ହେ ପ୍ରଭୁ, ହେ ଶାଶ୍ୱତ ଗୁରୁ, ତୋତେ କୌଣସି ନାମ ଦେଇହୁଏ ନାହିଁ, ତୋତେ କୌଣସି ପ୍ରକାରେ ଧାରଣା କରିହୁଏ ନାହିଁ, ତଥାପି ପ୍ରତି ମୁହୂର୍ତ୍ତରେ ଆମେ ତୋତେ ଅଧିକରୁ ଅଧିକତର ଉପଲବ୍ଧ କରିବାକୁ ଚାହୁଁ, ହେ ଭଗବାନ୍, ସମସ୍ତଙ୍କ ବୁଦ୍ଧି ଆଲୋକିତ କର, ସମସ୍ତଙ୍କ ହୃଦୟ ଉଦ୍ଭାସିତ କର, ସକଳଙ୍କ ଚେତନା ରୂପାନ୍ତରିତ କର । ପ୍ରତ୍ୟେକେ ହିଁ ତୋର ଯଥାର୍ଥ ଜୀବନରେ ଜାଗରିତ ହୁଅନ୍ତୁ, ଅହଂକାର ଓ ତାହାର ଅନୁଚର ଦୁଃଖଯନ୍ତ୍ରଣା ଓ ଅନୁଶୋଚନାରୁ ମୁକ୍ତିଲାଭ କରନ୍ତୁ, ସକଳ ଶାନ୍ତି ଓ ସୁଖର ଉତ୍ସ ତୋର ଦିବ୍ୟ ଓ ପବିତ୍ର ପ୍ରେମରେ ସେମାନେ ଆଶ୍ରୟ ଗ୍ରହଣ କରନ୍ତୁ । ମୋ ହୃଦୟ ତୋ ଦ୍ଵାରା ଏପରି ଭାବେ ପରିପୂର୍ଣ୍ଣ ହୋଇଛି, ମନେହୁଏ, ଯେପରି ତାହା ଅନନ୍ତଙ୍କ ଆଡ଼କୁ ପ୍ରସାରିତ ହୋଇଛି ଏବଂ ମୋ ବୁଦ୍ଧି ତୋ ସାନିଧ୍ୟରେ ପୂର୍ଣ୍ଣ ଆଲୋକିତ ହୋଇ ଶୁଦ୍ଧ, ଶୁଭ୍ର ହୀରକଖଣ୍ଡ ତୁଲ୍ୟ ଜଳୁଛି । ତୁହିଁ ଅନୁପମ ଯାଦୁକର, ତୁ ସକଳ ବସ୍ତୁକୁ ରୂପାନ୍ତରିତ କରୁ,କୁତ୍ସିତ ମଧ୍ୟରୁ ସୌନ୍ଦର୍ଯ୍ୟ, ଅନ୍ଧକାର ମଧ୍ୟରୁ ଆଲୋକ, ପଙ୍କ ମଧ୍ୟରୁ ନିର୍ମଳ ବିଶୁଦ୍ଧ ଜଳ, ଅଜ୍ଞାନତା ମଧ୍ୟରୁ ଜ୍ଞାନ ଏବଂ ଅହଂକାର ମଧ୍ୟରୁ ମୈତ୍ରୀ ବାହାର କରି ଆଣିପାରୁ ।
ତୋ ମଧ୍ୟରେ, ତୋ ଦ୍ୱାରା ଏବଂ ତୋ ସକାଶେ ଆମ୍ଭେମାନେ ବହିଛୁ ଏବଂ ତୋର ବିଧାନ ହିଁ ଆମ୍ଭମାନଙ୍କ ଜୀବନର ପରମ ନିୟନ୍ତା ।
ହେ ଭଗବାନ୍, ତୋହରି ଇଚ୍ଛା ସର୍ବତ୍ର ପୂର୍ଣ୍ଣ ହେଉ, ସମଗ୍ର ପୃଥିବୀ ଉପରେ ତୋର ଶାନ୍ତି ରାଜତ୍ଵ କରୁ ।