବ୍ଦ ସ୍ତୁତି, ମୂକ ଆରାଧନା ତୁଲ୍ୟ; ତୋ ଦିବ୍ୟପ୍ରେମରେ ମୋ ହୃଦୟ ଜ୍ୟୋତିର୍ମୟ ।

ହେ ପରମ ଦିବ୍ୟଗୁରୁ, ତୋତେ ମୁଁ ପ୍ରଣାମ କରୁଛି ।